Home ଜିଲ୍ଲା ପରିକ୍ରମା ୪୦ତମ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ, ଫାଇନ୍ ପାଇଁ ନୁହେଁ ଜୀବନ ପାଇଁ ହେଲମେଟ୍...

୪୦ତମ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ, ଫାଇନ୍ ପାଇଁ ନୁହେଁ ଜୀବନ ପାଇଁ ହେଲମେଟ୍ , ୩ଟି ‘ଇ’ ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ୱ

20

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଂଚଳିକ ପରିବହନ ଉପ ବିଭାଗ ଜରିଆରେ ସଦ୍‌ଭାବନା ସଭା ଗୃହରେ ୪୦ତମ ଜିଲ୍ଲା ସଡ଼କ ସୁରକ୍ଷା ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଜିଲ୍ଲାପାଳ ଦିଲୀପ୍ ରାଉତରାଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଭଦ୍ରକ ଏସ୍‌.ପି. ବରୁଣ ଗୁଂଟୁପାଲି, ଉପଜିଲ୍ଲାପାଳ ମନୋଜ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକ ତାଙ୍କ ପାଇଁ ପ୍ରଥମ ଥିଲା । ଦୁଇ ଚକିଆ ଯାନରେ ୩ଜଣ ବସିବା, ଫାଇନ୍‌ରୁ ବର୍ତିବା ପାଇଁ ପୋଲିସ୍ ଦେଖିଲେ ହେଲମେଟ୍ ପିନ୍ଧିବା ଓ ପରେ ମୁଣ୍ଡରୁ କାଢ଼ି ବ୍ୟାଗ୍‌ରେ ରଖିଦେବା, ସଡ଼କ ସୁରକ୍ଷା ନିୟମ ଅନୁପାଳନରେ ଆମେ କେତେ ବେଖିଆଲି ଦକ୍ଷିଣ କୋରିଆ ଗସ୍ତରେ ଜିଲ୍ଲାପାଳ ତାଙ୍କ ଅନୁଭୂତି ଓ ଅବତାରଣା ଆଧାରରେ ପ୍ରକାଶ କରିଥିଲେ । ଭଦ୍ରକ ଜିଲ୍ଲାରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମର ବାସ୍ତବ ଚିତ୍ର ସମୀକ୍ଷା କରିବାକୁ ଯାଇ ଜିଲ୍ଲାପାଳ କାର୍ଯ୍ୟସୂଚୀ ଅନୁଯାୟୀ ଆର.ଟି.ଓ. ରାମ ନିବାସ ସିର୍କାଙ୍କ ଦ୍ୱାରା ଉପସ୍ଥାପିତ ତଥା ଆଧାରରେ ଟିକିନିଖି ସମୀକ୍ଷା କରିଥିଲେ । ବିଗତ ଦୁଇ ବର୍ଷରେ ଭଦ୍ରକ ଜିଲ୍ଲାରେ ହୋଇଥିବା ସଡ଼କ ଦୁର୍ଘଟଣାର ତୁଳନାତ୍ମକ ତଥ୍ୟକୁ ତନଖିବା ସହ ଗତ ବୈଠକର ନିଷ୍ପତି କାର୍ଯ୍ୟକାରୀତା, ଶିକ୍ଷା ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଜରୁରୀକାଳୀନ ସେବା, ଗୃହ ଓ ନଗର ଉନ୍ନୟନ ବିଭାଗ, ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଦ୍ୱାରା ହେବାକୁ ଥିବା କାର୍ଯ୍ୟକ୍ରମ ଉପରେ ଜିଲ୍ଲାପାଳ ଆଲୋକପାତ କରିଥିଲେ । ବୈଠକରେ ପ୍ରଦତ ବର୍ଷୱାରୀ ତୁଳନାତ୍ମକ ସଡ଼କ ଦୁର୍ଘଟଣା ତଥ୍ୟ ଅନୁଯାୟୀ ବିଗତ ଦୁଇବର୍ଷ ତୁଳନାରେ ଅଗଷ୍ଟ ସୁଦ୍ଧା ଚଳିତ ବର୍ଷର ଦୁର୍ଘଟଣା ଓ ମୃତ୍ୟୁ ହାର ଅପେକ୍ଷାକୃତ କମ୍ ଥିଲେ ବି ଆଶାଜନକ ହ୍ରାସ ଘଟି ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏଥିପାଇଁ ସଡ଼କ ସୁରକ୍ଷାରେ ପ୍ରମୁଖ ଭୂମିକା ରଖୁଥିବା ୩ଟି ‘ଇ’ର ଗୁରୁତ୍ୱ କଥା ବୁଝାଇଥିଲେ । ଏଜୁକେଶନ ଅର୍ଥାତ୍ ଶିକ୍ଷା, ଏନ୍‌ଫୋର୍ସମେଣ୍ଟ ବା ଧରପଗଡ଼ ଓ ଇଞ୍ଜିନିୟରିଂ ବା ରାସ୍ତା ନିର୍ମାଣରେ ତ୍ରୁଟି ସୁଧାର ଉପରେ ପ୍ରାଧାନ୍ୟ ଦିଆଗଲେ ସଡ଼କ ସୁରକ୍ଷା ରେ ସଫଳତା ମିଳିବ ବୋଲି ସେ ପ୍ରକାଶ କରିଥିଲେ । ଶିକ୍ଷା ସଚେତନତା ବୃଦ୍ଧି ପାଇଁ ସ୍କୁଲ ସ୍ତରରେ ଉଦ୍ଦିଷ୍ଟ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶନ, ସଡ଼କ ସୁରକ୍ଷା ନେଇ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଇ ଆଗାମୀ ଶିଶୁ ଦିବସ ପାଳନ ଅବସରରେ ପୁରସ୍କୃତ କରିବାକୁ ଡ଼ିଇଓଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଗତ ୩୯ତମ ସଡ଼କ ସୁରକ୍ଷା ବୈଠକ ବିବରଣୀର ସମୀକ୍ଷା ଆଧାରରେ ସଂପୃକ୍ତ ବିଭାଗ ଦ୍ୱାରା କାର୍ଯ୍ୟ ସମ୍ପାଦନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ଆଦେଶ ପ୍ରଦାନ କରିଥିଲେ । ବନ୍ତ ଛକରୁ ବସନ୍ତିଆ ପର୍ଯ୍ୟନ୍ତ ରାସ୍ତାରେ ଥିବା ଅତ୍ୟଧିକ ଉଚ୍ଚତା ବିଶିଷ୍ଟ ହମ୍ପସ୍‌ର ଉଚ୍ଚତା କମାଇବା ପାଇଁ କମିଟି ସଦସ୍ୟ ସମ୍ବାଦିକ ରୋଟାରିଆନ୍ ଅତିସ୍ ବେହେରାଙ୍କ ଦାବୀ ବାରମ୍ବାର ଉପସ୍ଥାପନ ପରେ ବି କାର୍ଯ୍ୟ ନହେବା ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ପ୍ରକାଶ କରିଥିଲେ । ଅନ୍ୟତମ କମିଟି ସଦସ୍ୟ ବସ୍ ସିଣ୍ଡିକେଟ୍ ସଭାପତି ଶ୍ରୀନିବାସ ପତି ଜାତୀୟ ରାଜପଥରେ ଆଲୁଅ ନଜଳିବା, ଭଦ୍ରକ ସହର, ଆଖଣ୍ଡଳ ମଣି ମନ୍ଦିର ଆଦିକୁ ରାସ୍ତା ସମ୍ବନ୍ଧୀୟ ଫଳକ ନଲଗାଯିବା, ଆରଡ଼ି.ଛକ ରାସ୍ତା ଓ ବିଷ୍ଣୁପୁର ଠାରେ ନିର୍ମାଣଧୀନ ଫ୍ଲାଇ ଓଭର ବ୍ରିଜ୍ ସମ୍ପୁର୍ଣ୍ଣ ନହେବା ଆଦି ସମସ୍ୟାର ସମାଧାନ ପାଇଁ ବୈଠକରେ ଉପସ୍ଥିତ ଜାତୀୟ ରାଜପଥ ଅଧୀକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଅଜଣା ଯାନ ବାହାନ ଦ୍ୱାରା ଧକ୍କା ଯୋଗୁଁ (ହିଟ୍ ଆଣ୍ଡ ରନ୍‌) ଦୁର୍ଘଟଣା ମାମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ମିଳିବା ଏବଂ ଦୁର୍ଘଟଣା ପୀଡ଼ିତ ବ୍ୟକ୍ତିଙ୍କୁ ଡ଼ାକ୍ତରଖାନାରେ ପହଂଚାଇଥିବା ଲୋକଙ୍କ ବିରୁଦ୍ଧରେ ପୋଲିସ୍ କେଶ୍ କରାନଯାଇ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ ଭଳି ଗୁଡ଼ ସମାରିଟାନ୍ ନୀତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଅନ୍ୟତମ କମିଟି ସଦସ୍ୟ ରବିନାରାୟଣ ଖିଲାରଙ୍କ ସହ ସଂପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ । ଆର.ଟି.ଓ. କାର୍ଯ୍ୟାଳୟର ଅଧିକାରୀ ଆସିଷ୍ଟାଂଟ ଆର୍‌.ଟି.ଓ. ଶ୍ରୀକାନ୍ତ ଦାସ, ଜୁନିୟର ଆସିଷ୍ଟାଂଟ ଟ୍ରାନସ୍‌ପୋର୍ଟ ବିଶ୍ୱଜିତ ଲେଙ୍କା, କର୍ମଚାରୀ ୱାସିମ୍ ଅଖତର ଖାନ୍ ଏହି ବୈଠକ ଆୟୋଜନ ଓ ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.