Home ଓଡ଼ିଶା ୩୫ ବର୍ଷର ସ୍ୱାସ୍ଥ୍ୟ କେନ୍ଦ୍ର ଦିନରେ ୪ଘଣ୍ଟା ଖୋଲା-ପ୍ରାଥମିକ ଚିକିତ୍ସାରୁ ବଂଚିତ

୩୫ ବର୍ଷର ସ୍ୱାସ୍ଥ୍ୟ କେନ୍ଦ୍ର ଦିନରେ ୪ଘଣ୍ଟା ଖୋଲା-ପ୍ରାଥମିକ ଚିକିତ୍ସାରୁ ବଂଚିତ

414

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୮/୦୫-ରାଜ୍ୟ ସରକାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପ୍ରାଧାନ୍ୟ ଦେଉଥିବା ବେଳେ ଏକ ୩୫ ବର୍ଷର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଯାହାକି ଦିନରେ ୪ ଘଣ୍ଟା ଖୋଲା ରହେ । ଯାହା ଫଳରେ ଅନ୍ୟ ୨୦ ଘଣ୍ଟା ଜନ ସାଧାରଣ ପ୍ରାଥମିକ ଚିକିତ୍ସାରୁ ବଂଚିତ ହେଉଛନ୍ତି । ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ମୟୁରଝାଲିଆ ଗ୍ରାମରେ ଦୀର୍ଘ ୩୫ ବର୍ଷ ହେଲା ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିଛି । ଯେଉଁ ସ୍ୱାସ୍ଥ୍ୟ କେନ୍ଦ୍ରକି ସକାଳ ବେଳା ୨ଘଣ୍ଟା ଖୋଲା ରହେ ଓ ଉପରବେଳା ୨ଘଣ୍ଟା ଖୋଲା ରହେ । ଜଣେ ଆୟୁଷ ଡାକ୍ତର, ୨ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଓ ଜଣେ ସୁଇପର୍ କୁ ନେଇ ଚାଲିଛି ସ୍ୱାସ୍ଥ୍ୟ କେନ୍ଦ୍ର । ମୟୁରଝାଲିଆ, ଝାରପଡା ଓ ଜଙ୍କିଆ ୩ ଗୋଟି ପଂଚାୟତ ବାସୀ ପ୍ରାଥମିକ ଚିକିତ୍ସା ପାଇଁ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଯେଉଁ କର୍ମଚାରୀ ମାନେ କାର୍ଯ୍ୟ କରୁଛନ୍ତି ସେମାନେ ସରକାରୀ କ୍ୱାର୍ଟର ଥିଲେ ସୁଦ୍ଧା କ୍ୱାର୍ଟର ରେ ନ ରହି ନିଜ ଘରୁ ଯିବା ଆସିବା କରୁଛନ୍ତି ।
ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ସୁରେନ୍ଦ୍ରନାଥ କଳସ କୁହନ୍ତି ଯେ ପ୍ରଶାସନିକ ଇଛା ଶକ୍ତିର ଅଭାବ ଯୋଗୁଁ ଦୀର୍ଘ ୩୫ ବର୍ଷର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମସ୍ୟା ଘରରେ ରହିଅଛି । ପ୍ରଶାସନିକ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଡାକ୍ତର ନିଯୁକ୍ତି ପାଇଁ ଅନୁରୋଧ କରିଛନ୍ତି ।
ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କେ ସ୍ଥାନୀୟ ସରପଂଚ ଛବିରାଣୀ ବିଶୋଇଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଜଣେ ଭଲ ଡାକ୍ତର ନଥିବାରୁ ଲୋକମାନେ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଭରଷା କରିପାରୁ ନାହାନ୍ତି । କର୍ମଚାରୀମାନେ ସରକାରୀ କ୍ୱାର୍ଟର ରେ ରହିବା ସାଙ୍ଗକୁ ଜଣେ ଭଲ ଡାକ୍ତର ନିଯୁକ୍ତି ଦେଲେ ଅଂଚଳବାସୀ ଉପକୃତ ହେବେ ।
ସମସ୍ୟା ସମ୍ପର୍କେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ବୈଦ୍ୟନାଥ ନନ୍ଦଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ମୟୁରଝାଲିଆ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୁବ୍ ଅଳ୍ପଦିନ ହେଲା ଏକ ଡାକ୍ତର ନିଯୁକ୍ତି ହୋଇଛନ୍ତି । କିନ୍ତୁ ସେ ଭୁବନେଶ୍ୱର ରେ କୋଭିଡ୍‌-୧୯ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ତେଣୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିପାରୁ ନାହାନ୍ତି । ସ୍ଥାନୀୟ ବାସିନ୍ଦା ମାନେ ଡାକ୍ତରଖାନାର ସମସ୍ୟା ଯୋଗୁଁ ପ୍ରାଥମିକ ଚିକିତ୍ସାରୁ ବଂଚିତ ହେଉଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.