ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ କିଛିଦିନ ତଳେ ଭଦ୍ରକ ଜିଲାର ଏକ ବାଇକ୍ ଚାନ୍ଦବାଲି ଥାନା ଅଂଚଳରେ ରହିଥିବାବେଳେ କେନ୍ଦୁଝର ପୁଲିସ୍ ପକ୍ଷରୁ ଚାଲାଣ କଟାଯାଇ ଜରିମାନାର ମେସେଜ୍ ସଂପୃକ୍ତ ବାଇକ୍ ମାଲିକଙ୍କ ନିକଟକୁ ପଠାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଆଜି ସେହିଭଳି ଏକ ଘଟଣାର ଏକ ପୁନରାବୃତ୍ତି ହୋଇଛି । ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ଦୋଳସାହି-କୁବେରା ଗ୍ରାମନିବାସୀ ପ୍ରଦୀପ କୁମାର କର ସହୀଦନଗର ସ୍ଥିତ ସହୀଦସ୍ମୃତି ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ଅଧ୍ୟାପକ ଅଟନ୍ତି । କୋଭିଡ୍-୧୯ କଟକଣା ଯୋଗୁଁ ସେ ଦୁଇମାସ ହେବ ନିଜ ଘରେ ରହିଆସୁଛନ୍ତି । ତାଙ୍କର ପୁତ୍ର ସନ୍ଦୀପ କୁମାର କର ଦୀର୍ଘଦିନ ହେବ ଭୁବନେଶ୍ୱରସ୍ଥିତ କିଟ୍ରେ ଚାକିରୀ କରିଆସୁଛନ୍ତି । ଇତିମଧ୍ୟରେ ସନ୍ଦୀପ ନିଜ ଘରକୁ ଆସିନଥିବାବେଳେ ଏବଂ ତାଙ୍କ ପିତା ଅଧ୍ୟାପକ ପ୍ରଦୀପ କର ଚାରିଚକିଆ ଗାଡି ଚାଳଣା ଶିଖିନଥିବାବେଳେ ଗତ ୨୫ ତାରିଖ ଦିନ ତାଙ୍କର ଓଡ଼ି-୨୨ପି-୫୨୧୯ ହୋଣ୍ଡାଇ ଆଇି-୧୦ ସ୍ପୋର୍ଟସ ଗାଡିକୁ ୩ ହଜାର ଟଙ୍କାର ଜରିମାନାର ଚାଲାଣ ଭଦ୍ରକ ଟ୍ରାଫିକ୍ ପୁଲିସ୍ ପକ୍ଷରୁ ପଠାଯାଇଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶ୍ରୀ କର । ଏବଂ ଏହି ଘଟଣା ନେଇ ସେ ଆସନ୍ତାକାଲି ଥାନାରେ ଅଭିଯୋଗ ପତ୍ର ଦେଉଥିବାର ଜଣାପଡିଛି ।