Home ଅନୁଗୁଳ ହାଇୱା ଟ୍ରକରେ ପାଲ ଭିଡ଼ା ପାଇଁ ମିଳୁଥିବା ଟଙ୍କା ହରିଲୁଟ ଅଭିଯୋଗ

ହାଇୱା ଟ୍ରକରେ ପାଲ ଭିଡ଼ା ପାଇଁ ମିଳୁଥିବା ଟଙ୍କା ହରିଲୁଟ ଅଭିଯୋଗ

95

ତାଳଚେର,୧୨/୧୧(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ କୋଇଲାଖଣି ଗୁଡ଼ିକରୁ ହାଇୱା ଟ୍ରକଗୁଡ଼ିକ ଦ୍ୱାରା କୋଇଲା ପରିବହନ ହେଉଥିବା କୋଇଲା ବିଭିନ୍ନ କୋଲ ୱାସରୀମାନଙ୍କୁ ଯାଉବେଳେ,ସେହି ହାଇୱା ଟ୍ରକଗୁଡ଼ିକରେ ପାଲ ଭିଡ଼ା ହେବାର ନିୟମ ଥିବା ସହ କୋଲ ୱାସରୀଗୁଡ଼ିକ ସମ୍ପୃକ୍ତ ପାଲ ଭିଡ଼ା ଶ୍ରମିକ ସୋସାଇଟି ଗୁଡ଼ିକୁ ଟନ୍ ପିଛା ୨ ଟଙ୍କା ହିସାବରେ ବର୍ଷକୁ କୋଟି କୋଟି ଟଙ୍କା ପ୍ରଦାନ କରୁଛନ୍ତି । ମାତ୍ର କୈାଣସି ହାଇୱା ଟ୍ରକରେ କୋଇଲା ପରିବହନ ସମୟରେ ପାଲ ଭିଡ଼ା ହୋଇଥିବାର ଦେଖିବାକୁ ମିଳୁନାହିଁ । ଖୋଲାରେ କୋଇଲା ପରିବହନ ହେବା ଦ୍ୱାରା ପରିବେଶ ପ୍ରଦୁଷଣ ହେବାସହ ପାଲ ଭିଡ଼ା ବାବଦକୁ ମିଳୁଥିବା କୋଟି କୋଟି ଟଙ୍କା ହରିଲୁଟ ହେଉଥିବାର ଅଭିଯୋଗ ହେଉଛି । ପ୍ରକୃତପକ୍ଷେ ପାଲ ଭିଡ଼ା ନାମରେ ଗରିବ ଶ୍ରମିକମାନଙ୍କୁ ନେଇ ସୋସାଇଟି ଗଠନ କରାଯାଇଛି । କିନ୍ତୁ କୈାଣସି ପାଲ ଭିଡ଼ା କାର୍ଯ୍ୟ ନହେବା ଯୋଗୁଁ ଗରିବ ଶ୍ରମିକମାନେ ଏ ବାବଦରେ ମିଳିବାକୁ ଥିବା ମଜୁରୀ ପାଇବାକୁ ବଂଚିତ ହେଉଛନ୍ତି । ସେମାନଙ୍କୁ କାମ ଦେବାକୁ ପ୍ରଲୋଭନ ଦେଖାଇ ସୋସାଇଟି ଗଠନ କରିଥିବା ମୁଷ୍ଟିମେୟ ଲୋକେ ମାଲେମାଲ ହେଉଛନ୍ତି ବୋଲି ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସର ସଭାପତି ରାଜକିଶୋର ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏନେଇ ବିଭିନ୍ନ ସମୟରେ ନିରପେକ୍ଷ ତଦନ୍ତ ପାଇଁ ସିବିଆଇ,ଭିଜିଲାନ୍ସ ବିଭାଗ,ଜିଲ୍ଲାପାଳ,ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ସୁଦ୍ଧା କୈାଣସି ସୁଫଳ ମିଳିନାହିଁ । ଫଳରେ ପରିବେଶ ଦିନକୁ ଦିନ ପ୍ରଦୁଷିତ ହେବାସହ ପାଲ ଭିଡ଼ା ଶ୍ରମିକମାନେ ଭୋକ ଉପାସରେ ଦିନ କାଟୁଛନ୍ତି । ସ୍ଥାନୀୟ ଅରୟାନ ଏନର୍ଜି ପ୍ରାଇଭେଟ ଲି. ଓ ଗ୍ଲୋବାଲ କୋଲ ମାଇନ୍ସ ପ୍ରାଇଭେଟ ଲି. କୁ ଜଗନ୍ନାଥ,ଅନନ୍ତ ଓ ଭୂବନେଶ୍ୱରୀ କୋଇଲାଖଣି ଗୁଡ଼ିକରୁ ମାସିକ ୧୫ଲକ୍ଷ ଟନ୍ କୋଇଲା ପରିବହନ ହେଉଥିବା ବେଳେ ପାଲ ଭିଡ଼ା ପାଇଁ ଟନ୍ ପିଛା ୨ଟଙ୍କା ହିସାବରେ ମାସିକ ୩୦ଲକ୍ଷ ଟଙ୍କା ଓ ବର୍ଷକୁ ପ୍ରାୟ ୩ କୋଟି ୬୦ ଲକ୍ଷ ଟଙ୍କା ପାଲ ଭିଡ଼ା କାର୍ଯ୍ୟରେ ନିୟୋଜିତ ଥିବା ମା ତାରିଣୀ ଲେବର ୱେଲଫେୟାର ଆସୋସିଏସନ,ଶ୍ରମିକ ମଙ୍ଗଳ ସଙ୍ଗଠନ ଓ ଭୂବନେଶ୍ୱରୀ ପାଲ ଭିଡ଼ା ସଂଘକୁ ମିଳୁଛି ବୋଲି ବୋଲି ଶ୍ରୀ ସାହୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି । ସେହିପରି ସ୍ପେକ୍ଟ୍ରମ କୋଲ ୱାସରୀକୁ ଭରତପୁର,ହିଙ୍ଗୁଳା ଓ ବଳରାମ କୋଇଲାଖଣିଗୁଡ଼ିକ ମାସିକ ୫ଲକ୍ଷ ଟନ୍ ପର୍ଯ୍ୟନ୍ତ କୋଇଲା ପରିବହନ କରାଯାଇ ବର୍ଷକୁ ୧କୋଟି କୋଡ଼ିଏ ଲକ୍ଷ ଟଙ୍କା ପାଲ ଭିଡ଼ା ପାଇଁ ସୋସାଇଟି ଗୁଡ଼ିକୁ ପ୍ରଦାନ କରାଯାଉଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏତେ ପରିମାଣର ଅର୍ଥ କାରବାର ହେଉଥିବା ସତ୍ୱେ ଗରିବ ଠିକା ଶ୍ରମିକମାନେ ଟଙ୍କାଟିଏ ମଧ୍ୟ ପାଉନାହାନ୍ତି । ଏଭଳି ଟଙ୍କା କାରବାରର ଅଡ଼ିଟ ହେଉଛି କି ନାହିଁ ତାହା ତଦନ୍ତ ସାପେକ୍ଷ । ଇନକମ୍ ଟ୍ୟାକ୍ସ ବିଭାଗ,ଇଡି,ଶ୍ରମ ବିଭାଗ ଏ ନେଇ ତଦନ୍ତ କରିବା ଆବଶ୍ୟକ ବୋଲି ଶ୍ରୀ ସାହୁ କହିଛନ୍ତି । ଶ୍ରମିକଙ୍କ ପ୍ରତି ଏଭଳି ସମସ୍ୟା ଲାଗି ରହିଲେ ତଥା କୋଟି କୋଟି ଟଙ୍କା ହରିଲୁଟ୍ ବନ୍ଦ ନହେଲେ ଆଗାମୀ ଦିନରେ ମହାନଦୀ କୋଇଲା ଠିକା ଶ୍ରମିକ କଂଗ୍ରେସ ପକ୍ଷରୁ ବିନା ପାଲ ଭିଡ଼ାରେ କୋଇଲା ପରିବହନ କରୁଥିବା ହାଇୱା ଟ୍ରକଗୁଡ଼ିକୁ କୋଲ ୱାସରୀ ଭିତରକୁ ଛଡ଼ାଯିବ ନାହିଁ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ପ୍ରଭାତ କୁମାର ରଥ,ଉପସଭାପତି ଡାକ୍ତର ମହାନ୍ତି,ସମ୍ପାଦକ ଶରତ ନାୟକ ଓ ଜିନେସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.