Home ଜିଲ୍ଲା ପରିକ୍ରମା ହେନ୍ତାଳ ବଣ ଲୋପ ପାଇବା ଯୋଗୁ ଉପକୂଳରେ ବିପତ୍ତି ବଢୁଛି, ଶୀତଳ ଭଣ୍ଡାରରେ ସୁନାମି ପ୍ରକଳ୍ପ

ହେନ୍ତାଳ ବଣ ଲୋପ ପାଇବା ଯୋଗୁ ଉପକୂଳରେ ବିପତ୍ତି ବଢୁଛି, ଶୀତଳ ଭଣ୍ଡାରରେ ସୁନାମି ପ୍ରକଳ୍ପ

1037

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉପକୂଳର ସୁରକ୍ଷା କବଜ କୁହାଯାଉଥିବା ହେନ୍ତାଳବଣ ଏବଂ ବନି ଜଙ୍ଗଲ ଲୋପ ପାଇବା ଯୋଗୁ ଉପକୂଳ ପ୍ରତି ବିପତ୍ତି ବଢୁଛି । ସାମୁଦ୍ରିକ ଝଡବାତ୍ୟା ଏବଂ ସୁନାମି ପ୍ରକୋପରୁ ଉପକୂଳକୁ ସୁରକ୍ଷା ଯୋଗାଇ ଦେଉଥିବା ବିସ୍ତୃତ ବନି ଜଙ୍ଗଲ ଏବଂ ହେନ୍ତାଳ ବଣ ଧୀରେ ଧୀରେ ଲୋପ ପାଉଥିବା ଯୋଗୁ ଏହି ପରିସ୍ଥିତି ଉପୁଜିଛି । ନିକଟରେ ସାମୁଦ୍ରିକ ଝଡବାତ୍ୟା ୟାସ ପ୍ରଭାବରେ ଉପକୂଳ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ବଂଚି ରହିଥିବା କିଛି ହେନ୍ତାଳ ବଣ ଏବଂ ବନି ଜଙ୍ଗଲ ଯୋଗୁ କିଛି ମାତ୍ରାରେ ବାତ୍ୟା ପ୍ରକୋପ ହ୍ରାସ ପାଇଥିଲା । ତଥାପି ସାମୁଦ୍ରିକ ଜୁଆର ସମୁଦ୍ର କୂଳିଆ ଗାଁଗଣ୍ଡାକୁ ବନ୍ୟା ପ୍ଲାବିତ କରିଥିବା ବେଳେ ବିସ୍ତୃତ ଚାଷଜମି ଜଳମଗ୍ନ ହୋଇ ପଡିଥିଲା । ଯାହାକି ଉପକୂଳବାସୀଙ୍କ ପାଇଁ ପୁଣି ଏକ ସତର୍କ ଘଂଟି ସାବ୍ୟସ୍ତ ହୋଇଛି । ଉପକୂଳରେ ପ୍ରକୃତି ପ୍ରଦତ୍ତ ଏହି ହେନ୍ତାଳବଣ ଏବଂ ବନି ଜଙ୍ଗଲ କେବଳ ସାମୁଦ୍ରିକ ଝଡବାତ୍ୟା ନୁହେଁ ପରନ୍ତୁ ସାମୁଦ୍ରିକ ଜୁଆର କବଳରୁ ଉପକୂଳକୁ ସୁରକ୍ଷା ଯୋଗାଇ ଦେଇଥାଏ । ପବନର ଗତିରୋଧ ସହିତ ସମୁଦ୍ରରେ ଉଠୁଥିବା ବଡ ବଡ ଜୁଆରକୁ ପ୍ରତିହତ କରିବାରେ ସମର୍ଥ ହୋଇଥାଏ । ତେବେ ଗତ କିଛି ବର୍ଷ ହେବ ଉପକୂଳରେ ବଢିଚାଲିଥିବା ଚିଙ୍ଗୁଡି ଚାଷ ଯୋଗୁ ବିସ୍ତୃତ ହେନ୍ତାଳବଣ ଏବଂ ବନି ଜଙ୍ଘଲକୁ କାଟି ପଦା କରିଦିଆଯିବା ଯୋଗୁ ଉପକୂଳ ଧୀରେ ଧୀରେ ଟାଙ୍ଗରା ଭୁଇଁରେ ପରିଣତ ହୋବାକୁ ଯାଉଛି । ଫଳରେ ସାମାନ୍ୟ ଝଡବାତ୍ୟା ସାଙ୍ଗକୁ ସମୁଦ୍ରର ଛୋଟ ଜୁଆର ମଧ୍ୟ ଜନବସତିକୁ ପଶିଆସି ବ୍ୟାପକ କ୍ଷୟକ୍ଷତିର କାରଣ ହେଉଛି । ରାଜ୍ୟର ସମୁଦ୍ର ଉପକୂଳରେ ରହିଥିବା ପ୍ରାୟ ୨୫୧ ବର୍ଗକିଲୋମିଟର ପରିବ୍ୟାପ୍ତ ହେନ୍ତାଳବଣ ଧିରେ ଧିରେ ଲୋପ ପାଇବାକୁ ବସିଥିବା ବେଳେ ଏହାର ସୁରକ୍ଷା ନେଇ ସରକାରୀ ସ୍ତରରେ ଅନୁରୁପ ଉଦ୍ୟମ ହେଉନାହିଁ ।

