ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିଶନ ଶକ୍ତି ବିଭାଗ ଅଧୀନରେ ଥିବା ଭଦ୍ରକ ଜିଲାର ପୌରପାଳିକା ଓ ବିଜ୍ଞାପିତ ଅଂଚଳରେ କାର୍ଯ୍ୟରତ ୪୦ ହଜାରରୁ ଉର୍ଦ୍ଧ୍ୱ ମହିଳାଙ୍କୁ ୧୭ ବର୍ଷ ତଳର ଏକ ଅକାମୀ ଗାଇଡ୍ ଲାଇନ୍ ମାଧ୍ୟମରେ ରାଜ୍ୟ ସରକାର ୨୦୨୫ ମସିହା ଜାନୁଆରୀ ୮ ଏବଂ ୨୨ ତାରିଖ ନିର୍ଦ୍ଦେଶ ବଳରେ କାର୍ଯ୍ୟରୁ ବାହାର କରିବାର ଯେଉଁ ପ୍ରକ୍ରିୟା କରିଛନ୍ତି, ତାହାର ପ୍ରତ୍ୟାହାର ଓ ସ୍ୱୟଂ ସହାୟିକା ଗୋଷ୍ଠୀର ହକ୍ ଓ ଅଧିକାର ଦାବୀରେ ଆବାହକ ଉର୍ମିଳା ପଣ୍ଡା, ସଭାନେତ୍ରୀ ଜୟନ୍ତୀ ବିଶ୍ୱାଳ, କାର୍ଯ୍ୟକାରୀ ସଭାନେତ୍ରୀ ମଂଜୁଲତା ଦାସ, ସଂପାଦିକା ରୁକସାନା ବିବି ପ୍ରମୁଖଙ୍କ ନେତୃତ୍ୱରେ ଆଜି ଭଦ୍ରକ ସ୍ୱୟଂ ସହାୟକ ଗୋଷ୍ଠୀ ମହାମଂଚ ପକ୍ଷରୁ ଜିଲାପାଳଙ୍କୁ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାପାଳଙ୍କୁ ଦିଆଯାଇଥିବା ଏହି ଦାବିପତ୍ର ମୂଳେ ୧୯୯୯ ମସିହାରୁ ବିଭିନ୍ନ କାର୍ଯ୍ୟରେ ମହିଳା ଗୋଷ୍ଠୀଙ୍କ ଦ୍ୱାରା ଚୟନ ପ୍ରକ୍ରିୟାରେ ମନୋନୀତ ମହିଳା ଇସି ସଦସ୍ୟା ସଂଖ୍ୟା ୨୫ ହଜାରରୁ ଉର୍ଦ୍ଧ୍ୱ ଅଛନ୍ତି। ଏମାନେ ସରକାରଙ୍କ ନିର୍ଦ୍ଦେଶକୁ ମାନି ତାଙ୍କର ଉନ୍ନୟନ ମୂଳକ ସମସ୍ତ କାର୍ଯ୍ୟ କରିଆସୁଥିଲେ ମଧ୍ୟ କୌଣସି ପାରିଶ୍ରମିକ ଆଜିପର୍ଯ୍ୟନ୍ତ ପାଇନାହାଁନ୍ତି। ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଓ ଏଏଲ୍ଏଫ୍ ଗଠନ, କୁଟୀର ଶିଳ୍ପ, କ୍ଷୁଦ୍ର ଶିଳ୍ପ, କ୍ଷୁଦ୍ର ବ୍ୟବସାୟ ପାଇଁ ଋଣ ଦେବା ଭଳି କାର୍ଯ୍ୟରେ ସାହାଯ୍ୟ କରିଆସୁଥିଲେ। କିନ୍ତୁ ସରକାର ଏମାନଙ୍କୁ କାର୍ଯ୍ୟରୁ ଅନ୍ତର କରିବାରୁ ଆଜି ହଜାର ହଜାର ମହିଳା ଏକ ଶୋଭାଯାତ୍ରାରେ ଗାନ୍ଧିପଡିଆ ନିକଟରୁ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିଥିଲେ। ଏମାନେ ୧୦ ଦଫା ସମ୍ବଳିତ ଦାବିପତ୍ରରେ ଦର୍ଶାଇଥିବା ଅଭିଯୋଗ ମୂଳେ ୧୫ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ନିକଟରେ ସୂଚାରୁ ରୂପେ ପ୍ରଚାର ଓ ପ୍ରସାର କରିବା ତଥା ସରକାର ଓ ସରକାରଙ୍କ ଅଧୀନ ସଂପୃକ୍ତ ବିଭାଗ ଅଧିକାରୀଙ୍କୁ ଜନଗଣଙ୍କ ଆସ୍ଥା ଭାଜନ କରିବାର ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବାବେଳେ ସେମାନଙ୍କର ଦାବିକୁ ସରକାର ଗୁରୁତର ସହିତ କର୍ଣ୍ଣପାତ କରୁନାହାଁନ୍ତି। ଏଣୁ ସରକାର ସେମାନଙ୍କର ଦାବିକୁ ତୁରନ୍ତ ଗ୍ରହଣ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।