Home ଜିଲ୍ଲା ପରିକ୍ରମା ୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ,ଇଷ୍ଟକୋଷ୍ଟ ଖୋର୍ଦ୍ଧା ଓ ରାଇଜିଂ ଷ୍ଟୁଡେଂଟ...

୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଂଟ,ଇଷ୍ଟକୋଷ୍ଟ ଖୋର୍ଦ୍ଧା ଓ ରାଇଜିଂ ଷ୍ଟୁଡେଂଟ ବିଜୟୀ

21

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚରମ୍ପା ରେଲେୱ ପଡ଼ିଆରେ ଚାଲିଥିବା ଅଲ୍ ଓଡ଼ିଶା ୪ର୍ଥ ମହାବୀର କପ୍ ରାଜେଶ ବଳ ମେମୋରିଆଲ କ୍ରିକେଟ୍ ଟୁର୍ଣାର୍ମେଂଟର ଦ୍ୱିତୀୟ ଦିବସରେ ୨ଟି ମ୍ୟାଚ ଖେଳା ଯାଇଥିଲା। ପ୍ରଥମ ମ୍ୟାଚରେ ଖୋର୍ଦ୍ଧା ଇଷ୍ଟକୋଷ୍ଟ ରେଲେୱ ଦଳ ଯାଜପୁର ଇଲେଭେନ୍ ଷ୍ଟାର ଦଳକୁ ୬ ଉଇକେଟରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ କଟକର ରାଇଜିଂ ଷ୍ଟୁଡେଂଟ ଦଳ କଟକର ଜୁଭେନାଇଲ ଦଳକୁ ୩ ଉଇକେଟରେ ପରାଜିତ କରିଛି। ଚରମ୍ପା ରେଲେୱ ଗ୍ରାଉଣ୍ଡରେ ଚାଲିଥିବା ଏହି ଟୁର୍ଣାମେଂଟର ଦ୍ୱିତୀୟ ଦିନର ପ୍ରଥମ ମ୍ୟାଚରେ ରେଲେୱ ଦଳ ଟସ୍ ଜିତି ଫିଲ୍ଡ଼ିଂ କରିଥିଲା। ଯାଜପୁର ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୪୧ ରନ କରିଥିଲା। ଦଳ ପକ୍ଷରୁ ଆତିଫ୍ ଗୁଲ୍ଜାର ୩୨ ରନ୍ କରିଥିବା ବେଳେ ସରତାଜ୍ ୨୮ ରନ କରିଥିଲେ। ଇଷ୍ଟକୋଷ୍ଟ ରେଲେୱ ଦଳ ପକ୍ଷରୁ ମଳୟ କୁମାର ଜେନା ଓ ଜୟନ୍ତ କୁମାର ବେହେରା ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ। ଦ୍ୱିତୀୟାର୍ଦ୍ଧରେ ଇଷ୍ଟକୋଷ୍ଟ ଦଳ ବ୍ୟାଟିଂ କରି ୧୩.୪ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ୧୪୨ ରନ୍ ହାସଲ କରି ମ୍ୟାଚ ଜିତିଥିଲା। ଦଳ ପକ୍ଷରୁ ଅଭିଷେକ କୁମାର ଯାଦବ ୪୪ ଓ ଗିରିଜା ରାଉତ ୩୮ ରନ କରିଥିଲେ। ଯାଜପୁର ପକ୍ଷରୁ ରଜନୀକାନ୍ତ ଦାସ ୨ଟି ଓ ସ୍ୱରାଜ ଚୌଧୁରୀ ଗୋଟିଏ ଉଇକେଟ ନେଇଥିଲେ। ମ୍ୟାନ ଅଫ୍ ଦି ମ୍ୟାଚ୍ ଭାବେ ଅଭିଷେକ କୁମାର ଯାଦବଙ୍କୁ ବିବେଚିତ କରାଯାଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚରେ କଟକର ଜୁଭେନାଇଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୧୯.୪ ଓଭରରେ ୧୨୮ ରନ୍ କରି ସମସ୍ତ ଖେଳାଳୀ ଆଉଟ ହୋଇ ଯାଇଥିଲେ। ଦଳ ପକ୍ଷରୁ ରାମଚନ୍ଦ୍ର ବେହେରା ୨୮ ରନ୍ ଓ ବାଦଲ କୁମାର ମଲ୍ଲିକ ୨୫ରନ୍ କରିଥିଲେ। ରାଇଜିଂ ଷ୍ଟୁଡେଂଟ ପକ୍ଷରୁ ପ୍ରଜ୍ୱଳ ଲାହା ଓ ବିଶ୍ୱଜିତ୍ ମହାପାତ୍ର ୨ଟି ଲେଖାଏଁ ଉଇକେଟ ନେଇଥିଲେ। ୧୨୯ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାଇଜିଂ ଷ୍ଟୁଡେଂଟ ଦଳ ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ୭ଉଇକେଟ ହରାଇ ୧୩୦ ରନ କରି ବିଜୟ ହାସଲ କରିଥିଲା। ବିଶ୍ୱଜିତ୍ ମୁଖାର୍ଜୀ ୫୨ ରନ୍ ଓ ରାକେଶ ୨୫ ରନ କରିଥିଲେ। ବିଶ୍ୱଜିତ୍ ମୁଖାର୍ଜୀଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ମ୍ୟାଚ୍ରେ ଅତିଥି ଭାବେ ଭଦ୍ରକ ଜିଆର୍ପି ପପୁ ନାୟକ ଯୋଗ ଦେଇ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚକୁ ଅମ୍ପାୟାର ଭାବେ ଦେବବ୍ରତ ଦାଶ ଓ ସତ୍ୟବ୍ରତ ଜେନା ପରିଚାଳନା କରିଥିବା ବେଳେ ରାଜେଶ ନାୟକ ମ୍ୟାଚ୍ ରେଫେରୀ ଓ କରନ ଖାନ୍ ସ୍କୋରର୍ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.