Home ଜିଲ୍ଲା ପରିକ୍ରମା ୪୦ ଟଙ୍କା ପାଇଁ ଦୋକାନୀକୁ ହତ୍ୟା ଘଟଣା, ନ୍ୟାୟ ପାଇଁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର...

୪୦ ଟଙ୍କା ପାଇଁ ଦୋକାନୀକୁ ହତ୍ୟା ଘଟଣା, ନ୍ୟାୟ ପାଇଁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା

13

ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମାତ୍ର ୪୦ ଟଙ୍କା ପାଇଁ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବା ଘଟଣାରେ ପୁଲିସ୍‌ର ଘଂଟଘୋଡା ନୀତି ବିରୁଦ୍ଧରେ ନ୍ୟାୟ ପାଇଁ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବାର ଲୋକଙ୍କ ଧାରଣା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ମୁତାବକ ଗତ ୫ ମାସ ତଳେ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଚରମ୍ପା ପଥରଆଡି ଛକରେ ଏକ ତେଜରାତି ଦୋକାନ କରିଥିବା ସାବରଙ୍ଗ ଥାନା ଅଧୀନସ୍ଥ ବଣିଆ ଗ୍ରାମର ବିଜୟ ପଣ୍ଡାଙ୍କୁ ସ୍ଥାନୀୟ ଅଂଚଳର କାମେଶ ପରିଡା ନାମକ ଯୁବକ ସଉଦା ନେବାକୁ ଆସି ସାମଗ୍ରୀ ମୂଲ୍ୟ ୧୮୦ ଟଙ୍କାରୁ ୧୪୦ ଟଙ୍କା ଦେଇ ପଳାଇ ଯାଉଥିଲେ । ବିଜୟ ଗ୍ରାହକ କାମେଶକୁ ବଳକା ୪୦ ଟଙ୍କା ମାଗିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ତାଙ୍କୁ ମାଡ ମାରିଥିବାର ଅଭିଯୋଗ ହୋଇଥିଲା । ଏବଂ ସେହି ମାଡରେ ବିଜୟ ଦୋକାନ ତଳେ ପଡିଯାଇଥିଲେ । ସ୍ଥାନୀୟ ଦୋକାନୀମାନେ ତାଙ୍କୁ ଭଦ୍ରକ ଡାକ୍ତରଖାନା ଆଣିଥିବାବେଳେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ତେବେ ଏହି ଘଟଣାରେ କାମେଶ ଫେରାର ହୋଇ ଉଚ୍ଚ ନ୍ୟାୟାଳୟରେ ଜାମିନ୍ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଯାଇଥିଲା । ଶେଷରେ ସେ ସର୍ବୋଚ୍ଚ ନ୍ୟାୟାଳୟରୁ ଅନ୍ତରୀଣ ଜାମିନ୍ ପାଇଥିଲେ । ଏବଂ ଜାମିନ୍‌ର ଅବଧି ସମାପ୍ତ ହୋଇଯାଇଥିଲେ ମଧ୍ୟ ପୁଲିସ୍ ତାଙ୍କୁ ପୂର୍ବରୁ ଗିରଫ କରିବାରେ ବିଫଳ ହୋଇଥିବାବେଳେ ଏବେ ମଧ୍ୟ କୋର୍ଟ ବିଜୟଙ୍କ ସପକ୍ଷରେ ଆଦେଶ ଦେଇଥିବା ସତ୍ୱେ କାମେଶ ସ୍ପଷ୍ଟ ଦିବାଲୋକରେ ବୁଲୁଥିଲେ ମଧ୍ୟ ପୁଲିସ୍ ଗିରଫ କରୁନାହିଁ । ଦାୟିତ୍ୱରେ ଥିବା ତଦନ୍ତ ଅଧିକାରୀମାନେ ତଦନ୍ତକୁ ବିଭ୍ରାନ୍ତ କରି ସାକ୍ଷୀମାନଙ୍କୁ ଡରାଇ, ଧମକାଇ ଅଭିଯୁକ୍ତଙ୍କୁ ଗିରଫ ନକରି ଓଲଟି ସହାୟତା କରୁଛନ୍ତି ବୋଲି ଆଜି ଧାରଣାରେ ବସିଥିବା ମୃତ ବିଜୟଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ସେମାନଙ୍କୁ ଉଚିତ୍ ନ୍ୟାୟ ନମିଳିଲେ ଆଗାମୀ ଦିନରେ ବିଧାନସଭା ସମ୍ମୁଖରେ ଧାରଣାରେ ବସିବା ସହ ସେମାନେ ସପରିବାର ଆତ୍ମାହୁତି ଦେବାର ଚେତାବନୀ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ସର୍ବୋଚ୍ଚ ନ୍ୟାୟାଳୟର ଆଦେଶକୁ ଭଦ୍ରକ ସହରାଂଚଳ ଥାନା ପୁଲିସ୍ କେବେ ପାଳନ କରି ଅଭିଯୁକ୍ତକୁ ଗିରଫ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.