Home ଜିଲ୍ଲା ପରିକ୍ରମା ୧୯ ରେ ଆସିବେ ରାଜ୍ୟପାଳ, ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକ

୧୯ ରେ ଆସିବେ ରାଜ୍ୟପାଳ, ଜିଲା ପ୍ରଶାସନର ପ୍ରସ୍ତୁତି ବୈଠକ

21

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୧୯ ଅଗଷ୍ଟରେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଭଦ୍ରକ ଗସ୍ତରେ ଆସିବେ। ରାଜ୍ୟପାଳ ୧୯ ଓ ୨୦ ଦୁଇଦିନ ଭଦ୍ରକରେ ଅବସ୍ଥାନ କରି ଜିଲାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା ଓ କ୍ଷେତ୍ର ପରିଦର୍ଶନ କରିବେ। ୧୯ ତାରିଖ ଅପରାହ୍ନରେ ଭଦ୍ରକରେ ପହଂଚିବେ। କେନ୍ଦ୍ରୀ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଂଚଳ ଓ ଗ୍ରାମୀଣ) ଉପରେ ଅଧିକ ଗୁରୁତ୍ୱ ଦେବେ। ଏହାବ୍ୟତୀତ ମୁଦ୍ରା ହିତାଧିକାରୀଙ୍କ ସହ ଜିଲା ମୁଖ୍ୟ କାର୍ଯ୍ୟାଳୟରେ ମତ ବିନିମୟ କରିବେ। ସେହିପରି ସିଭିଲ୍ ସୋସାଇଟି ଓ ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ୩/୪ ଘଂଟା ଧରି ଆଲୋଚନା କରିବେ। ଆଲୋଚନା ସମୟରେ ଜିଲାର ମୁଖ୍ୟ ସମସ୍ୟା ସଂପର୍କରେ ଅବଗତ ହେବେ। ୨୦ ତାରିଖ ଅପରାହ୍ନରେ ଲାଇନ୍ ଡିପାର୍ଟମେଂଟର ଇଂଜିନିୟର ମାନଙ୍କ ସହ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବେ। ପରେ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟପାଳଙ୍କୁ ଜିଲା ପ୍ରୋଫାଇଲ୍ ଓ କେନ୍ଦ୍ର-ରାଜ୍ୟ ଯୋଜନାର କାର୍ଯ୍ୟକାରିତା ସହ ବିଦ୍ୟୁତ୍ ବଂଟନ ଓ ପିଏମ୍ ସୂର୍ଯ୍ୟଘର ଯୋଜନା ସଂପର୍କରେ ଉପସ୍ଥାପନା କରିବେ। ପରେ ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ଜିଲାର ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ସୁରକ୍ଷା ସଂପର୍କରେ ରାଜ୍ୟପାଳଙ୍କୁ ସୂଚନା ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି। ବ୍ୟାଙ୍କ ଅଫିସରମାନଙ୍କ ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ବିଶେଷକରି ମୁଦ୍ରା, ପିଏମ୍‌, ଜେଜେ, ବିୱାଇ, ପିଏମ୍‌ଜେ, ଏସ୍‌ବିୱାଇ ଓ ପିଏମ୍ ଜନଧନ ଯୋଜନା ସଂପର୍କରେ ସମୀକ୍ଷା କରିବେ। ରାଜ୍ୟପାଳଙ୍କ ଗସ୍ତକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ଦିଲ୍ଲୀପ ରାଉତରାଏ, ଅତିରିକ୍ତ ଜିଲାପାଳ ସରୋଜ ଦତ ଓ ରବିନାରାୟଣ ସାହୁ, ମୁଖ୍ୟ ଜିଲା ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲଙ୍କ ସମେତ ଜୁଡିସିଆଲ, ନିଜାରତ ଓ ସମସ୍ତ ଲାଇନ୍ ଡିପାର୍ଟମେଂଟର ପଦାଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ଗସ୍ତକୁ ସଫଳ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ସଠିକ୍ ଭାବେ ତାଙ୍କ ବିଭାଗୀୟ କାର୍ଯ୍ୟ ସଂପାଦନ କରିବାକୁ ଜିଲାପାଳ ଶ୍ରୀ ରାଉତରାଏ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.