କୋରାପୁଟ ୨୨-୦୬(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ସମେତ ବିଭିନ୍ନ ସ୍ଥାନରୁ ଚୋରି ହୋଇଥିବା ୧୫ଟି ମଟରସାଇକଲ କୋରାପୁଟ ଟାଉନ୍ ଥାନା ପୋଲିସଉଦ୍ଧାର କରିବା ସହ ଚୋରି ଘଟଣାରେ ସମ୍ପୃକ୍ତ ୩ଜଣଙ୍କୁ ଆଜି ଗିରଫ କରାଯାଇଥିବା ବେଳେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଗୁଣନିଧି ମଲ୍ଲିକ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି । କୋରାପୁଟ ମେଡିକାଲ କଲେଜ ହସପିଟାଲ ପରିସରରୁ ୪ଟି ମଟରସାଇକେଲ ଚୋରୀ ହୋଇଥିବା ଅଭିଯୋଗ କିଛି ଦିନ ପୂର୍ବରୁ ଥାନାରେ ଅଭିଯୋଗ ହେବା ପରେ ଟାଉନଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ ତତ୍ୱାବଧାନରେ ସବ-ଇନସପେକ୍ଟର ଯୋଶବନ୍ତ ସେଲମାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ମଟର ସାଇକେଲ ଚୋର ରାକେଟକୁ ଧରିବାକୁ ପ୍ରୟାସ ଆରମ୍ଭ କରି ଥିବାବେଳେ ରାକେଟର ମାଷ୍ଟରମାଇଣ୍ଡ କୋରାପୁଟ ପୁଜାରିପୁଟ ଅଂଚଳର ଅଜିତ କୁମାର ପାଣିଗ୍ରାହିକୁ ପ୍ରଥମେ ଗିରଫ କରି ଜେରା କରିବା ପରେ ଘଟଣା ପର୍ଦ୍ଦାଫାସ ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଅଜିତ କୁମାର ପାଣିଗ୍ରାହିକୁ ଗତ ଗୁରୁବାର କୋର୍ଟ ଚାଲାଣ କରା ଯାଇଥିଲା । ଜେରା ସମୟରେ ଅଜିତ ଠାରୁ ମିଳିଥିବା ସୂଚନା ମୂତାବକ ପୋଲିସ ଟିମ ଗତକାଲି ରାତିରେ ପୁଜାରିପୁଟର ଚନ୍ଦନ ବଢେଇ,ଜୟପୁର ସଦର ଥାନା ସୌରାଗୁଡାର ରିଙ୍କୁ ପଟ୍ଟନାୟକ ଓ ସଲପା ଗ୍ରାମର ସନ୍ତୋଷ ସିଂହକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ସାମ୍ବାଦିକ ସମ୍ମିଳନୀରେ ଟାଉନଥାନା ଅଧିକାରୀ ଧୀରେନ ପଟ୍ଟନାୟକ,ଇନସପେକ୍ଟର ଶଙ୍କର୍ଷଣ ମାଝି,ସବ-ଇନସପେକ୍ଟର ଯୋଶବନ୍ତ ସେଲମା,ସୂଦର୍ଶନ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।