Home ଓଡ଼ିଶା ୨୦ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାକୁ ମାଛ ଚାଷୀଙ୍କ ସ୍ୱାଗତ – ୫୫...

୨୦ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନାକୁ ମାଛ ଚାଷୀଙ୍କ ସ୍ୱାଗତ – ୫୫ ଲକ୍ଷ ନିଯୁକ୍ତି – ରପ୍ତାନି ପରିମାଣ ଦ୍ୱିଗୁଣିତ ହୋଇ ୧ଲକ୍ଷ କୋଟିରେ ପହଁଚିବା ସମ୍ଭାବନା

146

ଯୋଜନାକୁ ଯୁଗାନ୍ତକାରୀ ବୋଲି କହିଲେ ମାଛ ଚାଷୀ୫ ବର୍ଷରେ ୭୦ ଲକ୍ଷ ଟନ ମାଛ ଉତ୍ପାଦନ ସହ ୫୫ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ
ରପ୍ତାନି ପରିମାଣ ଦ୍ୱିଗୁଣିତ ହୋଇ ୧ଲକ୍ଷ କୋଟିରେ ପହଁଚିବା ସମ୍ଭାବନା
ଭୁବନେଶ୍ୱର ୧୯-୫ (ଓଡ଼ିଆ ପୁଅ) କରୋନା ମହାମାରୀ ଜନିତ ଲକଡାଉନ କାରଣରୁ ପ୍ରଭାବିତ ହୋଇଥିବା ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ- “ଆତ୍ମ ନିର୍ଭର ଭାରତ’ ଘୋଷଣା କରିଛନ୍ତି। ଏହି ପ୍ୟାକେଜରେ ମତ୍ସ୍ୟ ଚାଷ କ୍ଷେତ୍ରକୁ ପ୍ରୋତ୍ସାହନ ଲାଗି ୨୦ ହଜାର କୋଟି ଟଙ୍କା ବିନିଯୋଗ କରିବା ଲାଗି ଘୋଷଣା କରାଯାଇଛି। ଏପରି ଘୋଷଣାକୁ ସ୍ୱାଗତ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ମାଛଚାଷୀ ଏବଂ ମତ୍ସ୍ୟଚାଷ ସହଜଡ଼ିତ ଉଦ୍ୟୋଗୀମାନେ।

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ମାଛ ଚାଷ ଜାରି ରହିଛି। ଏହାଦ୍ୱାରା ବହୁସଂଖ୍ୟକ ମାଛଚାଷୀ ଉପକୃତ ହେଉଚନ୍ତି। ଜିଲ୍ଲାର ୫ଟି ବ୍ଲକକୁ କିଛିଦିନ ପୂର୍ବରୁ ଭାରତ ସରକାରଙ୍କ ଅଧୀନ କେନ୍ଦ୍ରୀୟ କୃଷି ଗବେଷଣା ପରିଷଦ (ଆଇସିଏମଆର) ଅନ୍ତର୍ଗତ କେନ୍ଦ୍ରୀୟ ମଧୁରଜଳ ଜଳଜକୃଷି ସଂସ୍ଥାନ (ସିଫା) ପକ୍ଷରୁ ଉନ୍ନତ କିସମର ମାଛ ଜାଆଁଳ ପ୍ରଦାନ କରାଯାଇଥିଲା। ସଦର ବ୍ଲକ ତାରାଗାଁର ଯୁବ ମାଛ ଚାଷୀ ଇରଫାନ ଖାଁ ମଧ୍ୟ ଏହି ଜାଆଁଳ ପାଇଥିଲେ। ସେ ନିଜର ଗୋଟିଏ ହେକ୍ଟର ବନ୍ଧରେ ମାଛ ଚାଷ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜ ଦ୍ୱାରା ଲକଡାଉନ ଯୋଗୁ ପ୍ରଭାବିତ ହୋଇଥିବା ମତ୍ସ୍ୟପାଳନ କ୍ଷେତ୍ର ବିଶେଷ ଭାବେ ପ୍ରଭାବିତ ହେବ ବୋଲି ଇରଫାନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସେ ଦୀର୍ଘବର୍ଷ ଧରି ଏହି କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି। ଏପରି ପ୍ୟାକେଜ ଦ୍ୱାରା ଅନ୍ୟ ରାଜ୍ୟ ଉପରେ ମାଛ ପାଇଁ ନିର୍ଭରଶୀଳ ଓଡ଼ିଶା ଭଳି ରାଜ୍ୟ ବିଶେଷ ସୁବିଧା ପାଇବେ। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏଥିରେ ଅଧିକ ସଂଖ୍ୟକ ଲୋକ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ରୋଜଗାରକ୍ଷମ ହୋଇପାରିବେ ବୋଲି ଇରଫାନ ଆଶାବ୍ୟକ୍ତ କରିଛନ୍ତି। ସେହିପରି ଜିଲ୍ଲାର ଅନ୍ୟ ମାଛ ଚାଷୀମାନେ ମଧ୍ୟ ଏହି ଯୋଜନାକୁ ସ୍ୱାଗତ କରିଛନ୍ତି।

