ପୁରୀ, ୧୧/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗତକାଲି ଶ୍ରୀମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଚଳିତ ମାସ ୨୧ ତାରିଖରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଆଉ କୋଭିଡ଼ ନେଗେଟିଭ ସାର୍ଟିଫିକେଟ ଦେଖାଇବାକୁ ପଡ଼ିବନାହିଁ ବୋଲି ନିଷ୍ପତ୍ତି ହେବା ପରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଛି। ଚଳିତ ମାସ ୩ ତାରିଖରୁ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ କୋଭିଡ଼ ନେଗେଟିଭ ସାର୍ଟିଫିକେଟ ଦେଖେଇବା ବାଧ୍ୟତାମୂଳକ ହୋଇଥିବା ଯୋଗୁଁ ଅନେକ ଶ୍ରଦ୍ଧାଳୁ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିନପାରି ଦୁଃଖରେ ଫେରିବାପାଇଁ ବାଧ୍ୟ ହେଉଥିଲେ। ଚଳିତ ମାସ ୨୧ ତାରିଖରୁ ଆଉ କୋଭିଡ଼ ନେଗେଟିଭ ପ୍ରମାଣ ପତ୍ର ଦେଖାଇବା ପ୍ରତ୍ୟାହର ପରେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁ ଭକ୍ତମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ରତ୍ନସିଂହାସନରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ। ଭକ୍ତମାନେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରି ବ୍ୟାରିକେଟ ମଧ୍ୟରେ ଧାଡ଼ିରେ ଯାଇ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।