Home Top News ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହରେ ୨୭% ସାମଗ୍ରିକ ଅଭିବୃଦ୍ଧି ରେକର୍ଡ କଲା କେନ୍ଦ୍ରୀୟ ଜିଏସଟି,...

୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହରେ ୨୭% ସାମଗ୍ରିକ ଅଭିବୃଦ୍ଧି ରେକର୍ଡ କଲା କେନ୍ଦ୍ରୀୟ ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ସୀମା ଶୁଳ୍କ ବିଭାଗର ଭୁବନେଶ୍ୱର ଜୋନ୍

39

ଭୁବନେଶ୍ୱର ୧-୪ (ଓଡ଼ିଆ ପୁଅ) ୨୦୨୧-୨୨ ଆର୍ଥିକ ବର୍ଷରେ ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଏବଂ ସୀମା ଶୁଳ୍କ ଜୋନ୍ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ମାର୍ଚ୍ଚ ୨୦୨୨ ସୁଦ୍ଧା ମୋଟ୍ ରାଜସ୍ୱ ସଂଗ୍ରହ ପରିମାଣ ୫୦, ୯୭୮ କୋଟି ଟଙ୍କା (ଆନୁମାନିକ)ରେ ପହଞ୍ଚିଛି। ଜିଏସଟି, ସୀମା ଶୁଳ୍କ ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଆଦି ବିଭିନ୍ନ ବର୍ଗରେ ଗତ ଆର୍ଥିକ ବର୍ଷ ତୁଳନାରେ ରାଜସ୍ୱ ସଂଗ୍ରହ ୨୭% ବୃଦ୍ଧି ପାଇଛି। ଲାକ୍ଷାଦ୍ଵୀପ ଏବଂ ଲଦାଖକୁ ଛାଡ଼ି ଦେଶର ସବୁ ବୃହତ ଟିକସ ପ୍ରଦାନକାରୀ ରାଜ୍ୟମାନଙ୍କ ମଧ୍ୟରେ ଏହି ଜୋନ୍ ସର୍ବାଧିକ ପରିମାଣର ରାଜସ୍ୱ ସଂଗ୍ରହ କରିପାରିଛି। ମାର୍ଚ୍ଚ ୨୦୨୨ରେ ଜାତୀୟ ସ୍ତରରେ ମୋଟ ଜିଏସଟି ରାଜସ୍ୱ ସଂଗ୍ରହ ୧, ୪୨, ୦୯୫ କୋଟି ଟଙ୍କା ରହିଛି ଯାହାକି ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଦେଇଛି। ପୂର୍ବରୁ ଜାନୁଆରୀ ୨୦୨୨ରେ ସର୍ବାଧିକ ୧, ୪୦, ୯୮୬ କୋଟି ଟଙ୍କାର ରେକର୍ଡ ପରିମାଣର ରାଜସ୍ୱ ସଂଗୃହିତ ହୋଇଥିଲା।

ଭୁବନେଶ୍ୱର ଜୋନ୍ର ମୁଖ୍ୟ ଆୟୁକ୍ତ ଶ୍ରୀ ଆର ମଙ୍ଗବାବୁ କହିଛନ୍ତି ଯେ ଶିଳ୍ପ ଏବଂ ଆର୍ଥିକ ଗତିବିଧି ବୃଦ୍ଧି ପାଇବା କାରଣରୁ ଜିଏସଟି ସଂଗ୍ରହ ବଢ଼ିଛି, ଫଳରେ ଟିକସ ସଂଗ୍ରହରେ ସାମଗ୍ରିକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ମାର୍ଚ୍ଚ ୨୦୨୨ରେ କେନ୍ଦ୍ରୀୟ ଜିଏସଟି ରାଜସ୍ୱ ସଂଗ୍ରହ ପରିମାଣ ୧୪୬୫ କୋଟି ଟଙ୍କା ରହିଛି ଯାହାକି ଗତବର୍ଷର ସମାନ ଅବଧି ତୁଳନାରେ ୪୩% ଅଧିକ। କୋଭିଡ ମହାମାରୀ ସତ୍ତ୍ବେ ବସ୍ତୁ ଓ ସେବା ଯୋଗାଣରେ ବୃଦ୍ଧି ହୋଇଛି ଯାହାକି ଜିଏସଟି ସଂଗ୍ରହ ବୃଦ୍ଧିରୁ ପ୍ରମାଣିତ ହୋଇଛି। ଏହି ଜୋନରେ ନଗଦ ଆକାରରେ ଜିଏସଟି ଟିକସଦାତାମାନେ ପଇଠ କରିଥିବା ରାଜସ୍ୱର ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ଏହି କ୍ଷେତ୍ରରେ ଗତ ଆର୍ଥିକ ବର୍ଷ ତୁଳନାରେ ୮୭% ଅଭିବୃଦ୍ଧି ହୋଇଛି। ଜିଏସଟି ଆକାରରେ ରାଜସ୍ୱ ସଂଗ୍ରହ ପରିମାଣ ୮୭.୫୦% ଏବଂ ସୀମା ଶୁଳ୍କ ଆକାରରେ ରାଜସ୍ୱ ସଂଗ୍ରହ ପରିମାଣ ୬୫.୪୬% ବୃଦ୍ଧି ପାଇଛି। ଏହି ଜୋନରେ ମୁଖ୍ୟତଃ ଇସ୍ପାତ, ଖଣି ଓ ଖଣି ସେବା, ଠିକା କାମ ସେବା କ୍ଷେତ୍ରରେ ରାଜସ୍ୱ ସଂଗ୍ରହ ପରିମାଣ ଗତବର୍ଷ ତୁଳନାରେ ବ୍ୟାପକ ମାତ୍ରାରେ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ତୈଳ, କାଗଜ, ବ୍ୟାଙ୍କିଙ୍ଗ୍ ଓ ଫାଇନାନ୍ସ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଗତବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଅଭିବୃଦ୍ଧି ଦେଖିବାକୁ ମିଳିଛି।

ଟିକସ ଠକେଇ ଏବଂ ରାଜସ୍ୱ ଫାଙ୍କିବା ଭଳି ଘଟଣା ବିରୋଧରେ ବିଭାଗ ପକ୍ଷରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନକଲି ଇନଭଏସ ଜାରି କରିଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୯୩.୮୩ କୋଟି ଟଙ୍କା ଆଦାୟ କରାଯାଇଛି। ସେହିପରି ଠକାମି ଠାବ କରିବା ପଦ୍ଧତି ଉପଯୋଗ କରିବା ଏବଂ ଇ-ୱେ ବିଲ୍ ଯାଞ୍ଚ ମାଧ୍ୟମରେ ଚଳିତ ଆର୍ଥିକ ବର୍ଷରେ ୩୪୫.୮୩ କୋଟି ଟଙ୍କା ଆଦାୟ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ରପ୍ତାନି ଏବଂ ଆମଦାନୀ କ୍ଷେତ୍ରକୁ ଦେଖିଲେ ଭୁବନେଶ୍ୱର ଜୋନ୍ ଏହି ଆର୍ଥିକ ବର୍ଷର ମାର୍ଚ୍ଚ ୨୦୨୨ ସୁଦ୍ଧା ୧୧, ୧୫୪ କୋଟି ଟଙ୍କାର ସୀମା ଶୁଳ୍କ ସଂଗ୍ରହ କରିଛି। ପୂର୍ବବର୍ଷ ତୁଳନାରେ ଏ କ୍ଷେତ୍ରରେ ୬୫.୪୫% ଅଭିବୃଦ୍ଧି ରେକର୍ଡ କରାଯାଇଛି। ଇଣ୍ଡିଆନ ଅଏଲ୍ କର୍ପୋରେସନ ଲିମିଟେଡ୍ ଦ୍ଵାରା ସର୍ବାଧିକ ଅଶୋଧିତ ତୈଳ ଆମଦାନି ଯୋଗୁ ଏଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଓଡ଼ିଶାର ଖଣି ଅଞ୍ଚଳରୁ ରପ୍ତାନି ହୋଇଥିବା ଲୁହାପଥର ଉପରେ ମଧ୍ୟ ରପ୍ତାନି ଶୁଳ୍କ ସଂଗ୍ରହ କରାଯାଇଛି।

ଏହାଛଡ଼ା ଭୁବନେଶ୍ୱର ଜୋନ୍ ପକ୍ଷରୁ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ ଧ୍ୟ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ନୂଆ ଟିକସଦାତା ସୁବିଧା କେନ୍ଦ୍ର, ଜିଏସଟି ସେବା କେନ୍ଦ୍ର ଏବଂ ସୀମାଶୁଳ୍କ ସେବା କେନ୍ଦ୍ର ଭୁବନେଶ୍ୱର ଏବଂ ପାରାଦୀପ ଠାରେ ଉଦଘାଟିତ ହୋଇଛି। ଏସବୁ କେନ୍ଦ୍ର ଟିକସଦାତାମାନଙ୍କୁ ସହଜରେ କାରବାର ପାଇଁ ସୁବିଧା ପ୍ରଦାନ କରୁଛି। ବର୍ତ୍ତମାନ ଟିକସଦାତାମାନେ ଏସବୁ କେନ୍ଦ୍ରରେ ସେମାନଙ୍କର ବିଭିନ୍ନ ଟିକସ ସଂକ୍ରାନ୍ତ ଅଭିଯୋଗ ଦାଖଲ କରିପାରିବେ। ଏହାଛଡ଼ା ୱାକାଥନ୍, ବୃକ୍ଷରୋପଣ, ଯୋଗ ଅଧିବେଶନ, ବିଭିନ୍ନ ସ୍କୁଲ୍ ଓ କଲେଜରେ ସେମିନାର, ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ଛାୟା ସଂସଦ, ନିଶା ନିବାରଣ କାର୍ଯ୍ୟକ୍ରମ ଆଦି ଏହି ଜୋନ୍ ପକ୍ଷରୁ ଆୟୋଜନ କରାଯାଇଛି। ପ୍ରଶାସନିକ କ୍ଷେତ୍ରରେ ସ୍ୱଚ୍ଛତା ଏବଂ ଦକ୍ଷତା ଆଣିବା ପାଇଁ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସୀମାଶୁଳ୍କ କ୍ଷେତ୍ରରେ ଫେସଲେସ ଆସେସମେଣ୍ଟ, ଡାଇରେକ୍ଟ ପୋର୍ଟ ଡେଲିଭରୀ, ଏକ୍ସପୋର୍ଟ କାର୍ଗୋର ଡାଇରେକ୍ଟ ପୋର୍ଟ ଏଣ୍ଟ୍ରୀ ସୁବିଧା ଦିଆଯାଇଛି। ଭାରତ ସରକାରଙ୍କର ବ୍ୟବସାୟିକ ସୁଗମତାର ଅଂଶବିଶେଷ ସ୍ୱରୂପ ଏସବୁ ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂ ସୀମା ଶୁଳ୍କ ବିଭାଗ ଭୁବନେଶ୍ୱର ଜୋନ୍ ମୁଖ୍ୟ ଆୟୁକ୍ତ ସହଯୋଗ ପାଇଁ ସବୁ ଅଂଶୀଦାର ଏବଂ ଟିକସଦାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.