Home ଓଡ଼ିଶା ୟୁ ଜି ସିର ଛାତ୍ର ବିରୋଧି ପରୀକ୍ଷା ପରିଚାଳନା ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଏ-ଆଇ-ଏସ୍‌-ଏଫ୍‌-ର ଦାବି

ୟୁ ଜି ସିର ଛାତ୍ର ବିରୋଧି ପରୀକ୍ଷା ପରିଚାଳନା ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଏ-ଆଇ-ଏସ୍‌-ଏଫ୍‌-ର ଦାବି

139

ଭୁବନେଶ୍ୱର, ୮ା୭ (ଓଡ଼ିଆ ପୁଅ) : ୟୁ ଜି ସି ଗାଇଡ୍ ଲାଇନ୍‌, ୬, ଜୁଲାଇ ୨୦୨୦କୁ ଅଖିଳ ଭାରତ ଛାତ୍ର ସଂଘ ବିରୋଧ କରିବା ସହ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଅଛି। ଗୃହ ମନ୍ତ୍ରଣାଳୟ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମଞ୍ଜୁରୀ ନେଇ ୟୁ ଜି ସି ଗତ ୬ ଜୁଲାଇରେ ଜାରି କରିଥିବା ଗାଇଡ୍‌ଲାଇନ୍ ସମସ୍ତ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ସେପ୍ଟେମ୍ବର ସୁଦ୍ଧା ପରୀକ୍ଷା ଶେଷ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛି। ୟୁ ଜି ସିର ଏହି ନିଷ୍ପତ୍ତି ଧନୀ-ଗରିବ ଛାତ୍ର ବିଭାଜନ, ଅମାନବୀୟ, ଦାୟିତ୍ୱହୀନ ଓ ଅଗଣତାନ୍ତ୍ରିକ। ମୁଷ୍ଟିମେୟ କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ନିଷ୍ପତ୍ତି ବାସ୍ତବ ସ୍ଥିତିଠାରୁ ବହୁ ଦୂରରେ ଓ ଦୂରଦୃଷ୍ଟିହୀନ ଏବଂ ଏହା ବହୁଜାତୀୟ କମ୍ପାନୀମାନଙ୍କ ବ୍ୟବସାୟିକ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ। ଗତ ମାର୍ଚ୍ଚ ମାସରୁ ଇତିମଧ୍ୟରେ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ହେବ ଏବଂ ହେବନାହିଁ ଏହି ବିଭ୍ରାନ୍ତିକର ନିର୍ଦ୍ଦେଶାବଳୀ ପ୍ରସାରଣ କରାଇ ମାନବ ସମ୍ବଳ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟ ସମଗ୍ର ଦେଶରେ ଛାତ୍ରଛାତ୍ରୀମାନଙ୍କର ଅଧ୍ୟୟନ ମନୋବଳକୁ ଘୋର ଆଘାତ ଦେଇଛନ୍ତି। କେତେକ ରାଜ୍ୟ ସରକାର କରୋନା ସ୍ଥିତିକୁ ଅନୁଧ୍ୟାନ କରି ପରୀକ୍ଷା ବାତିଲ୍ ନିଷ୍ପତ୍ତି ନେଇଥିବା ସ୍ଥଳେ ୟୁ ଜି ସି ପକ୍ଷରୁ କୌଣସି ହିତାଧିକାରୀ ଯଥା- ଛାତ୍ର ସଂଗଠନ, ଶିକ୍ଷକ ସଂଗଠନ ଓ ଶିକ୍ଷାବିତ୍‌ମାନଙ୍କ ପରାମର୍ଶ ନ ନେଇ ଏକତରଫା ନିଷ୍ପତ୍ତି ଅଧିକ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୁଯୋଗରୁ ବଞ୍ଚିତ କରିବା ପାଇଁ ହୀନ ଷଡ଼ଯନ୍ତ୍ର ଓ ଉଦ୍ଦେଶ୍ୟ ପ୍ରଣୋଦିତ ଅଟେ। ପ୍ରଚଳିତ ଶିକ୍ଷାନୀତିରେ ଦୁର୍ବଳ ଭିତ୍ତିଭୂମିରେ ଶାରୀରିକ ଦୂରତା ରକ୍ଷା କରି ମହାମାରୀ ସମୟରେ ପରୀକ୍ଷା ପରିଚାଳନା କରିବା ଏକ ଦିବା ସ୍ୱପ୍ନ। ଏହି ଅମାନବୀୟ ନିଷ୍ପତ୍ତି ଛାତ୍ରଛାତ୍ରୀମାନଙ୍କୁ କରୋନାର କରାଳଗ୍ରାସ ମଧ୍ୟ ଠେଲିଦେବ। ୟୁ ଜି ସିର ଗାଇଡ୍‌ଲାଇନ୍ ମଧ୍ୟରେ ଯେଉଁ ଅନ୍‌ଲାଇନ୍ ପରୀକ୍ଷାର ନିର୍ଦ୍ଦେଶ ରହିଛି, ତାହା ଅଧିକାଂଶ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସୁଯୋଗରୁ ବଞ୍ଚିତ କରିବ। ୟୁ ଜି ସିର ଏହି ଧନୀ, ଗରିବ ଛାତ୍ର ବିଭାଜନ ଓ ସମୂହ ଛାତ୍ର ବିରୋଧି ପରୀକ୍ଷା ପରିଚାଳନା ପଦ୍ଧତିର ନିର୍ଦ୍ଦେଶାବଳୀ ତୁରନ୍ତ ପ୍ରତ୍ୟାହାର କରି ହିତାଧିକାରୀ ଛାତ୍ର ସଂଗଠନ, ଶିକ୍ଷକ ସଂଗଠନ ଓ ଶିକ୍ଷାବିତ୍‌ଙ୍କ ସହ ଆଲୋଚନା କରି ସର୍ବବାଦୀ ମତ ଭିତ୍ତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଭବିଷ୍ୟତକୁ ସୁନିଶ୍ଚିତ କରିବା ଦିଗରେ ଆବଶ୍ୟକୀୟ ନିଷ୍ପତ୍ତି ନେବାପାଇଁ ଏ-ଆଇ-ଏସ୍‌-ଏଫ୍‌- ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦୃଢ ଦାବି କରାଯାଇଛି ବୋଲି ଏ-ଆଇ-ଏସ୍‌-ଏଫ୍‌-ର ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.