Home ଜିଲ୍ଲା ପରିକ୍ରମା ୧୪ରୁ ଆଖଣ୍ଡଳମଣିଙ୍କ ପୀଠରେ ଶୁଭିବ ବୋଲବମ ଧ୍ୱନୀ, ଖାଲଖମା ରାସ୍ତାରେ ଚାଲିଚାଲି ଆସିବେ କାଉଡିଆ, ଅସ୍ୱାସ୍ଥ୍ୟକର...

୧୪ରୁ ଆଖଣ୍ଡଳମଣିଙ୍କ ପୀଠରେ ଶୁଭିବ ବୋଲବମ ଧ୍ୱନୀ, ଖାଲଖମା ରାସ୍ତାରେ ଚାଲିଚାଲି ଆସିବେ କାଉଡିଆ, ଅସ୍ୱାସ୍ଥ୍ୟକର ପରିବେଶକୁ ନେଇ ଡରାଉଛି ଡାଇରିଆ!

2

ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ୧୪ରୁ ଅଗଷ୍ଟ ୧୧ଯାଏଁ ଏକମାସ ଧରି ବାବା ଆଖଣ୍ଡଳମଣିଙ୍କ ପୀଠରେ ଶୁଭିବ ବୋଲବମ ଧ୍ୱନି। ଆଗନ୍ତୁକ ଲକ୍ଷାଧିକ କାଉଡିଆ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଗତ ଜୁନମାସ ୨୬ତାରିଖରେ ଭଦ୍ରକ ଜିଲାପାଳ ଦିଲିପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ମନ୍ଦିର ପ୍ରଶାସନିକ ଅଧିକାରୀ, ବରିଷ୍ଠ ସେବାୟତ, ରାସ୍ତା ଓ ଗୃହ କୋଠାନିର୍ମାଣ ବିଭାଗ, ପାନୀୟଜଳ ଓ ପରିମଳ ବିଭାଗ, ସ୍ୱାସ୍ଥ୍ୟ ଆଦି ବିଭାଗର ଯୋଗଦେଇ ଶ୍ରାବଣୀଯାତ୍ରା ପୂର୍ବରୁ ଭଦ୍ରକପ ଆଖଣ୍ଡଳମଣି ମୁଖ୍ୟରାସ୍ତା ସହ ପୀଠକୁ ସଂଯୋଗ କରୁଥିବା କୁଳେଇପଦା, ଧାନଖଣିଆ, ମୁଆଁପସନ୍ତରା ରାସ୍ତାର ମରାମତି ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଜିଲାପାଳ ଗୁରୁତ୍ୱର ଭାବେ କଥା ହୋଇଥିଲେ। ହେଲେ ପୀଠକୁ ସଂଯୋଗ କରୁଥିବା ରାସ୍ତାର ମରାମତି ତ ଦୂରର କଥା ଭଦ୍ରକପଆଖଣ୍ଡଳମଣି ମୁଖ୍ୟ ରାସ୍ତାର ବେତାଳିଗାଁ ଠାରୁ ସାହୁସାହି, ସୁନ୍ଦରପୁର, ମଠଡିହ ଓଳଗ ରାସ୍ତାରେ ବଡବଡ ଖାଲଖମା ହୋଇ ପଡି ରହିଛି। ଫଳରେ ଆଗନ୍ତୁକ କାଉଡିଆ ଖାଲି ପାଦରେ ଖାଲଖମା ରାସ୍ତାରେ ଆସିବେ। ଏପରିକି ଜିଲା ରାସ୍ତା ଓ ଗୃହ କୋଠା ନିର୍ମାଣ ବିଭାଗ ପକ୍ଷରୁ ଯାହାକିଛି ରାସ୍ତା ପିଚ ହୋଇଥିଲା। ଗତକିଛିଦିନ ଲଗାଣବର୍ଷାରେ ରିସ୍ତାରୁ ପିଚ ଉଠିଯାଇଥିବାରୁ ଗୁଡି, ଡଷ୍ଟ ରାସ୍ତାରେ ମରଣଯନ୍ତା ପାଲଟିଛି। ସେହିପରି କୁଆଖିଆପ ଆଖଣ୍ଡଳମଣି ୨୦ନଂ ଜାତୀୟରାଜପଥର ଆରଡି ବାଇପାସ ରାସ୍ତାକୁ ଠିକାଦାର ଦୀର୍ଘମାସ ହେବ ଖୋଳି ଦେଇ କାର୍ଯ୍ୟ କରୁଥିବାରୁ ରାସ୍ତା ଅଣଓସାରିଆ ହୋଇ ପଡି ରହିଛି। ତାହାସହ ମେଘା କମ୍ପାନୀ ବିଷୁଦ୍ଧ ପାଣି ଯୋଗାଇ ଦେବା ନିମନ୍ତେ ଭୁତଳ ପାଇପ ବିଛାଣ ଆଳରେ ପାନ୍ଥନିବାସ ଠାରୁ ମନ୍ଦିର ଶିବପ୍ଲାଜା ଯାଏଁ ଦୀର୍ଘ ୩କିମି ରାସ୍ତର ଗୋଟିଏ ପାର୍ଶ୍ୱ ଖୋଳି ଦେଇ ପକାଇଥିବାରୁ ଗତ ୧ମାସ ହେବ କାଦୁଅ, ପଙ୍କରେ ଘାଂଟି ହେଉଛନ୍ତି ସ୍ଥାନୀୟ ଲୋକଙ୍କ ସହ ଆଗନ୍ତୁକ ପର୍ଯ୍ୟଟକମାନେ। ବିଶେଷକରି ଗତକିଛିଦିନ ତଳେ ଆରଡି ଓ ଆଖପାଖ ଅଂଚଳରେ ଡାଇରିଆ ବ୍ୟାପିଥିଲା। ଏବେ ସ୍ଥିତି ନିୟନ୍ତ୍ରଣ ରହିଥିଲେ ମଧ୍ୟ ପୀଠର ଚାରିଆଡେ କୁଢକୁଢ ଅଳିଆ ଆବର୍ଜନା ପଡି ରହିଥିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଶ୍ରାବଣୀଯାତ୍ରାରେ ଲକ୍ଷାଧିକ କାଉଡିଆଭକ୍ତ ପୀଠକୁ ଆସିବେ ହେଲେ ଭକ୍ତଙ୍କ ମନରେ ଡାଇରିଆ ଭୟ ଘାରିଛି। ଶ୍ରାବଣୀଯାତ୍ରାରେ ବାବାଙ୍କୁ ଜଳାଭିଷେକ କରିବା ପାଇଁ ପୀଠକୁ ପ୍ରତି ରବିବାର ଓ ସୋମବାର ରାତିଦିନ ଏକାକାର କରି କାଉଡିଆଭକ୍ତ ବିଭିନ୍ନ ପ୍ରାନ୍ତରରୁ ମୁଖ୍ୟରାସ୍ତା ସହ ବିଭିନ୍ନ ସାହିରାସ୍ତା ଦେଇ ଆସିବେ। ହେଲେ ଦୀର୍ଘମାସ ହେବ ପାନ୍ଥନିବାସ ଠାରୁ ନଦୀଘାଟ, ବାଇପାସ ରାସ୍ତା ଠାରୁ ଗୁଡିଆସାହି ରିସ୍ତା, ମୁଖ୍ୟ ବଜାର ଆଦି ସ୍ଥାୟୀ ଆଲୋକିକରଣ ନଥିବାରୁ ଅନ୍ଧକାରମୟ ହୋଇ ରହିଛି। ଶ୍ରାବଣମାସରେ ବର୍ଷା ସହ ପବନର ଆଶଙ୍କା ରହିଥାଏ। ତାହାସହ ସରିସୃପଙ୍କ ଭୟ ମଧ୍ୟ ରହିଥାଏ। ହେଲେ ଆଜି ପର୍ଯ୍ୟନ୍ତ ସ୍ଥାୟୀ ବିଜୁଳି ବ୍‌୍ୟବସ୍ଥା ହୋଇ ପାରି ନଥିବାରୁ ସ୍ଥାନୀୟ ଲୋକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତାହାସହ ଅନେକ ଡ୍ରେନ ଓ ଆବର୍ଜନା ନଳା ଦେଇ ପିଇବା ପାଣି ପାଇପ ଯାଇଥିବାରୁ ବିକଳ୍ପ ବ୍ୟବସ୍ଥା ନଥିବାରୁ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ସ୍ଥାନୀୟ ଅଧିବାସୀଙ୍କ ସହ ଆଗନ୍ତୁକ ପର୍ଯ୍ୟଟକ। ଆଇନଶୃଙ୍ଖଳା ଦୃଷ୍ଟିରୁ କାଉଡିଆଭକ୍ତଙ୍କ ଜଳଲାଗି ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାରିକେଡ ଓ ଟେଣ୍ଡ ବ୍ୟବସ୍ଥା ହୋଇଥିଲେ ମଧ୍ୟ ସମସ୍ତ ପ୍ରସ୍ତୁତି ଯେପରି କାଗଜକଲମ ଓ ବୈଠକରେ ସୀମିତ ହୋଇ ରହିଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.