ଫରେଷ୍ଟ ସର୍ଭେ ଅଫ ଇଣ୍ଡିଆ ରିର୍ପୋଟ ଅନୁଯାଇ ଗତ ୨୦୧୧ ମସିହା ଠାରୁ ୨୦୨୦ ମସିହା ପର୍ଯ୍ୟନ୍ତ ରାଜ୍ୟ ପ୍ରାୟ ୨୧ ବର୍ଗ କିମି ପରିବ୍ୟାପ୍ତ ହେନ୍ତାଳ ବଣ ହରାଇଥିଲେ ମଧ୍ୟ ଅନୁରୁପ ଜଙ୍ଗଲ ସୃଷ୍ଟି କରାଯାଇ ପାରି ନାହିଁ । ସୁଚନା ଅନୁଯାଇ କେବଳ କେନ୍ଦ୍ରାପଡା ଜିଲ୍ଲାରେ ସର୍ବାଧିକ ୧୮୩ ବର୍ଗ କିମି ହେନ୍ତାଳ ବଣ ରହିଥିବା ବେଳେ ଭଦ୍ରକ ଜିଲ୍ଲାରେ ୨୧ ବର୍ଗକିମି,ଜଗତସିଂପୁର ଜିଲ୍ଳାରେ ୭ ବର୍ଗ କିମି ଏବଂ ବାଲେଶ୍ୱର ଜିଲ୍ଲାରେ ୨ ବର୍ଗ କିମି ହେନ୍ତାଳ ବଣ ରହିଛି । ଯେଉଁଥିରେ ପ୍ରାୟ ୧୬୦ ପ୍ରଜାତିର ଗୁଳ୍ମ,ଲତା ଏବଂ ଜୀବଜନ୍ତୁ ଦେଖାଯାଇଥାନ୍ତି । ଯାହାକି ପରିବେଶ ସନ୍ତୁଳନ ସହିତ,ଜୈବ ବିବିଧତା ଏବଂ ସାମୁଦ୍ରିକ ଝଡବାତ୍ୟା ଏବଂ ଜୁଆର ରୋକିବାରେ ସମର୍ଥ ହୋଇଥାଏ । ହେଲେ ସରକାରୀ ଅବହେଳା ଯୋଗୁ ରାଜସ୍ୱ ବିଭାଗର କିଛି ଅସାଧୁ କର୍ମଚାରୀ ଏବଂ ଚିଙ୍ଗୁଡି ମାଫିଆଙ୍କ ସଲାସୁତୁରାରେ ଉପକୂଳର ଏହି ପ୍ରକୃତିପ୍ରଦତ ଜଙ୍ଗଲ ସଂପଦର ଅବକ୍ଷୟ ଘଟି ଚାଲଇଛି । ଜଙ୍ଗଲ କାଟି ବସତିସ୍ଥାପନ ସହିତ ବ୍ୟବସାୟିକ ଭିତିରେ ହଜାର ହଜାର ହେକ୍ଟର ଜମିରେ ବେଆଇନ ଚିଙ୍ଗୁଡି ଘେରୀ ନିର୍ମାଣ ଉପକୂଳର ଏହି ମୁଲ୍ୟବାନ ଜଙ୍ଗଲ ସଂପଦ ଅବକ୍ଷୟର ମୁଖ୍ୟ କାରଣ ପାଲଟିଛି । ଉପକୂଳର ଏହି ଜଙ୍ଗଲ ସଂପଦର ସୁରକ୍ଷା ସକାସେ ଗତ ୨୦୧୦ ମସିହାରେ ଜଳସଂପଦ ବିଭାଗ,ସାଳନ୍ଦୀ କେନାଲ ଡିଭିଜନ ଏବଂ ଓସଡମା ପକ୍ଷରୁ ଏକ ସୁନାମି ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ୧୭ କିମି ପରିବ୍ୟାପ୍ତ ଉପକୂଳରେ ସୁଉଚ ଲୁଣାବନ୍ଧ ନିର୍ମାଣ ପରିକଳ୍ପନା କରାଯାଇଥିଲା । ହେଲେ ସରକାରୀ ନାଲି ଫିତା ତଳେ ହଜି ଯାଇଛି ସରକାରଙ୍କ ଏହି ସୁନାମୀ ପ୍ରକଳ୍ପ ଯୋଜନା । ପୁରୁଣାକାଳରୁ ନିର୍ମିତ ଲୁଣାବନ୍ଦ ଅଧିକାଂଶ ସ୍ଥାନରେ ଭାଙ୍ଗିରୁଜି ମାଟିରେ ମିଶି ଯାଇଥିବା ବେଳେ ଆଉକେତେକ ସ୍ଥାନରେ ଚିଙ୍ଗୁଡିି ମାଫିଆଙ୍କ ଦ୍ୱାରା ବନ୍ଧ କାଟି ଘାଇ କରି ଦିଆଯାଇଛି । ଫଳରେ ସମୁଦ୍ରରେ ଛୋଟିଆ ଜୁଆରଟିଏ ଉଠିଲେ ତାହା ଉପକୂଳର ବିସ୍ତୃତ ଚାଷଜମିକୁ ଜଳାର୍ଣ୍ଣବ କରି କୃଷି କ୍ଷେତ୍ରରେ ଏକ ନକରାତ୍ମକ ପରିସ୍ଥିତି ସୃଷ୍ଟି କରିଛି । ଫଳରେ ସମୁଦ୍ର ଠାରୁ ମାତ୍ର ୧୦/୧୫ କିମି ଦୁରତ୍ୱରେ ରହିଥିବା ଗାଁଗଣ୍ଡା ଗୁଡିକ ସର୍ବଦା ବିପଦପୁର୍ଣ୍ଣ ସାବ୍ୟସ୍ତ ହୋଇ ଆସୁଛନ୍ତି । ଯାହାର ନଜିର ନିକଟରେ ଦେଖାଦେଇଥିବାର ବାତ୍ୟା ୟାସର ଖଣ୍ଡ ପ୍ରଳରୁ ପ୍ରମାଣିତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.