
ଭଦ୍ରକ, ୨୨ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ପୀରହାଟ ଥାନା ଅଧୀନ ବିନ୍ଧା ଛକ ନିକଟରେ ଏକ ହାଇୱା ଚକ ତଳେ ଚାପି ହୋଇ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଘଟଣା ପରେ ଉତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ୧ଘଂଟା ଧରି ଅବରୋଧ କରିଥିଲେ। ଖବର ପାଇ ପୀରହାଟ ଥାନା ଆଇଆଇସି ରୋଜାଲିନ ବେହେରା, ତିହିଡ଼ି ଥାନା ଏସଆଇ ପ୍ରବୀଣ ଗିରି, ଏଏସଆଇ କମଳାକାନ୍ତ ଶତପଥି ଘଟଣା ସ୍ଥଳରେ ପହଂôଚ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା। ପ୍ରକାଶ ଯେ, ମଙ୍ଗଳବାର ସକାଳେ ନଂ ଓଡି ୦୪ଜେ୯୬୪୪ ଏକ ହାଇୱା ବାଲି ବୋଝେଇ କରି ଭଦ୍ରକରୁ ଚାନ୍ଦବାଲି ଅଭିମୁଖେ ଯାଉଥିଲା। ଏହି ସମୟରେ ସାହାପୁର ପଂଚାୟତ ଅଧୀନ କଣ୍ଡରଗଡ଼ିଆ ଗ୍ରାମର ରାଜେଶ ଶଙ୍ଖୁଆଙ୍କ ପୁଅ ଉତମ ଶଙ୍ଖୁଆ (୨୭) ଭଉଣୀକୁ ତିହିଡ଼ି କଲେଜରେ ଛାଡ଼ି ବାଇକ୍ରେ ଘରକୁ ଫେରୁଥିଲେ। ବିନ୍ଧା ଛକ ନିକଟରେ ଅପର ପାଶ୍ୱର୍ରୁ ଆସୁଥିବା ଅନ୍ୟ ଏକ ବାଇକ୍ ସହ ମୁହାମୁହିଁ ହୋଇ ଉତମ ରାସ୍ତାରେ ପଡ଼ି ଯାଇଥିଲେ। ଏହି ସମୟରେ ହାଇୱା ଉତମଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ପୁଲିସ ୯୯/୨୫ରେ ଏକ ମକଦ୍ଦମା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିଥିବା ବେଳେ ଚାଳକ ଫେରାର ହୋଇଯାଇଥିବା ପୁଲିସ ସୂଚନା ଦେଇଛି। ଉତମଙ୍କ ମୃତ୍ୟୁ ଖବର ପାଇବା ପରେ ସାହାପୁର ପଂଚାୟତର ପୂର୍ବତନ ସରପଂଚ ବଳଭଦ୍ର ମାଠ, ବିଜେପି ନେତା ସଂଗ୍ରାମ କେଶରୀ ମହାନ୍ତି, ରତିକାନ୍ତ ମହାକୁଡ଼, ସନାତନ ମିଶ୍ର ପ୍ରମୁଖ ପହଂଚି ପୁଲିସକୁ ସହଯୋଗ କରି ପରିସ୍ଥିତି ନିୟନ୍ତ୍ରଣ କରିବା ଦିଗରେ ଉଦ୍ୟମ କରିଥିଲେ।







