Home Top News ୧ଠଠ ଟପିଲାଣି ତୈଳଦର: ଉତ୍ତରଦାୟୀ ରହିବ ଏନଡିଏ ସରକାର: ଶ୍ରୀ ଦାସବର୍ମା

୧ଠଠ ଟପିଲାଣି ତୈଳଦର: ଉତ୍ତରଦାୟୀ ରହିବ ଏନଡିଏ ସରକାର: ଶ୍ରୀ ଦାସବର୍ମା

110

ଭୁବନେଶ୍ୱର ୭-୬ (ଓଡ଼ିଆ ପୁଅ) କରୋନା ମହାମାରୀ ଦେଶର ଅର୍ଥନୀତିକୁ ରସାତଳଗାମୀ କରିସାରିଲାଣି। ଦୁଇବର୍ଷ ହେଲା ସମ୍ପୂର୍ଣ୍ଣ ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ତ।

ଭୟଙ୍କର ମାନ୍ଦାବସ୍ଥା ଲାଗି ରହିଛି। ମହାମାରୀ ପାଇଁ ଲକ୍ଷ ଲକ୍ଷ ଲୋକ ଜୀବିକା ହରାଇଛନ୍ତି। ସାଧାରଣ ଜନତାଙ୍କ ପକେଟ୍ ଖାଲି। ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଲୋକଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେବା ବଦଳରେ କୁଠାରଘାତ କରାଯାଉଛି। ବାରମ୍ବାର ତୈଳ (ପେଟ୍ରୋଲ୍ ଓ ଡିଜେଲ) ଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା କହିଛନ୍ତି।

ଏକ ପ୍ରେସ୍ ବିବୃତ୍ତି ଜରିଆରେ ଶ୍ରୀ ଦାସବର୍ମା କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ୍ର ମାତ୍ରାଧିକ ଦର ବୃଦ୍ଧି ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ଆକାଶଛୁଆଁ ହୋଇଛି। ଜନସାଧାରଣ ଏବେ ଭୀଷଣ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି। ହେଲେ ଏଥିପ୍ରତି ଆଦୌ ଦୃଷ୍ଟି ନାହିଁ। ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପେଟ୍ରୋଲ୍ ଲିଟର ପିଛା ଦର ୧ଠଠ ଟଙ୍କା ପାର୍ କରିସାରିଲାଣି। ଓଡ଼ିଶା ପୂର୍ବରୁ ଦେଶର ଅନ୍ୟ ସହରରେ ବି ପେଟ୍ରୋଲ ଦର ସେଞ୍ଚୁରୀ ମାରିସାରିଛି। ମାତ୍ରାଧିକ ଟିକସ ଯୋଗୁଁ ଦର ବୃଦ୍ଧି ହେଉଥିବା ଲକ୍ଷ୍ୟ କରାଯାଉଛି। କିନ୍ତୁ ଏ ଦିଗରେ କେନ୍ଦ୍ର ସରକାର ଦୃଷ୍ଟି ଦେଉନାହାନ୍ତି। କେବଳ ମେ’ ମାସରେ ୧୬ ଥର ତୈଳଦରରେ ପରିବର୍ତ୍ତନ ହୋଇଥିଲା। ଯଦି ହିସାବ କରାଯାଏ, ତାହେଲେ ମାତ୍ର ୫ ସପ୍ତାହରେ ଡିଜେଲ ଦର ୫ ଟଙ୍କା ବଢ଼ିସାରିଲାଣି। ପେଟ୍ରୋଲ୍ ବି ଏହାରି ମଧ୍ୟରେ ୫ ଟଙ୍କା ବଢ଼ିଲାଣି। ପରିତାପର କଥା ଯେ, ଏଭଳି ଏକ ସମ୍ବେଦନଶୀଳ ବିଷୟକୁ କରୋନା ଆଢ଼ୁଆଳରେ ଚପାଇ ଦିଆଯାଉଛି। ଦେଶର ପ୍ରମୁଖ ବିରୋଧୀ ଦଳ ଉପଭୋକ୍ତାଙ୍କ ସ୍ୱାର୍ଥ ପ୍ରସଙ୍ଗରେ ଅସମ୍ଭବ ନୀରବତା ପ୍ରଦର୍ଶନ କରିବା ବିଡ଼ମ୍ବନାର ବିଷୟ। କିନ୍ତୁ ଏ ପ୍ରସଙ୍ଗ ଜୀବନ୍ତ। ଜନସାଧାରଣଙ୍କ ସ୍କ୍ରୁଟିନିରେ ଏହା ରହିଛି। ଆଗାମୀ ଦିନରେ ଏଥିପାଇଁ କେନ୍ଦ୍ରରେ ନେତୃତ୍ୱାଧୀନ ଏନ୍ଡିଏ ସରକାର ଉତ୍ତରଦାୟୀ ରହିବ। ୨ଠ୧୪ ପୂର୍ବରୁ ଯେତେବେଳେ ପେଟ୍ରୋଲ, ଡିଜେଲ ଦର ବଢ଼ୁଥିଲା, ସେ ସମୟରେ ବିଜେପିର ନେତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଥିଲେ। ଏପରିକି ୨ଠ୧୩ରେ ଦିଲ୍ଲୀର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କ ଘରକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଦରଦାମ୍ ନିୟନ୍ତ୍ରଣରେ ସରକାରର ବିଫଳତାକୁ ପ୍ରସଙ୍ଗ କରି ତମ୍ବିତୋଫାନ କରାଯାଉଥିଲା। ‘ଆମେ ଆସିଲେ ଦରଦାମ୍ ନିୟନ୍ତ୍ରଣ କରିବୁ’, ‘ଆମ୍ ଜନତାର ସରକାର ହେବ’ ଭଳି ବିଭିନ୍ନ ସ୍ଲୋଗାନ୍ ଦେଇ କେନ୍ଦ୍ରରେ କ୍ଷମତାସୀନ ହୋଇଥିବା ବିଜେପି ସରକାରରେ ଏବେ ଦରଦାମ୍ ନିୟନ୍ତ୍ରଣ ବାହାରେ। ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇଛି। ଗତ କେନ୍ଦ୍ର ବଜେଟ୍ରେ ପେଟ୍ରୋଲ ଓ ଡିଜେଲ ଉପରେ ଅତିରିକ୍ତ ଭାବେ କୃଷି ଭିତ୍ତିଭୂମି ଉନ୍ନତିକରଣ ସେସ୍ ଲଦି ଯାଇଛି। ବଜେଟ୍ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଏହାର ପ୍ରଭାବ ତୈଳଦର ଉପରେ ପଡ଼ିବନି। କିନ୍ତୁ ବାସ୍ତବରେ ଏହା ଥିଲା ଜନସାଧାରଣଙ୍କୁ ପ୍ରତାରଣା। କାରଣ ପ୍ରତିଦିନ ଏବେ ତୈଳଦର ବଢ଼ିବାରେ ଲାଗିଛି। କେନ୍ଦ୍ର ସରକାର ତୈଳ ଉପରୁ ଉତ୍ପାଦ ଶୁଳ୍କ କମାଇବା ସହ କୃଷି ସେସ୍ ପ୍ରତ୍ୟାହାର କଲେ ଦର କମିବ। ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଦାସବର୍ମା ଦାବି କରିଛନ୍ତି। ନଚେତ୍ ଜନସାଧାରଣ ଏହାର ଜବାବ୍ ଉଚିତ୍ ସମୟରେ ଦେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.