Home ଜିଲ୍ଲା ପରିକ୍ରମା ୪୦ଟି ଅନୁସୂଚିତ ଜାତି ପରିବାରକୁ ସାମାଜିକ ବାସନ୍ଦ : ମାନବିକ ଅଧିକାର କମିଶନ ହସ୍ତକ୍ଷେପ ଦାବିକଲା...

୪୦ଟି ଅନୁସୂଚିତ ଜାତି ପରିବାରକୁ ସାମାଜିକ ବାସନ୍ଦ : ମାନବିକ ଅଧିକାର କମିଶନ ହସ୍ତକ୍ଷେପ ଦାବିକଲା ସମାଜବାଦୀ ପାର୍ଟି

124

ଭୁବନେଶ୍ୱର, ୨୩-୮ (ଓଡ଼ିଆ ପୁଅ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସବ୍‌ଡିଭିଜନ୍‌ର ତୁମୁସିଙ୍ଘା ଥାନା ଅନ୍ତର୍ଗତ କଣ୍ଟିଓ କାଟେଣି ଗ୍ରାମର ୪୦ଟି ଅନୁସୂଚିତ ଜାତି ପରିବାରକୁ ସାମାନ୍ୟ ଫୁଲତୋଳାକୁ କେନ୍ଦ୍ରକରି ଗତ ୪ ମାସ ହେଲା ନିଆଁପାଣି, ରାସ୍ତାଘାଟ ବନ୍ଦ କରାଯାଇଛି। ଏଭଳିକି ବ୍ୟାଙ୍କ ଯିବା ମନା, ବିବାହ ଓ ମଲା ମୃର୍ତ୍ତିକିଆରେ ଗାଁ ଦାଣ୍ଡରେ ଶୋଭାଯାତ୍ରା କିମ୍ବା ଶବ ଯିବା ମନା, ଦୋକାନୀ ଏହି ଅନୁସୂଚିତ ପରିବାରକୁ ସଉଦା ଦେଉନାହିଁ, ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ସେମାନଙ୍କୁ କାମ ମିଳୁନାହିଁ, ଗାଁ ଲୋକଙ୍କର ଜମି ଭାଗ କରିବାକୁ ମଧ୍ୟ ମନା କରାଯାଇଛି। ଏପରିକି ପିଡିଏସ୍ ଚାଉଳ, କିରୋସିନି ଓ ଗହମ ମଧ୍ୟ ଦେବାପାଇଁ ସ୍ଥାନୀୟ ଡିଲର ଏହି ପରିବାରଗୁଡ଼ିକୁ ମନା କରିଦେଇଛନ୍ତି। ସାମାଜିକ ବାସନ୍ଦ ଅସହ୍ୟ ହେବାପରେ ଏହି ଅନୁସୂଚିତ ପରିବାରଗୁଡ଼ିକ ପକ୍ଷରୁ ତୁମୁସିଙ୍ଘା ଥାନାରେ ୧୭ ତାରିଖ ଦିନ ଏତଲା ଦାୟର କରାଯାଇଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ଥାନା ଅଧିକାରୀ ନିରବ, କାମାକ୍ଷାନଗର ଏସ୍‌-ଡି-ପି-ଓ ନିସ୍କ୍ରିୟ ଏବଂ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ସାଜିଛି। ଫଳରେ ଆଜି ସମାଜବାଦୀ ପାର୍ଟି ରାଜ୍ୟ କମିଟି ପକ୍ଷରୁ ପାର୍ଟି ସଭାପତି ରବି ବେହେରା ଓ ସମ୍ପାଦକ ସୁଦର୍ଶନ ପ୍ରଧାନ ପ୍ରମୁଖ ରାଜ୍ୟ ମାନବିକ ଅଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମ୍ବିଧାନର ଧାରା ୧୭ ଅନୁଯାୟୀ ଛୁଆ ଅଛୁଆଁ ଭେଦଭାବକୁ ଆମ ସମ୍ବିଧାନରେ ବେଆଇନ୍ ଓ ଧର୍ତ୍ତବ୍ୟ ଅପରାଧ ଭାବରେ ଗଣାଯାଉଥିଲେ ହେଁ ଆଜି ସାମାନ୍ୟ ଫୁଲତୋଳାକୁ କେନ୍ଦ୍ରକକରି ଏଭଳି ଘଟଣା ଘଟିବା ଅତ୍ୟନ୍ତ ଦୁଃଖଦାୟକ। ଦେଶରେ ଅନୁସୂଚିତ ଜାତିମାନଙ୍କୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ୧୯୩୪ ମସିହାରେ ମହାତ୍ମା ଗାନ୍ଧୀ “ହରିଜନ ପଦଯାତ୍ରା” ଆରମ୍ଭ କରିଥିଲେ। ଆଜି ଯେତେବେଳେ ଗାନ୍ଧିଜୀଙ୍କର ୧୫୦ତମ ଜନ୍ମବାର୍ଷିକୀ ଆମ୍ଭେ ପାଳନ କରୁଛେ ସେ ସମୟରେ ଏହି ଅନୁସୂଚିତ ଜାତିର ଲୋକମାନଙ୍କୁ ନିଆଁପାଣି ବନ୍ଦ କରିବା ଗଭୀର କ୍ଷୋଭର ବିଷୟ ବୋଲି ସମାଜବାଦୀପାର୍ଟି ରାଜ୍ୟ ସଭାପତି ରବି ବେହେରା ଅଭିଯୋଗ କରିଛନ୍ତି। ରାଜ୍ୟ ସରକାର ତୁରନ୍ତ ଘଟଣାର ହସ୍ତକ୍ଷେପ କରି ଢେଙ୍କାନାଳ ଜିଲ୍ଲା ପ୍ରଶାସନକୁ ଆଇନ୍ ଅନୁଯାୟୀ ବିହିତ ପଦକ୍ଷେପ ନେବାପାଇଁ ଶ୍ରୀ ବେହେରା ଚେତେଇ ଦେଇଛନ୍ତି। ତା’ ନହେଲେ ଏହିଭଳି ଘଟୁଥିବା ସାମାଜିକ ବିଶୃଙ୍ଖଳାକୁ ନେଇ ସମାଜବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ। ଢେଙ୍କାନାଳ ଘଟଣା ଆମ ସାମାଜିକ ଜୀବନରେ ଥିବା ବୈଷମ୍ୟ, ଘୃଣା ଓ ସମାଜର ବିକାଶର ଶେଷ ପାହାଚରେ ଥିବା ଲୋକଙ୍କ ପ୍ରତି ଏକ ପ୍ରତିଫଳନ ଓ ମାନବିକ ଅଧିକାରର ନଗ୍ନ ଉଲ୍ଲଙ୍ଘନ ବୋଲି ରାଜ୍ୟ ମାନବିକ ଅଧିକାର କମିଶନଙ୍କୁ ଦିଆଯାଇଥିବା ଏହି ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ମାନ୍ୟବର କମିଶନ ଏହି ୪୦ଟି ପରିବାରକୁ ଆଇନ୍ ସମ୍ମତ ସାମ୍ବିଧାନିକ ନ୍ୟାୟ ଦେବାପାଇଁ ଏଥିରେ ପ୍ରାର୍ଥନା କରାଯାଇଛି। ରାଜ୍ୟରେ ଏହିଭଳି ବଢିଚାଲିଥିବା ସାମାଜିକ ବୈଷମ୍ୟ ବିରୁଧରେ ଗାନ୍ଧିଜୀଙ୍କ ୧୫୦ତମ ଜନ୍ମଜୟନ୍ତୀ ଅବସରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଏଥିରେ କୁହାଯାଇଛି। ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.