Home Top News ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା : ୬ ପୋଲିସ କର୍ମଚାରୀଙ୍କ ସମେତ...

ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଦିଲ୍ଲୀ ଜାହାଙ୍ଗୀରପୁରୀ ହିଂସା : ୬ ପୋଲିସ କର୍ମଚାରୀଙ୍କ ସମେତ ୭ ଆହତ, ୧୦ ଗିରଫ

38

ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) ପୁଣିଥରେ ଦେଶରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟଣା ସାମନାକୁ ଆସିଛି। ଗତକାଲି ରାଜଧାନୀ ଦିଲ୍ଲୀରେ ଏହିପରି ଏକ ହିଂସା ଘଟଣା ଘଟିଛି। ଗତକାଲି ହନୁମାନ ଜୟନ୍ତୀ ଅବସରରେ ଦିଲ୍ଲୀର ଅନେକ ସ୍ଥାନରେ ଶୋଭାଯାତ୍ରା କରାଯାଇଥିଲା। ଉତ୍ତର ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପଥର ଫିଙ୍ଗିବା ସହିତ ଖଣ୍ଡା ବୁଲା ଯାଇଥିଲା। ଏହି ଘଟଣା ସନ୍ଧ୍ୟା ୫ ରୁ ୫.୩୦ ମଧ୍ୟରେ ଘଟିଥିଲା। ଜାହାଙ୍ଗୀରପୁରୀର କୁଶଳ ସିନେମା ନିକଟରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିଲା। ଏହି ସମୟରେ ଶୋଭାଯାତ୍ରା ଉପରକୁ ଉପଦ୍ରବୀମାନେ ପଥର ଫିଙ୍ଗିବା ଆରମ୍ଭ କରିଥିଲେ। ପଥର ଦୂରରୁ ଫୋପଡ଼ା ଯାଉଥିଲା। ମିଳିଥିବା ସୂଚନା ଅନୁଯାୟୀ, ଏହି ହିଂସା ସମୟରେ ଉପଦ୍ରବୀମାନେ ଅନେକ ଯାନବାହନ ମଧ୍ୟ ନଷ୍ଟ କରିଦେଇଥିଲେ। ଅନେକ ଯାନର କାଚ ଭାଙ୍ଗି ଦେଇଥିଲେ। ଅନେକ ଗାଡ଼ିରେ ନିଆଁ ଲଗେଇଦେଇଥିଲେ। ଗାଡ଼ିରେ ନିଆଁ ଲାଗିବା ଦେଖି ଲୋକମାନେ ରାସ୍ତାରେ ଦୌଡୁଥିବାର ଦେଖାଯାଇଥିଲା।

ପୋଲିସ୍ କର୍ମଚାରୀମାନେ ମଧ୍ୟ ରାସ୍ତାକୁ ଓହ୍ଲାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ବେଳେ ୬ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି। ଉପଦ୍ରବୀମାନଙ୍କ ହାତରେ ଖଣ୍ଡା ମଧ୍ୟ ଦେଖିବାକୁ ମିଳିଥିଲା। ଦିଲ୍ଲୀ ପୋଲିସର ସୂଚନାନୁସାରେ ଏହି ହିଂସାରେ ମୋଟ ୭ ଜଣ ଆହତ ହୋଇଛନ୍ତି। ଯେଉଁଥିରେ ୬ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସାଧାରଣ ନାଗରିକ ଅନ୍ତର୍ଭୁକ୍ତ। ଦିଲ୍ଲୀ ପୋଲିସର ଜଣେ ଏସଆଇଙ୍କୁ ଗୁଳି ଲାଗିଛି। ଆହତମାନଙ୍କୁ ଦିଲ୍ଲୀର ଭୀମ ରାଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହିଂସା ପରେ ଜାହାଙ୍ଗୀରପୁରରେ ଶାନ୍ତି ବଜାୟ ରଖିବା ପାଇଁ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଆରଏଏଫ୍ (RAF) ରାପିଡ ଆକ୍ସନ ଫୋର୍ସ କର୍ମଚାରୀମାନେ ମଧ୍ୟ ରାସ୍ତାକୁ ଓହ୍ଲାଇଛନ୍ତି। ଏହି ସମଗ୍ର ଅଞ୍ଚଳକୁ ଏକ ପୋଲିସ ଛାଉଣିରେ ପରିଣତ କରାଯାଇଛି ଏବଂ ଲୋକଙ୍କୁ ନିଜ ଘର ଭିତରେ ରହିବାକୁ ନିବେଦନ କରାଯାଇଛି।

