Home Top News ୨୦୨୪ ରେ ଘାତକ ସାଜିପାରେ ପ୍ରଶାସନିକ ଶାସନ !

୨୦୨୪ ରେ ଘାତକ ସାଜିପାରେ ପ୍ରଶାସନିକ ଶାସନ !

80

୨୦୨୩ ମସିହା କହିବାକୁ ଗଲେ ନିର୍ବାଚନ ବର୍ଷ। ତେଣୁ ସବୁ ରାଜନୈତିକ ଦଳ ପାଇଁ୨୦୨୩ ହେଉଛି ଗୁରୁତ୍ୱପୂର୍ଣ୍ଣ। ଏବେ ଠାରୁ ସାଂଗଠନିକ ତାପ୍ତର୍ଯ୍ୟ ବହୂତ ମହତ୍ୱ ରଖେ। ତେଣୁ ଲୋକଙ୍କ ପାଖକୁ ପହଁଚିବାକୁ ବିଭିନ୍ନ ଦଳ ଭିନ୍ନ ଭିନ୍ନ ମାଧ୍ୟମ ଆପଣାଇବା ଆରମ୍ଭ କଲାଣି। ସେହି କ୍ରମରେ ଓଡ଼ିଶାରେ ଶାସକ ବିଜେଡ଼ି, ମୁଖ୍ୟ ବିରୋଧି ବିଜେପି ଓ କଂଗ୍ରେସ ସେମାନଙ୍କ ରାଜନୈତିକ କାର୍ଯ୍ୟକ୍ରମକୁ ଆହୁରି ପରିପକ୍ୱ କରିବାର ପ୍ରୟାସ ଆରମ୍ଭ କରି ଦେଲେଣି। ନିକଟରେ ବିଜେପି ପୁରୀ ଠାରେ ତାର ପ୍ରଶିକ୍ଷଣ ଶିବିର ସହିତ ରାଷ୍ଟ୍ରୀୟ ସଭାପତି ଜେ.ପ.ନଡ୍ଡାଙ୍କ କାର୍ଯ୍ୟକ୍ରମ ଦେଇ ରଣ ହୁଙ୍କାର ଆରମ୍ଭ କରି ସାରିଲାଣି। ଶାସକ ବିଜେଡ଼ି ଅକ୍ଟୋବର ୨ଠାରୁ ତାର ପଦଯାତ୍ରା ଆରମ୍ଭ କରିଛି। ରାଜ୍ୟ କଂଗ୍ରେସର ସଭାପତି ପରିବର୍ତ୍ତନ ପରେ ଦଳ ଚଳଚଂଚଳ ହୋଇଛି। ଦଳର ଜାତୀୟ ସଭାପତି ନିର୍ବାଚନ ପରେ ଦଳ ଆହୁରି ସକ୍ରୀୟ ହେବାର ଆଶା କରାଯାଉଛି।

