ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୧୦ ମାସ ଧରି ଅପହୃତ ହୋଇଥିବା ନାବାଳକ ଶିଶୁପୁତ୍ରକୁ ଶେଷରେ ତା ମା’ ଫେରିପାଇଛି। ଜିଲା ପୁଲିସ୍ ପ୍ରଶାସନର ବହୁ ପରିଶ୍ରମ ପରେ ଏଭଳି ସଫଳତା ମିଳିଛି ବୋଲି ଆଜି ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ତଥା ସିଟି ଡିଏସ୍ପି ଦାୟିତ୍ୱରେ ଥିବା ସମ୍ବିତ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ କହିଛନ୍ତି। ପ୍ରାପ୍ତ ଖବର ଅନୁସାରେ ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ସରସଦା ଅଂଚଳର ସମିତା ଜେନାଙ୍କ ସ୍ୱାମୀ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିବା ପରେ ଇନ୍ସ୍ୟୁରାନ୍ସ ବାବଦକୁ ପାଇବାକୁ ଥିବା ଟଙ୍କାକୁ ନେଇ ତାଙ୍କ ଶ୍ୱଶୁରଘର ଲୋକେ ଧମକ ଚମକ ଦେଇଥିଲେ। ଏପରିକି ଉକ୍ତ ଟଙ୍କାକୁ ସେମାନଙ୍କୁ ନଦେଲେ ତାକୁ ହତ୍ୟା କରିବା ସହ ଅଢେଇବର୍ଷର ଶିଶୁପୁତ୍ରଟିକୁ ଅପହରଣ କରିବାର ଚେତାବନୀ ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇବା ପରେ ସମିତା ନିଜ ବାପଘର ସାରୋରେ ରହିଆସୁଥିଲେ। ଇତିମଧ୍ୟରେ ଗତବର୍ଷ ଜୁଲାଇ ମାସରେ ତାଙ୍କ ଶ୍ୱଶୁରଘର ଲୋକେ ଶିଶୁଟିକୁ ଚକଲେଟ୍ କିମ୍ବା ବିସ୍କୁଟ ଖାଇବାକୁ ଦେଇ ଅପହରଣ କରିଥିବା ବିଷୟ ଭଣ୍ଡାରିପୋଖରୀ ଥାନାରେ ସମିତା ୨୦୨୪ ମସିହା ଜୁଲାଇ ୨୨ ତାରିଖରେ ଅଭିଯୋଗ କରିଥିଲା। ଏହି ଅଭିଯୋଗ ପରେ ପୁଲିସ୍ ୩୨୨/୨୪ ନଂ ଏକ ନାବାଳକ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବାବେଳେ ୩ ଅଭିଯୁକ୍ତ ସମିତାଙ୍କ ଶ୍ୱଶୁର ଶ୍ୱଶୁର କୈଳାସ ଜେନା, ସାନ ଦାଦା ଆଲୋକ ରଂଜନ ଜେନା, ନଣନ୍ଦେଇ ସଂଜୟ କୁମାର ଜେନା ଫେରାର ହୋଇ ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ଆଣିଥିଲେ। ତେବେ ପୁଲିସ୍ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରି ନିଖୋଜ ଶିଶୁଟିକୁ ଉଦ୍ଧାର କରିବା ଦିଗରେ ଉଦ୍ୟମ ଚଳାଇଥିଲା। କିନ୍ତୁ ଅଭିଯୁକ୍ତମାନେ ନିଜର ମୋବାଇଲ୍ ବନ୍ଦ କରିବା ଓ ସିମ୍ ବାରମ୍ବାର ବଦଳାଇବା ସହ ଶିଶୁଟିକୁ ବିଭିନ୍ନ ସ୍ଥାନରେ ରଖିବାରୁ ପୁଲିସ୍ର ତଦନ୍ତରେ ବାଧା ଉପୁଜିଥିଲା। ତେବେ ଏ ଦିଗରେ ପୁଲିସ୍ର ଧାରାବାହିକ ପ୍ରୟାସ ଫଳରେ ନିଖୋଜ ଶିଶୁଟି ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ଥିବା ଜାଣିପାରିଥିଲା ପୁଲିସ୍। ଏବଂ ଚଢାଉ କରି ଶିଶୁପୁତ୍ରଟିକୁ ତାଙ୍କର ବୁଢିମା (ସମିତାଙ୍କ ଶାଶୁ) ଠାରୁ ଉଦ୍ଧାର କରିବା ପରେ ମା’ ସମିତାକୁ ହସ୍ତାନ୍ତର କରିଛି। ଏହି ଘଟଣାରେ ପୁଲିସ୍ ଶାଶୁ ପପିନା ଜେନାକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ତେବେ ପୁଲିସ୍ ଗତ ସପ୍ତାହକ ମଧ୍ୟରେ ଜିଲାରେ ନିଖୋଜ ଥିବା କେଶ୍ ଗୁଡିକ ମଧ୍ୟରେ ରାଜ୍ୟରେ ଭଲ ସଫଳତା ପାଇବା ନେଇ ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ସମ୍ବିତ ମାଝୀ ଜିଲା ପୁଲିସ୍ ମୁଖ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସମିତା ନିଜ ଶିଶୁପୁତ୍ରଟିକୁ ପାଇ ବହୁତ ଖୁସି ଥିବା କଥା କହିଛନ୍ତି।
Home ଜିଲ୍ଲା ପରିକ୍ରମା ୧୦ ମାସ ପରେ ଅପହୃତ ନିଜ ନାବାଳକ ଶିଶୁପୁତ୍ର ଫେରିପାଇଲା ମା’, ଚନ୍ଦ୍ରଶେଖରପୁରରୁ ବୁଢିମା ଠାରୁ...