ପୋଲିସ ଆକ୍ରମଣକାରୀଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ ଏବଂ ଭାଇରାଲ ଭିଡିଓ ମାଧ୍ୟମରେ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। ଏହା ପରେ ଗିରଫ ଉପରେ ବିଚାର କରାଯିବ। ଗତକାଲି ରାତିରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପରେ ଦିଲ୍ଲୀ ପୋଲିସ ନାଇଟ ଭିଜନ ଡ୍ରୋନ୍ ସାହାଯ୍ୟରେ ଜାହାଙ୍ଗୀରପୁରୀ ଅଞ୍ଚଳକୁ ଚେକ କରିଥିଲା ଯାହାଫଳରେ ଏହା ଜଣା ପଡିବ ଯେ ପଥର କିମ୍ବା ଅସ୍ତ୍ରଶସ୍ତ୍ର କାହାର ଛାତ ଉପରେ ତ ଜମା ହୋଇନାହିଁ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀର ହିଂସା ଘଟଣାର ତଦନ୍ତ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହିଂସା ଘଟଣାର ତଦନ୍ତ ପାଇଁ ୧୦ ଟି ଟିମ୍ ଗଠନ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏବଂ କ୍ରାଇମ ବ୍ରାଞ୍ଚ ଏହି ଘଟଣାର ତଦନ୍ତ କରିବ। ଷଡଯନ୍ତ୍ରରୁ ଦିଲ୍ଲୀର ଦଙ୍ଗାର ମଧ୍ୟ ଯାଞ୍ଚ କରାଯିବ। ତେବେ ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ୁଛିଯେ, ଏହା ଏକ ପୂର୍ବ ସୁଚିନ୍ତିତ ଷଡଯନ୍ତ୍ର ହୋଇଥାଇପାରେ। କାରଣ ଏଠି ପ୍ରଶ୍ନ ଉଠି ପାରେଯେ, ଘଟଣା ସମୟରେ ହଠାତ୍ ରାସ୍ତାରେ ଏତେଗୁଡ଼ିଏ ପଥର କେଉଁଠୁ ଆସିଲା। ଏଗୁଡ଼ିକ କ’ଣ ପୂର୍ବରୁ ସେଠାରେ ଥିଲା ?

ଏହି ଘଟଣାର ଅନୁସନ୍ଧାନ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଦିଆଯିବ। ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଦୁଇଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଥା ହୋଇଛନ୍ତି। ଯେଉଁଥିରେ ପୋଲିସ କମିଶନର ଏବଂ ସ୍ୱତନ୍ତ୍ର କମିଶନର ଲ ଏଣ୍ଡ ଅର୍ଡ଼ର ଅନ୍ତର୍ଭୁକ୍ତ। ଆବଶ୍ୟକ ପଦକ୍ଷେପ ନେବାକୁ ଅମିତ ଶାହା ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀର ଏଲଜି ଅନିଲ ବୈଜଲ ପୋଲିସ କମିଶନରଙ୍କ ସହ କଥା ହୋଇ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି କରିଛନ୍ତି।

ଦିଲ୍ଲୀ ପୋଲିସ କମିଶନର ରାକେଶ ଆସ୍ଥାନାଙ୍କ ଅନୁଯାୟୀ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି। ପେଟ୍ରୋଲିଂ ବୃଦ୍ଧି ପାଇଁ ପୋଲିସକୁ କୁହାଯାଇଛି। ତେଣୁ ଗୁଜବ ବିଷୟରେ ସତର୍କ ରହିବାକୁ ଦିଲ୍ଲୀ ପୋଲିସ ମଧ୍ୟ ଲୋକଙ୍କୁ ନିବେଦନ କରୁଛି। ଏଥି ସହିତ, ବର୍ତ୍ତମାନ ଏହି ମାମଲାରେ ଦିଲ୍ଲୀ ପୋଲିସ ଦ୍ୱାରା ପ୍ରାୟ ୧୦ ଜଣଙ୍କୁ ଅଟକ ରଖାଯାଇଛି ବୋଲି ବିଭିନ୍ନ ରିପୋର୍ଟରୁ ପ୍ରକାଶ। ତେବେ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଛି। ପଥର ଫିଙ୍ଗିବା ଘଟଣାକୁ ନିନ୍ଦା କରି ଦିଲ୍ଲୀ ଉପରାଜ୍ୟପାଳ କହିଛନ୍ତି ଯେ କୌଣସି ଦୋଷୀଙ୍କୁ ଛଡ଼ାଯିବ ନାହିଁ। ଶାନ୍ତି ବଜାୟ ରଖିବା ଏବଂ ଆଇନ ଶୃଙ୍ଖଳା ରକ୍ଷା କରିବାପାଇଁ ପୋଲିସକୁ ସାହାଯ୍ୟ କରିବାକୁ ଏଲଜି ଲୋକଙ୍କୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.