ସୂଚନାଯୋଗ୍ୟ ଯେ ସାମୁଦ୍ରିକ ଏବଂ ଅନ୍ତର୍ଦେଶୀୟ ମାଛ ଚାଷ କ୍ଷେତ୍ରର ସମନ୍ୱିତ, ଦୀର୍ଘସ୍ଥାୟୀ ଓ ସମାବେଶୀ ବିକାଶ ନିମନ୍ତେ ଗତ ୧୫ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ହଜାର କୋଟି ଟଙ୍କାର ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା (ପିଏମଏମଏସୱାଇ)ର ଘୋଷଣା କରିଥିଲେ। ଏହି ଯୋଜନା ଅନ୍ତର୍ଗତ ସାମୁଦ୍ରିକ, ଅନ୍ତର୍ଦେଶୀୟ ମତ୍ସ୍ୟଚାଷ ଓ ଜଳଜ କୃଷି ନିମନ୍ତେ ୧୧ ହଜାର କୋଟି ଟଙ୍କା ଏବଂ ଫିସିଂ ହାର୍ବର, କୋଲ୍ଡ ଚେନ, ବଜାର ଭିତିଭୂମି ପାଇଁ ୯ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଯୋଜନା ଅଧୀନରେ ମାଛ ଧରା ବନ୍ଦ ସମୟରେ ଚାଷୀଙ୍କୁ ବ୍ୟକ୍ତିଗତ ଓ ଡଙ୍ଗା ବୀମା ଯୋଗାଇ ଦିଆଯିବାକୁ ଘୋଷଣା କରାଯାଇଛି। ଏହାଦ୍ୱାରା ୫ ବର୍ଷରେ ଅତିରିକ୍ତ ୭୦ ଲକ୍ଷ ଟନ ମାଛ ଉତ୍ପାଦନ ହୋଇପାରିବ ଏବଂ ୫୫ ଲକ୍ଷ ଲୋକ ନିଯୁକ୍ତି ପାଇପାରିବେ। ସେହିପରି ମାଛ ରପ୍ତାନି ପରିମାଣ ଦ୍ୱିଗୁଣିତ ହୋଇ ପାଖାପାଖି ୧ ଲକ୍ଷ କୋଟି ଟଙ୍କାରେ ପହଁଚିବ ବୋଲି ଆଶା କରାଯାଉଛି। ଏହି ଯୋଜନାରେ ଦ୍ୱୀପାଂଚଳ, ହିମାଳୟ ପାର୍ବତ୍ୟାଂଚଳ ରାଜ୍ୟ, ଉତର ପୂର୍ବ ଏବଂ ଅକାଂକ୍ଷୀ ଜିଲ୍ଲା ଉପରେ ବିଶେଷ ଗୁରୁତ୍ୱ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.