Home ଅନୁଗୁଳ ହିଙ୍ଗୁଳା ପୀଠରେ ୩୫ତମ ମହାଚଣ୍ଡୀ ଯଜ୍ଞ

ହିଙ୍ଗୁଳା ପୀଠରେ ୩୫ତମ ମହାଚଣ୍ଡୀ ଯଜ୍ଞ

31

ତାଳଚେର,୨୬/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର କାର୍ତିକ ପଂଚକର ଅବସରରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଗୋପାଳପ୍ରସାଦ ପୀଠରେ ୫ ଦିନ ବ୍ୟାପୀ ୩୫ତମ ମହାଚଣ୍ଡୀ ଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବୁଧବାର ଅପରାହ୍ନରେ ନିକଟସ୍ଥ ସିଙ୍ଗଡା ନଦୀରୁ ପବିତ୍ର ଜଳ କଳସକୁ ଆଣି ମା ହିଙ୍ଗୁଳାଙ୍କ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କ ପୌରହିତ୍ୟରେ ପଣ୍ଡିତ ଚନ୍ଦ୍ରଶେଖର ମହାପାତ୍ର,ପବିତ୍ର ମୋହନ ନାଥ,ସୁଭାଷ ଚନ୍ଦ୍ର ନନ୍ଦ,ମୀନକେତନ ମିଶ୍ର,ହୃଦୟ ଶତପଥୀ ଓ ପ୍ରମୋଦ ପାଣିଗ୍ରାହୀ ପ୍ରମୁଖ ଯଜ୍ଞକାର୍ଯ୍ୟ ପରିଚାଳନା କରୁଛନ୍ତି । ସୂର୍ଯ୍ୟ ପୂଜା,ସର୍ବ ଦେବାଦେବୀଙ୍କ ଆବାହନ ସହିତ ଶ୍ରୀମଦ୍ ଭଗବଦ୍ ଗୀତା ମହାଯଜ୍ଞ ପ୍ରଭୃତି ଅନୁଷ୍ଠାନ ବିଧିବିଧାନ ଅନୁଯାୟୀ ସଂପନ୍ନ କରାଯାଇଥିଲା । ଏହା ସହିତ ଦ୍ୱାଦଶୀ ତିଥିରେ ଭଗବାନ ନୃସିଂହଙ୍କ ଉପାସନା ଓ ଶ୍ରୀଦେବୀ ମହାଯଜ୍ଞ,ତ୍ରୟଦଶୀ ତିଥିରେ ନବଗ୍ରହ ଯଜ୍ଞ,ଚତୁର୍ଦ୍ଦଶୀ ତିଥିରେ ମହା ରୁଦ୍ରାଭିଷେକ ଓ ରୁଦ୍ର ମହାଯଜ୍ଞ ଏବଂ ଚଳିତ ମାସ ୩୦ ତାରିଖ ପୂର୍ଣ୍ଣିମା ତିଥିରେ ମା ହିଙ୍ଗୁଳାଙ୍କ ଷୋଡଶ ଉପଚାର ପୂଜା,ମହାଚଣ୍ଡୀ ଯଜ୍ଞ ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି । ଚଳିତ ବର୍ଷ କୋରୋନା କଟକଣାକୁ ଦୃଷ୍ଟିରେ ରଖି ଯଜ୍ଞମଣ୍ଡପକୁ କପଡା ଦ୍ୱାରା ଆବଦ୍ଧ କରାଯାଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଆଗମନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ମା ହିଙ୍ଗୁଳା ବିଶ୍ୱଶାନ୍ତି ଯଜ୍ଞାନୁଷ୍ଠାନ ଓ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଏହି ଯଜ୍ଞ ଅନୁଷ୍ଠିତ ହେଉଅଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.