Home ଜିଲ୍ଲା ପରିକ୍ରମା ୪୯ତମ ବିଜୟା ମିଳନ: ସାହିତ୍ୟ ଯୁଗେ ଯୁଗେ ମଣିଷ ଜୀବନରେ ଆଶାର ସଞ୍ଚାର କରିଛି

୪୯ତମ ବିଜୟା ମିଳନ: ସାହିତ୍ୟ ଯୁଗେ ଯୁଗେ ମଣିଷ ଜୀବନରେ ଆଶାର ସଞ୍ଚାର କରିଛି

70

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାହିତ୍ୟ ଯୁଗେ ଯୁଗେ ଆଶାର ସଞ୍ଚାର ଲାଗି ଉଦ୍ଦିଷ୍ଟ ହୋଇଥିବାରୁ ସାହିତ୍ୟିକ ଯଥେଷ୍ଟ ଆଶାବାଦୀ ହୋଇ ରହିଥାଏ । ଜୀବନ ସହିତ ଯେଉଁ ସାହିତ୍ୟ ଜଡ଼ିତ ସେହିସତ୍‌ସାହିତ୍ୟ ଚିରଦିନ ଜୀବନକୁ ପ୍ରଭାବିତ ଓ ଆଲୋକିତ କରିଆସିଛି । ସମାଜ ଓ ମଣିଷ ଜୀବନ ସାହିତ୍ୟ ଦ୍ୱାରା ଉପକୃତହେଉଥିବା ହେତୁ ସ୍ରଷ୍ଟା ବିଶ୍ୱାସ ଉପରେ ଚିରକାଳ ଆସ୍ଥା ରଖିଥାଏ । ଆଜି ବିଶ୍ୱ ସଙ୍କଟମୟ ପରିବେଶ ଭିତରେ ଗତି କରୁଥିବା ବେଳେ, ସାହିତ୍ୟ ହିଁ ଆଶା ଓ ବିଶ୍ୱାସର ଦେବରୂପ ଭାବେ ପ୍ରତିଭାତ ହେଉଛି ବୋଲି ୪୯ତମ ‘ବିଜୟା ମିଳନ’ ଉତ୍ସବରେ ସାହିିତ୍ୟିକ ଓ ଗବେଷକ ମାନେ ଯୋଗଦେଇ ମତ ପ୍ରକାଶ କରିଛନ୍ତି । ଅନୁଷ୍ଠାନର ସଭାପତି କରୁଣାକର ବେହୁରିଆଙ୍କ ସଭାପତିତ୍ୱରେ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏହି ନିରଡ଼ାମ୍ବର ଉତ୍ସବରେ ମୁଖ୍ୟବକ୍ତା ଭାବେ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ.ରାମଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ପ୍ରାବନ୍ଧିକ ବାସୁଦେବ ବାରିକ, ସମ୍ମନିତ ବକ୍ତା ଭାବେ ତ୍ୟାଗଭୂମିର ସଭାପତି ଅଜୟ ନାୟକ ଏବଂ ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଉର୍ଦ୍ଦୁକବି ମୁସ୍ତାକ ଗହ୍ୱର ଯୋଗଦେଇଥିଲେ । ସରକାରଙ୍କ କୋଭିଡ ନିୟମକୁ ଆଖି ଆଗରେ ରଖି ଏହି କାର୍ଯ୍ୟକ୍ରମକୁ ଏଥର ନିରଡ଼ାମ୍ବର ଭାବେ ପାଳନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡ.ଅବନୀ ପ୍ରଧାନ,ଅବଦୁଲ ଦୟାନ, ନିର୍ମଳ ରାଉତ,ଦୁଃଶାସନ ମହାନ୍ତି, କାଳନ୍ଦୀ ମଲ୍ଲିକ, ଅରୂପାନନ୍ଦ ନାୟକ,ଅକ୍ଷୟ ମହାନ୍ତି, ନୃସିଂହ ମିଶ୍ର, ନଗେନ୍ଦ୍ର ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବିଜୟା ମିଳନ ସାଂସ୍କୃତିକ ଭାବବିନିମୟ ସହିତ ଲେଖକ ମାନଙ୍କ ଭିତରେ ସୁସମ୍ପର୍କ ରକ୍ଷାର ଏକ ମାଧ୍ୟମ ବୋଲି କହିଥିଲେ । ସହସମ୍ପାଦକ ବୈକୁଣ୍ଠ ବିଶ୍ୱାଳ ମଂଚ ଆମନ୍ତ୍ରଣ, ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଓ ଗାୟକ ରୁଦ୍ର ମାଧବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶ୍ରୀ ମନୋଜ କୁମାର ଦାସ, ସଂଗ୍ରାମ ସାହୁ, ମନୋରଞ୍ଜନ ନାୟକ, ସମୀର କାନ୍ତ ଦାସ ପ୍ରମୁଖ ଉତ୍ସବ ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.