ଓଡ଼ିଶାରେ ଏହି ତିନୋଟି ଦଳ ମଧ୍ୟରେ ୨୦୨୪ ନିର୍ବାଚନ ପ୍ରତିଦ୍ୱନ୍ଦିତା ହେବ। ଦେଖିବାକୁ ଗଲେ ସବୁ ଠାରୁ ଆଗରେ ରହିଛି ଶାସକ ବିଜୁ ଜନତା ଦଳ। ଦୀର୍ଘ ୨୨ ବର୍ଷ ଧରି ଏହି ଦଳ ଓଡ଼ିଶାରେ କ୍ଷମତାରେ ରହିଛି। ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ନିରବଛିନ୍ନ ଭାବରେ ଶାସନ କ୍ଷମତାରେ ରହିଛନ୍ତି। କଳେ ବଳେ କୌଶଳେ ଦଳ ପୁନର୍ବାର ଶାସନ କ୍ଷମତାକୁ ଆସିବାକୁ ଚେଷ୍ଟା କରିବ। ମାତ୍ର ଏଥର ଦଳ ଗୋଟିଏ ବିରାଟ ସମସ୍ୟାର ସମ୍ମୁଖିନ ହେବାକୁ ଯାଉଥିବାର ଏକ ନିର୍ଭରଯୋଗ୍ୟ ସୁତ୍ରରୁ ଜଣା ପଡ଼ିଛି। ଏହି ସମସ୍ୟା ଦରକାର ପଡ଼ିଲେ ବିଜେଡ଼ିକୁ ୨୦୨୪ ନିର୍ବାଚନରେ ଅନେକ କ୍ଷତି ଘଟାଇ ଦେବାର ସଂମ୍ଭାବନା ରହିଛି ବୋଲି ଏକ ଦଳୀୟ ସର୍ଭେରୁ ଜଣା ପଡ଼ିଛି। ଏହା ହେଉଛି ପ୍ରଶାସନିକ ରାଜତ୍ୱ। ଓଡ଼ିଶାରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଆଉ ନାହିଁ କହିଲେ ଚଳେ। ପ୍ରଶାସନିକ ଶାସନ ବ୍ୟବସ୍ଥାର ପରିଭାଷା ଏତେ ବଢ଼ି ଯାଇଛି ଯେ ଏହାର ପ୍ରଭାବ ସାରା ରାଜ୍ୟରେ ପ୍ରତିଫଳିତ ହେଉଛି। ଦୀର୍ଘ ବର୍ଷ ଧରି ଲୋକ ପ୍ରତିନିଧିଙ୍କର ଆଉ କୌଣସି ଓଜନ ଶାସନ କଳରେ ନାହିଁ। ସରକାରର ମନ୍ତ୍ରୀମାନେ ବିଭାଗୀୟ ସଚିବଙ୍କ କବ୍‌ଜାରେ। କେବଳ କାଗଜ ପତ୍ରରେ ମନ୍ତ୍ରୀ ବିଭାଗର ସରକାର ମାତ୍ର ସଚିବଙ୍କ ବିନା ବିଭାଗରେ ପତ୍ରଟିଏ ମଧ୍ୟ ହଲୁ ନାହିଁ। ବିଭାଗର ଅନ୍ୟ ସମସ୍ତ ପଦାଧିକାରୀ ମଧ୍ୟ ସଚିବଙ୍କ କଥାରେ ଉଠବସ୍। ସେହି ଅନୁପାତରେ ବିଧାୟକ, ସାଂସଦ ଓ ଅନ୍ୟ ଲୋକପ୍ରତିନିଧିଙ୍କ ଅବସ୍ଥା ସହଜରେ ଅନୁମେୟ। ଏହାର ମୁଖ୍ୟ କାରଣ ହେଉଛି ଖୋଦ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଦକ୍ଷତାକୁ ଅଧିକ ଗୁରୁତ୍ୱ ଦେବା। ୨୦୦୦ ମସିହାରୁ ୨୦୧୨ ମସିହା ପର୍ଯ୍ୟ ଏ ପରିସ୍ଥିତି ନଥିଲା। କାରଣ ଏହି ୧୨ ବର୍ଷ ପ୍ୟାରୀମୋହନ ମହାପାତ୍ର ଥିଲେ ଦ୍ୱିତୀୟ କ୍ଷମତା କେନ୍ଦ୍ର। ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଥିଲେ ସଂପୂର୍ଣ୍ଣ ନିର୍ଭରଶୀଳ। ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଥିଲେ ମଧ୍ୟ ପ୍ୟାରୀ ବାବୁ ଲୋକପ୍ରତିନିଧିଙ୍କ ଗୁରୁତ୍ୱକୁ ସର୍ବଦା ପ୍ରାଥମିକତା ଦେଉଥିଲେ। ମାତ୍ର ସେ ଯିବା ପରେ ଓଡ଼ିଶା ଶାସନ ବ୍ୟବସ୍ଥା ଏକ ପ୍ରକାର ପ୍ରଶାସକଙ୍କ ହାତକୁ ଚାଲି ଯାଇଛି କହିଲେ ଚଳେ। ଏହାର ମୁଖ୍ୟ କାରଣ ହେଉଛି ତଥାକଥିତ ତୃତୀୟ ମହଲାର ପ୍ରାର୍ଦୁଭାବ। ରାଜ୍ୟର ଶାସନ ଡୋର ସଂପୂର୍ଣ୍ଣ ଭାବରେ ଏହି ତୃତୀୟ ମହଲା ଅଫିସରଙ୍କ ହାତରେ। ୩୦ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ସମସ୍ତ ସରକାରୀ କର୍ମଚାରୀ ଏହି ୩ୟ ମହଲା ବାବୁ ମାନଙ୍କ କଥାରେ ଉଠବସ୍। ଗଣତାନ୍ତ୍ରୀକ ବ୍ୟବସ୍ଥା କେବଳ କାଗଜ କଲମରେ। ଲୋକପ୍ରତିନିଧିଙ୍କ ପାଖରେ କୌଣସି ବିକଳ୍ପ ନାହିଁ। ନିଜସ୍ୱ ସ୍ୱାର୍ଥ ଦୃଷ୍ଟିରୁ ଏମାନେ ମଧ୍ୟ ଅଫିସରଙ୍କ କଥାରେ ଉଠବସ୍। ସାଧାରଣ ଜନତାଙ୍କ ଉପରେ ଏହା ପ୍ରତିକୂଳ ପ୍ରଭାବ ପକାଉଛି। ଭୋଟରଙ୍କ ମତରେ ଆମେ ଭୋଟ ଦେଇ ଲୋକପ୍ରତିନିଧି ବାଛୁଛୁ ମାତ୍ର ଶାସନ କରୁଛନ୍ତି ଅଫିସର। ତେଣୁ ଆଉ ବିଜୁ ଜନତା ଦଳକୁ ଭୋଟ ଦେବୁ କାହିଁକି ? ଏହି ପ୍ରଶ୍ନ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକପ୍ରତିନିଧିମାନେ ଲୋକଙ୍କ ସମସ୍ୟା ସମାଧାନ କରିବାରେ ଅସମର୍ଥ। ସରକାରୀ ବାବୁ ମାନଙ୍କୁ ସାଧାରଣ ଜନତା ଭେଟି ପରୁ ନାହାଁନ୍ତି। ତେଣୁ ସାଧାରଣ ଜନତା ଏକ ପ୍ରକାର ଅଣନିଶ୍ୱାସୀ ହୋଇ ପଡ଼ିଛନ୍ତି କହିଲେ ଚଳେ। ସିଧାସଳଖ ୩ୟ ମହଲା ସହିତ ଯେଉଁ ଅଫିସର ସଂପୃକ୍ତ ସେ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ଉପରେ ମାଲିକ। ବିଜେଡ଼ିର ଜଣେ ସାଂସଦ ଯାହାଙ୍କ ସ୍ୱାମୀ ଜଣେ ବରିଷ୍ଠ ରାଜ୍ୟ ପ୍ରଶାସନିକ ଅଧିକାରୀ ୩ୟ ମହଲା ବଳରେ ସେ ଏତେ କ୍ଷମତାଶାଳୀ ଯେ, ଦଳୀୟ କାର୍ଯ୍ୟରେ ମଧ୍ୟ ତାଙ୍କ ନିର୍ଦ୍ଦେଶକୁ ମନ୍ତ୍ରୀ ଓ ବିଧାୟକମାନେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି।

