Home ଜିଲ୍ଲା ପରିକ୍ରମା ହାଇ ସିକ୍ୟୁରିଟି ଜୋନରେ ବଡ଼ ଧରଣର ଡକାୟତି, ଏସପିଙ୍କ ବାସଭବନ ସମ୍ମୁଖ କ୍ୱାଟରରୁ ଲୁଟିନେଲେ ବହୁ...

ହାଇ ସିକ୍ୟୁରିଟି ଜୋନରେ ବଡ଼ ଧରଣର ଡକାୟତି, ଏସପିଙ୍କ ବାସଭବନ ସମ୍ମୁଖ କ୍ୱାଟରରୁ ଲୁଟିନେଲେ ବହୁ ଲକ୍ଷ ଟଙ୍କାର ସ୍ୱର୍ଣ୍ଣାଳଙ୍କାର ଓ ନଗଦ ଟଙ୍କା ଲୁଟ୍

29

ଭଦ୍ରକ, ୧୧ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାର ସବୁଠାରୁ ଅଧିକ ହାଇ ସିକ୍ୟୁରିଟି ଜୋନ ଭାବେ ପରିଚିତ ଗବସାହି ହାଉସିଂ ବୋର୍ଡ଼ କଲୋନୀରୁ ଗତକାଲି ରାତିରେ ଏକ ଧରଣର ଡକାୟତି ହୋଇ ଯାଇଛି । ଘରେ କେହି ନଥିବାବେଳେ, କେତେକ ଦୁର୍ବୁତ୍ତ ଘରର ମୁଖ୍ୟ ଦ୍ୱାର ବାଟେ ପଶି ଗଦରେଜ ଆଲମିରାର ଲକର ଭାଙ୍ଗି ବହୁ ଲକ୍ଷ ଟଙ୍କାର ସ୍ୱର୍ଣ୍ଣଳଙ୍କାର ଓ ନଗଦ ୭୦ହଜାର ଟଙ୍କା ଲୁଟି ନେଇ ପଳାଇଛନ୍ତି । ଏସମ୍ପର୍କରେ ଗୃହକର୍ତ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗଣେଶ ପ୍ରସାଦ ମିଶ୍ର ସହରାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ମିଶ୍ର ଦାଖଲ କରିଥିବା ଅଭିଯୋଗ ଅନୁଯାୟୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସରକାରୀ ବାସଭବନ ସମ୍ମୁଖରେ ତାଙ୍କର ଘର । ସେ ନିଜ ପରିବାର ସହ ଭୁବନେଶ୍ୱରସ୍ଥିତ ନିଜ ଝିଅ ଘରକୁ ଗତକାଲି ଯାଇଥିଲେ । ପରିବାରର କୌଣସି ସଦସ୍ୟ ନଥିବାର ସୁଯୋଗରେ ଗତକାଲି ରାତିରେ କେତେକ ଦୁର୍ବୁତ୍ତ ଘରର ମୁଖ୍ୟ ଦ୍ୱାର ଦେଇ ପଶି ଆଲମିରା ଲକର ଭାଙ୍ଗି ବହୁ ପରିମାଣର ମୂଲ୍ୟବାନ ସାମଗ୍ରୀ ଲୁଟ କରି ନେଇଛନ୍ତି । ଏଥି ମଧ୍ୟରେ ରହିଛି ମୋଟା ସୁନା ବଳା, ସୁୂନା ଚୂଡ଼, ୭ଟା ସୁନା ମୁଦି, ୨ହଳ କାନଫୁଲ, ସୁନା ହାର, ମଙ୍ଗଳ ସୂତ୍ର, ଧଣିଆ ଫାଳି ହାର ଓ ୭୦ ହଜାର ନଗଦ ଟଙ୍କା । ଆଜି ସକାଳେ ତାଙ୍କ ପୁତ୍ର ଘରର ମୁଖ୍ୟ କବାଟ ଭଙ୍ଗାଯାଇଥିବା ଦେଖି ତାଙ୍କୁ ଜଣାଇବା ପରେ ଶ୍ରୀ ମିଶ୍ର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ପରେ ସହରାଞ୍ଚଳ ଥାନାଧିକାରୀ ଚନ୍ଦନ ଘଡ଼େଇ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ ପକ୍ଷରୁ ଘର ଭିତରେ ଅପରାଧୀଙ୍କ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି । ସେହିପରି ପୁଲିସ ସଂପୃକ୍ତ ଅଞ୍ଚଳରେ କେତେକ ବ୍ୟକ୍ତିଙ୍କ ସିସି ଟିଭି କ୍ୟାମେରା ଯାଞ୍ଚ କରି କିଛି ସୁରାକ ପାଇବା ଆଶାରେ ରହିଛି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ଗବସାହି ଏକ ଭିଆଇପି ଏରିଆ ହୋଇଥିବାବେଳେ, ଏହା ଜିଲ୍ଲାର ସବୁଠାରୁ ଅଧିକ ହାଇ ସିକ୍ୟୁରିଟି ଜୋନ ଭାବେ ପରିଚିତ । କାରଣ ଜିଲ୍ଲା ଆରକ୍ଷୀ ଅଧକ୍ଷକ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲାଜଜ୍‌, ଜିଲ୍ଲା ଚିକିତ୍ସାଧିକାରୀଙ୍କ ସରକାରୀ ବାସଭବନ ରହିଛି । ତେଣୁ ସ୍ୱାଭାବିକ୍ ଭାବରେ ଏହି ଅଞ୍ଚଳର ଗୁରୁତ୍ୱ ବହୁତ ଅଧିକ । ତେଣୁ ଏହି ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ପୁଲିସ ପ୍ରଶାସନ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ବିଶେଷକରି ଜିଲ୍ଲାପାଳ ଓ ଏସପିଙ୍କ ବାସଭବନ ଆଗରେ ୨୪ ଘଣ୍ଟିଆ ସିକ୍ୟୁରିଟି ବ୍ୟବସ୍ଥା ରହିଛି । ଏହା ସତ୍ତ୍ୱେ ଏସପିଙ୍କ ବାସଭବନ ସମ୍ମୁଖରେ ଥିବା ଜଣେ ବ୍ୟକ୍ତିଙ୍କ ଘରୁ ଏତେ ବଡ଼ ଧରଣର ଡକାୟତି ସହରାଞ୍ଚଳ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଦୁର୍ବଳ ପେଟ୍ରୋଲିଂ ବ୍ୟବସ୍ଥା ପାଇଁ ଏପରି ଏକ ବଡ଼ ଧରଣର ଡକାୟତି ଘଟିଲା ବୋଲି ସଂପୃକ୍ତ ୱାର୍ଡ଼ବାସୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.