Home ଅନୁଗୁଳ ହିଙ୍ଗୁଳା ଲୋକ ମହୋତ୍ସବର ସପ୍ତମ ସନ୍ଧ୍ୟା : ଗୋଟିପୁଅ, ସାନ୍ତାଳୀ ଓ ରାଜସ୍ଥାନୀ ନୃତ୍ୟକୁ ଦର୍ଶକଙ୍କ...

ହିଙ୍ଗୁଳା ଲୋକ ମହୋତ୍ସବର ସପ୍ତମ ସନ୍ଧ୍ୟା : ଗୋଟିପୁଅ, ସାନ୍ତାଳୀ ଓ ରାଜସ୍ଥାନୀ ନୃତ୍ୟକୁ ଦର୍ଶକଙ୍କ ପ୍ରଶଂସା

31

ତାଳଚେର, ୨୨/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ବ୍ଲକ ଗୋପାଳ ପ୍ରସାଦ ସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୮ ତମ ଲୋକ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳର ନବନିର୍ବାଚିତା ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ତାଳଚେର ବ୍ଲକ ଅଧକ୍ଷା ହେମଲତା ମହାନ୍ତି, କଣିହାଁ ପଂଚାୟତ ସମିତି ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ରଞ୍ଜନ କୁମାର ସାହୁ, ଅମୀୟ ପ୍ରଧାନ, ବଭ୍ରୁ ପ୍ରସାଦ ପତି, ରୀତାରାଣୀ ଦାସ ଓ ସତ୍ୟଭାମା ସାହୁ, ଭରତପୁର କୋଇଲାକ୍ଷେତ୍ରର ମହାପ୍ରବନ୍ଧକ ନୀରଦ କାର୍ଲା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପବିତ୍ର ପୀଠକୁ ଏକ ପ୍ରମୁଖ ପୀଠ ଭାବରେ ଗଢି ତୋଳିବାକୁ ସମସ୍ତେ ମିଳିମିଶି ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ। ତାହାସହିତ ମନ୍ଦିରର ଉନ୍ନତି ପାଇଁ ସ୍ଥାନୀୟ ପ୍ରଶାସନ, ବିଧାୟକ, ସାଂସଦ ତଥା ସର୍ବୋପରି ଟ୍ରଷ୍ଟବୋର୍ଡ ନିରନ୍ତର ଉଦ୍ୟମ ଜାରି ରଖିଥିବାରୁ ସେ ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅତିଥିମାନେ ମା’ ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୧ ଲକ୍ଷରୁ ଉର୍ଦ୍ଧ୍ୱ ଅର୍ଥରାଶି ପ୍ରଦାନ କରିଥିବା ସଂସ୍ଥାଗୁଡିକୁ ହିଙ୍ଗୁଳା ଟ୍ରକ ମାଲିକ ସଂଘର ନୂତନ, ପୁରାତନ ଓ ଗୋପାଳ ପ୍ରସାଦ ଶାଖା, ସୋଲଡା ଟ୍ରକ ମାଲିକ ସଂଘ, ଅନନ୍ତ ଟ୍ରକମାଲିକ ସଂଘ, ଲିଙ୍ଗରାଜ କୋଇଲା ଖଣି ସୁରକ୍ଷା କର୍ମୀ ସଂଘ, ଡଅଁରା ଓ ବିଜିଗୋଳ ଗ୍ରାମବାସୀଙ୍କ ସମେତ ଭୂବନ ପ୍ରଧାନ, ଦିଲୀପ କୁମାର ମହାଭୋଇ, ମହେଶ୍ୱର ଗଡ଼ନାୟକଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟବୋର୍ଡ ପକ୍ଷରୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ତାଳଚେର ଡେରାସ୍ଥିତ ନୃତ୍ୟକଳା ଏକାଡେମୀର କୁନିକୁନି କଳାକାରମାନଙ୍କ ଦ୍ୱାରା ପରିବେଷିତ ଆଦିବାସୀ ଲୋକନୃତ୍ୟ, ଅଗ୍ନିରୂପା କଳା ଏକାଡେମୀର କଳାକାରମାନଙ୍କ ଦ୍ୱାରା ସାନ୍ତାଳୀ ନୃତ୍ୟ ଓ ଓଡିଶାର ଗଣପର୍ବ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ସେହିପରି ଭୁବନେଶ୍ୱରର ଆରାଧନା ଡ୍ୟାନ୍ସ ଗ୍ରୁପ୍‌ର କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାକ୍ଷୀଗୋପାଳ, ପୁରୀର ଗୋଟିପୁଅ ନୃତ୍ୟ ଆଜି ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା। ସେହିପରି ରାଜସ୍ଥାନର ଶର୍ମା ଗ୍ରୁପ ଅଫ୍ କମ୍ପାନୀର କଳାକାରମାନଙ୍କର ପାରମ୍ପରିକ ରାଜସ୍ଥାନୀ ଲୋକନୃତ୍ୟ ପରିବେଷଣ ସହ ଲୋକସଙ୍ଗୀତ ଦର୍ଶକମାନଙ୍କର ମନକୁ ଜିଣବାରେ ସକ୍ଷମ ହୋଇଥିଲା। କାର୍ଯ୍ୟକ୍ରମକୁ ସଞ୍ଜୀବ ପଟ୍ଟନାୟକ ଓ ଲକ୍ଷ୍ମୀପ୍ରିୟା ସେନାପତି ପରିଚାଳନା କରିଥିଲେ। ଡେପୁଟି କଲେକ୍ଟର ଚିନ୍ମୟୀ ଚେତନା ଦାସ, ସହକାରୀ ଜିଲ୍ଲାପାଳ ଚିନ୍ମୟ କୁମାର ଦାସ, ପ୍ରକାଶ କୁମାର ନାୟକ, ଟ୍ରଷ୍ଟବୋର୍ଡ ସଦସ୍ୟ ରାଜେନ୍ଦ୍ର ସିଂହ, ମୂରଲୀଧର ସାହୁ, ଅରୁଣ କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ସଞ୍ଜୟ କୁମାର ସାହୁ, ଗଗନ ବିହାରୀ ସାହୁଙ୍କ ସମେତ ଧୂଳେଶ୍ୱର ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.