୨୦୨୪ ନିର୍ବାଚନ ପାଖେଇ ଆସିଲାଣି। ଆବଶ୍ୟକ ପଡ଼ିଲେ ୨୦୨୩ ମସିହାରେ ମଧ୍ୟ ସାଧାରଣ ନିର୍ବାଚନ ସଂଗଠିତ ହୋଇପାରେ। ଏବେ କେବଳ ଲୋକ ଦେଖାଣିଆ ଭାବରେ ଲୋକପ୍ରତିନିଧିଙ୍କୁ ରାଜନୈତିକ କାର୍ଯ୍ୟକ୍ରମରେ ଆଗଧାଡ଼ିକୁ ଅଣାଯାଉଛି। ମାତ୍ର ରିମୋଟ କଂଟ୍ରୋଲ ୩ୟ ମହଲା ହାତରେ। ଓଡ଼ିଶାର ଭୋଟର ଏବେ ଏହି ପରମ୍ପରାର ବିପରୀତମୁଖି। ଅର୍ଥ ବଳ, ଶାସନ କ୍ଷମତାର ଅପବ୍ୟବହାର ୨୦୨୪ରେ ଘାତକ ସାଜିପାରେ। ଏପରି ଏକ ଗୁପ୍ତ ରିପୋର୍ଟ ଦଳୀୟ ମହଲାରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ତେଣୁ ଆଗକୁ ଏହାର ଫାଇଦା ବିଜେପି ବା କଂଗ୍ରେସ ନ ନିଅନ୍ତୁ ସେଥିପାଇଁ ଜୋରସୋରରେ କସରତ ଆରମ୍ଭ ହୋଇ ଗଲାଣି।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.