Home ଓଡ଼ିଶା ୨ଟି ସ୍ୱତନ୍ତ୍ର ଦାବିକୁ ନେଇ ଭୁବନେଶ୍ୱର ଧାରଣାସ୍ଥଳସ୍ଥିତ ରାଜରାସ୍ତାରେ ଏକତ୍ରିତ ହେଲେ ଏକାଧିକ ସଂଘ

୨ଟି ସ୍ୱତନ୍ତ୍ର ଦାବିକୁ ନେଇ ଭୁବନେଶ୍ୱର ଧାରଣାସ୍ଥଳସ୍ଥିତ ରାଜରାସ୍ତାରେ ଏକତ୍ରିତ ହେଲେ ଏକାଧିକ ସଂଘ

35

ଭୁବନେଶ୍ୱର, ତା ୮ା୧୨ା୨୧ (ଓଡ଼ିଆ ପୁଅ) : ଭୁବନେଶ୍ୱର ଧାରଣାସ୍ଥଳସ୍ଥିତ ରାଜରାସ୍ତାରେ ଏକତ୍ରିତ ହେଲେ ଏକାଧିକ ସଂଘ। ମିଳିତ ଲଢେଇ ପାଇଁ କଲେ ମିଳିତ ଆଲୋଚନା। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ୨ଟି ସ୍ୱତନ୍ତ୍ର ଦାବି। ପ୍ରଥମତଃ ୨୦୧୯ ଫେବୃୟାରୀ ପରି ଚଳିତ ଡିସେମ୍ବରରେ ଅବିଳମ୍ବେ ରାଜ୍ୟ ସରକାର ଏକ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ଗଠନ କରି ସଂଘ ମାନଙ୍କର ଦାବି ବାବଦରେ ତୁରନ୍ତ ଶୁଣାଣୀ କରନ୍ତୁ। ସେହି କମିଟିର ଅଧ୍ୟକ୍ଷ ଯେଉଁସବୁ ସଂଘର ଦାବି ଲିଖିତ ଭାବେ ପାଇବେ, ସେହି ସଂଘର ପ୍ରତିନିଧି ଦଳଙ୍କୁ ସରକାରୀ ଚିଠି କରି ଡାକନ୍ତୁ। ଏଥିସହିତ ସମ୍ପୃକ୍ତ ବିଭାଗର ମନ୍ତ୍ରୀ, ସଚିବ ଓ ନିର୍ଦ୍ଦେଶକଙ୍କୁ ଡାକି ବିଧିବଦ୍ଧ ଆଲୋଚନା କରି ପ୍ରତ୍ୟେକ ଉପସ୍ଥିତ ସଂଘକୁ ଆଲୋଚ୍ୟ ନିଷ୍ପତ୍ତିର ସରକାରୀ ପ୍ରୋସିଡିଙ୍ଗ୍ ଅବିଳମ୍ବେ ଦିଆଯାଉ। ଏହା ବ୍ୟତୀତ ୨ୟ ଦାବି ଥିଲା ଯେ – ବିଧାନସଭା ଗୃହକୁ ତୁରନ୍ତ ସଚଳ କରାଯାଉ। ଏଥିସହିତ ବିଧାନସଭାରେ ବିରୋଧି ଦଳର ବିଭିନ୍ନ ମୋଶନ୍ ଜରିଆରେ ଧାରଣାସ୍ଥଳରେ ଥିବା ସମସ୍ତ ଆନ୍ଦୋଳନକାରୀଙ୍କ ଦାବି ବାବଦରେ ଗୃହରେ କିଛି କିଛି ସମୟରେ ଆଲୋଚନା କରାଯାଉ। ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ। ବାଚସ୍ପତିଙ୍କ ରୁଲିଂ ଆସୁ ଓ ସଂଘମାନଙ୍କର ଯଥାର୍ଥ ଦାବିର ଆଶୁ ସମାଧାନ ହେଉ। ଏତଦ୍‌ଭିନ୍ନ ଓଡ଼ିଶାର ପ୍ରମୁଖ ସମସ୍ୟାଗୁଡ଼ିକର ସମାଧାନ ସହିତ ରାଜ୍ୟର ବାସ୍ତବ ପ୍ରଗତି ପାଇଁ ଉକ୍ତ ଗୃହରେ ବିଭିନ୍ନ ପ୍ରସଙ୍ଗ ଆଲୋଚିତ ହେଉ ବୋଲି ଉକ୍ତ ମିଳିତମଞ୍ଚ ଗଣମାଧ୍ୟମ ଜରିଆରେ ମାନନୀୟ ମୁଖ୍ୟମନ୍ତ୍ରୀ ଓ ମହାମହୀମ ରାଜ୍ୟପାଳଙ୍କୁ ଜଣାଇଛନ୍ତି। ଏହି ୨ ଦଫା ଦାବିକୁ ମୁଖ୍ୟମନ୍ତ୍ରୀଙ୍କ ଜ୍ଞାତସାରକୁ ନେବା ଲାଗି ଆଜି ପୂର୍ବଭଳି ଗାଁସାଥୀ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ତଥା ଆନ୍ଦୋଳନକାରୀ ମିଳିତ ମଞ୍ଚର ରାଜ୍ୟ ସଂଯୋଜକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ସଂଯୋଜନାରେ ଗାଁସାଥୀ ଟେଣ୍ଟ ପରିସରରେ ଏକ ସ୍ୱତନ୍ତ୍ର ମିଳିତ ବୈଠକ କରାଯାଇଥିଲା। ଅପରାହ୍ନ ପ୍ରାୟ ୩ ଘଟିକାରେ ଶ୍ରୀ ବିଶ୍ୱାଳଙ୍କ ନେତୃତ୍ୱରେ ଅନେକ ସଂଘର ସଭ୍ୟ/ସଭ୍ୟାମାନେ ଏକ ରାଲିରେ ବିଧାନସଭା ବ୍ୟାରିକେଡ୍‌କୁ ଯାଇ ସେହି ୨ ଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇବାର ପ୍ରୟାସ କରିଥିଲେ। ଯଦି ମିଳିତମଞ୍ଚର ଦାବି ଅବିଳମ୍ବେ ପୂରଣ କରାନଯାଏ, ତେବେ ଆଗାମୀ ଦିନରେ ଏହି ସଂଘମାନେ ମିଳିତ ହୋଇ ୨୦୨୨ ଫେବୃୟାରୀରେ ହେବାକୁଥିବା ପଞ୍ଚାୟତ ନିର୍ବାଚନରେ ତାର ଉଚିତ୍ ଜବାବ ଦେବେ ବୋଲି ବିଭିନ୍ନ ସଂଘର ସଂଗଠକମାନେ ଗଣମାଧ୍ୟମକୁ ଜଣାଇଛନ୍ତି। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦୀପ୍ତିମୟୀ ରାଉଳ, କୃତିବାସ ସେଠୀ, ଦେବବ୍ରତ ବେହେରା, ବାଲ୍ୟବତୀ ମହାନ୍ତି, ଦୀପକ କୁମାର ସାହୁ, ଲକ୍ଷ୍ମୀଧର ବିଶ୍ୱାଳ, ସଂଜୟ ଗିରି ଓ ଅନ୍ୟ ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.