Home ଜିଲ୍ଲା ପରିକ୍ରମା ୨ ବର୍ଷ ପରେ ରୋଗୀ କଲ୍ୟାଣ ସମିତି ବୈଠକ ବସିଲା

୨ ବର୍ଷ ପରେ ରୋଗୀ କଲ୍ୟାଣ ସମିତି ବୈଠକ ବସିଲା

12

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୁଇବର୍ଷ ପରେ ରୋଗୀ କଲ୍ୟାଣ ସମିତିର ବୈଠକ ଆଜି ବସିଛି। ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ରୋଗୀ କଲ୍ୟାଣ ସମିତିର ଅଧ୍ୟକ୍ଷ ତଥା ଭଦ୍ରକ ଭଦ୍ରକ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ, ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଚାନ୍ଦବାଲି ବିଧାୟକ ପ୍ରତିନିଧି ଅଶୋକ ବଳ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠିତ ଏହି ବୈଠକରେ ଗେଲପୁରସ୍ଥିତ ୩ ଶହ ଶଯ୍ୟା ବିଶିଷ୍ଟ ନୂଆ ମେଡିକାଲର କାର୍ଯ୍ୟକାରିତା ନେଇ ଅଧ୍ୟକ୍ଷ ଶ୍ରୀ ଗୁରୁତ୍ୱ ଦେଇଥିଲେ। କେଉଁ କାରଣରୁ ଏତେ ବିଳମ୍ବ ଘଟୁଛି, ଏନେଇ ପ୍ରଶ୍ନ ଉଠାଇଥିଲେ। ସ୍ଥାନାନ୍ତର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଆନୁସଙ୍ଗିକ ପଦକ୍ଷେପମାନ ନେଇ ଶୀଘ୍ର କାର୍ଯ୍ୟ କରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଜିଲା ସଦର ମହକୁମା ହସ୍‌ପିଟାଲରେ ଡାକ୍ତର ଅଭାବ ନେଇ ଆଲୋଚନା ହୋଇଥିଲା। ହେଡ୍‌କ୍ୱାର୍ଟର ହସ୍‌ପିଟାଲରେ ଆବଶ୍ୟକ ଥିବା ୧୭୧ ଡାକ୍ତର ମଧ୍ୟରୁ ମାତ୍ର ୪୪ ଜଣ ଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏତେ କମ୍ ସଂଖ୍ୟକ ଡାକ୍ତରଙ୍କୁ ନେଇ ନୂଆ ମେଡିକାଲ କିଭଳି ଚାଲିବ, ଏନେଇ ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହାବ୍ୟତୀତ ଡାଇଲେସିସ୍ ବଢାଇବା, ପୁରୁଣା ହସ୍‌ପିଟାଲରେ ବାରମ୍ବାର ଘଟୁଥିବା ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ସୁରକ୍ଷା ବ୍ୟବସ୍ଥା, ପରିମଳ ବ୍ୟବସ୍ଥା ଓ ରୋଗୀସେବା ଓ ଖାଦ୍ୟପେୟ ବ୍ୟବସ୍ଥାର ସୁପରିଚାଳନା କରିବା ପାଇଁ ସାଂସଦ ଶ୍ରୀ ସେଠୀ ପରାମର୍ଶ ଦେଇଥିଲେ। ଏହାବ୍ୟତୀତ ନିର୍ମଳା ଅଧୀନରେ ଟେଣ୍ଡର ପ୍ରକ୍ରିୟାକୁ ୧୫ ଦିନ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆହାର କେନ୍ଦ୍ର ଖୋଲିବା, ନୂଆ ମେଡିକାଲରେ ଏକ ସ୍ଥାୟୀ ପୁଲିସ୍ ଫାଣ୍ଡି ଖୋଲିବା, ଷ୍ଟାଫ କ୍ୱାର୍ଟର ନିମନ୍ତେ ଶୀଘ୍ର ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିବା ସହ ଡାକ୍ତରଖାନା ଗୁଡିକୁ ପରିଷ୍କାର ପରିଚ୍ଛନ୍ନ କରିବା ସହ ରକ୍ଷଣାବେକ୍ଷଣ ଉପରେ ନଜର ଦେବାକୁ ବିଭାଗୀୟ କର୍ତୃପକ୍ଷଙ୍କୁ କୁହାଯାଇଥିଲା। ଏହାବ୍ୟତୀତ ଗ୍ରାମାଂଚଳ ଡାକ୍ତରଖାନା ମାନଙ୍କରେ ନୂଆ ଡାକ୍ତରମାନେ ଜଏନ୍ କରି ଛୁଟିରେ ପଳାଇ ଯାଉଥିବା ଓ ଅନୁପସ୍ଥିତି ରହିବା କାରଣରୁ ରୋଗୀସେବା ବାଧାପ୍ରାପ୍ତ ଘଟୁଥିବାର ଭଦ୍ରକ ବିଧାୟକ ଶ୍ରୀ ମହାପାତ୍ର ଦୃଷ୍ଟି ଆକର୍ଷଣ କରିଥିଲେ। ଏ ବାବଦରେ ଆବଶ୍ୟକ ପଦକ୍ଷେପ ନେବାକୁ ସିଡିଏମ୍‌ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରୋଗୀଙ୍କ ଅତି ଜରୁରୀ ସେବା କ୍ଷେତ୍ରରେ ରୋଗୀ କଲ୍ୟାଣ ସମିତି ତରଫରୁ ଆମ୍ବୁଲାନ୍ସ ୨ଟିର ବ୍ୟବସ୍ଥା କରାଯିବା ନେଇ ଆଲୋଚନା ହୋଇଥିଲା। ନିର୍ମଳା ଅଧୀନରେ କାର୍ଯ୍ୟ କରୁଥିବା ଆଉଟ୍‌ସୋର୍ସିଂ ସଂସ୍ଥାମାନ ଠିକ୍ ଭାବରେ ଷ୍ଟାଫ୍ ନଦେଉଥିବାରୁ ରୋଗୀସେବା ବାଧାପ୍ରାପ୍ତ ଘଟୁଛି। ଏହାବ୍ୟତୀତ ଆସନ୍ତା ବର୍ଷା ଓ ବନ୍ୟାକୁ ଦୃଷ୍ଟିରେ ରଖି ସାପ କାମୁଡା ଇଞ୍ଜେକସନକୁ ବିପୁଳ ପରିମାଣରେ ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଦିଲ୍ଲୀପ ରାଉତରାୟ, ସିଡିଏମ୍‌ଓ ଡାକ୍ତର ସୁଧାଂଶୁ ବଳ, ଅତିରିକ୍ତ ଏଡିଏମ୍‌(ମେଡିକାଲ) ମୀନକେତନ ମହାନ୍ତି, ଡିପିଏମ୍ ବନବିହାରୀ ମିଶ୍ର, ହସ୍‌ପିଟାଲ ମ୍ୟାନେଜର ସମୀର ରଂଜନ ମହାପାତ୍ର ଓ ନିବେଦିତା ନନ୍ଦଙ୍କ ସମେତ ପିଏଚ୍‌ଇଡି, ଆର ଏଣ୍ଡ ବି, ଜିଇଡି, ଟିପିଏନ୍‌ଓଡିଏଲ୍ ଆଦି ଲାଇନ୍ ଡିପାର୍ଟମେଂଟମାନେ ବୈଠକରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.