Home ଜିଲ୍ଲା ପରିକ୍ରମା ହାଡଭଙ୍ଗା ଅପରେସନ ଜନିତ ସମସ୍ତ ଖର୍ଚ୍ଚ ମୁଖ୍ୟ ଚିକିତ୍ସାଳୟ ବହନ କରିବ – ସିଡିଏମଓ

ହାଡଭଙ୍ଗା ଅପରେସନ ଜନିତ ସମସ୍ତ ଖର୍ଚ୍ଚ ମୁଖ୍ୟ ଚିକିତ୍ସାଳୟ ବହନ କରିବ – ସିଡିଏମଓ

74

ଭଦ୍ରକ, ୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ତରଫରୁ ଏକ ପ୍ରତିନିଧିଦଳ ଭଦ୍ରକରେ ବିପର୍ଯ୍ୟୟ ସ୍ୱାସ୍ଥ୍ୟ ସେବା ସଂପର୍କରେ ଭଦ୍ରକ ହସ୍‌ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଏଡିଏମଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅସ୍ଥିଶଲ୍ୟ ବିଭାଗର ବିଭିନ୍ନ ଅନିୟମିତତା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଯନ୍ତ୍ରପାତିର ଅଭାବ ଦର୍ଶାଇ ବିଭାଗର ଡାକ୍ତରମାନେ ରୋଗୀଙ୍କୁ ପ୍ରାଇଭେଟ ନର୍ସିଂହୋମ ପଠାଉଥିବା ଅଭିଯୋଗ ସଂପର୍କରେ ସିଡିଏମଓ ଆଶ୍ୱାସନା ଦେଇଥିଲେ ଯେ ଅପରେସନ ନିମନ୍ତେ ଆବଶ୍ୟକ ସମସ୍ତ ଯନ୍ତ୍ରପାତି ଡାକ୍ତରଖାନାରେ ରହିଛି ଏବଂ ଯାହା ଆବଶ୍ୟକ ହେବ ତୁରନ୍ତ କିଣାଯାଇପାରିବ। ଅପରସେନ୍ ବାବଦକୁ ସମସ୍ତ ଖର୍ଚ୍ଚ ହସପିଟାଲ ବହନ କରିବ ଏବଂ ରୋଗୀଙ୍କୁ ଆଉ ଅଣହେଳା କରାଯିବ ନାହିଁ। ଏଥି ସହିତ ସିଡିଏମଓ ପ୍ରତିଶ୍ରୁତି ଦେଇଥିଲେ ଯେ ବରିଷ୍ଠ ନାଗରିକମାନଙ୍କ ସକାଶେ ଔଷଧ କାଉଣ୍ଟର ଏବଂ ପାଥୋଲୋଜି ବିଭାଗରେ ସ୍ୱତନ୍ତ୍ର ଧାଡିର ବ୍ୟବସ୍ଥା ରହିବା ସହିତ ସେମାନଙ୍କ ନିମନ୍ତେ ମେଡିସିନ ଓ୍ୟାର୍ଡରେ ଦଶଟି ଶଯ୍ୟା ସଂରକ୍ଷିତ ରହିବ।

ବରିଷ୍ଠ ନାଗରିକଙ୍କ ନିମନ୍ତେ ପାଥୋଲୋଜି ବିଭାଗର ସମସ୍ତ ପରୀକ୍ଷା ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରାଯିବା ସହିତ କ୍ୟାନସର କେମୋ ଥେରାପି ବିଭାଗର ବିଭିନ୍ନ ଅଭିଯୋଗ ସଂପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଡିଏମଓ ଆଶ୍ୱାସନା ଦେଇଥିଲେ। ବିଭିନ୍ନ ବିଭାଗରେ ଡାକ୍ତରଙ୍କ ଅଭାବ ଏବଂ କ୍ରମବର୍ଦ୍ଧିଷ୍ଣୁ ରୋଗୀଙ୍କୁ ସ୍ୱାସ୍ଥ୍ର‌୍ୟ ସେବା ପ୍ରଦାନ ନିମନ୍ତେ ମୁଖ୍ୟ ଚିକିତ୍ସାଳୟ ପରିସର ଯଥେଷ୍ଟ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା। ଡାକ୍ତରଖାନା ପରିସରରେ କିଛି ଅସାମାଜିକ ବ୍ୟକ୍ତି ନିୟମିତ ଭାବେ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁ ସେମାନଙ୍କ ନିମନ୍ତେ ପୋଲିସ ବିଭାଗର ସହାୟତା ପାଇଁ ସିଡିଏମଓ ମତ ରଖିଥିଲେ। ଏଥି ସହିତ ସମସ୍ତେ ସହମତ ହୋଇଥିଲେ, ଗେଲପୁରରେ ୪୦୦ ଶଯ୍ୟାବିଶିଷ୍ଟ ନିର୍ମାଣାଧୀନ ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟକ୍ଷମ ହେଲେ ଭଦ୍ରକରେ ସ୍ୱାସ୍ଥ୍ୟସେବାରେ ବ୍ୟାପକ ପରିବର୍ତ୍ତନ ଆସିପାରିବ। ସେହି ଆଧାରରେ ଦୀର୍ଘ ବର୍ଷ ଧରି ଭଦ୍ରକବାସୀଙ୍କ ସ୍ୱପ୍ନ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ଭବ ହୋଇପାରିବ। ଏହି ଆଲୋଚନାରେ ସିଡିଏମଓ ଡାକ୍ତର ସନ୍ତୋଷ କୁମାର ପାତ୍ର, ଏଡିଏମଓ ଡାକ୍ତର ସନ୍ତୋଷ କୁମାର ଜେନା, ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତି, ସଂପାଦକ କୈଳାଶ ମହାପାତ୍ର, ସଦସ୍ୟ ତଥା ଭାରତୀୟ ଜିକିତ୍ସକ ସଂଘ ଭଦ୍ରକ ଶାଖାର ସଂପାଦକ ଡାକ୍ତର ହରେକୃଷ୍ଣ ନାୟକ, ସଦସ୍ୟ ତଥା ଯଶସ୍ୱୀ ସ୍ତମ୍ଭକାର ଅଭୟ ଦ୍ୱିବେଦୀ, ସଦସ୍ୟ ତଥା ତ୍ୟାଗଭୂମି ସଭାପତି ଅଜୟ ନାୟକ, ସମାଜସେବୀ ସୁଧାକର ରାଉତ, ଲକ୍ଷ୍ମଣ ମହାନ୍ତି, ବିଜୟ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.