Home କେନ୍ଦୁଝର ହଦଗଡରେ ଗରିବ ହିତାଧିକାରୀଙ୍କୁ ମିଳୁନି ଚାଉଳ, ପଞ୍ଚାୟତ ଘେରିଲେ ଗ୍ରାମବାସୀ

ହଦଗଡରେ ଗରିବ ହିତାଧିକାରୀଙ୍କୁ ମିଳୁନି ଚାଉଳ, ପଞ୍ଚାୟତ ଘେରିଲେ ଗ୍ରାମବାସୀ

120

ହାଟଡିହି-୨୬/୫, ହାଟଡିହି ବ୍ଲକ ହଦଗଡ ପଞ୍ଚାୟତରେ ହିତାଧିକାରୀ ମାନଙ୍କୁ ଉପଯୁକ୍ତ ପରିମାଣର ଚାଉ ଦିଆଯାଉ ନଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତରେ ୧୩୦୦ରୁ ଉର୍ଦ୍ଧ ରେସନକାର୍ଡ ହିତାଧିକାରୀ ଥିବାବେଳେ ଶହଶହ ହିତାଧିକାରୀଙ୍କ ନାମ କଟିଯାଇଥିବା କୁହାଯାଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ମାଗଣା ଚାଉଳ ଦିଆଯାଉ ନଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଗତ ମାସରେ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ରେସନକାର୍ଡ ଚାଉଳ ହିତାଧିକାରୀ ପାଇଥିବାବେଳେ ଚଳିତମାସ ଦିଆଯାଉଥିବା କେନ୍ଦ୍ର ସରକାରଙ୍କ ମାଗଣା ଚାଉଳ କିପରି କଟିଗଲା ବୋଲି ସୁନାମଣୀ ବିରୁଆ, କବିତା ମୁଣ୍ଡିଆଣୀ, ଝୁମ୍ପୁରୀ ନାଇକ, ବନି ନାଏକ ପ୍ରମୁଖ ଅଭିଯୋଗ କରିଛନ୍ତି । ଅଧିକାଶଂ କାର୍ଡରୁ ଜଣେ ଦୁଇଜଣଙ୍କ ନାମ କଟିଯାଇଛି କହି ଏପରି କରାଯାଉଛି ବୋଲି ସେମାନେ କହିଛନ୍ତି । ଏପରିକି ଅନେକ ଲୋକଙ୍କୁ ଏକହଜାର ଟଙ୍କିଆ ସରକାରୀ କରୋନା ସହାୟତା ଯୋଗାଇ ଦିଆଯାଇ ନାହିଁ । ବିଶେଷକରି ଦଲକି, ରତ୍ନମରା, ପିତାନାଉ ଗ୍ରାମ ଗୁଡିକ ଆଦିବାସୀ ବହୁଳ ଓ ଏହି ଗ୍ରାମକୁ ଯିବାକୁ ରାସ୍ତାଘାଟ ନଥିବାବେଳେ ସେ ଗ୍ରାମର ଲୋକମାନେ ହୁଲି ଡଙ୍ଗାରେ ଚାଉଳ ପାଇଁ ଆସି ଦିନମାନ ବସିବସି ନିରାଶରେ ଫେରୁଛନ୍ତି । ରତ୍ନମରା ଗ୍ରାମର ସବିତା ବେହେରାଙ୍କ ପରିବରାରରେ ୬ଜଣ ସଦସ୍ୟ ଥିବାବେଳେ ସେ ଗତ ୯ମାସ ହେଲା ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ଦଲକି ଗ୍ରାମର ଲେମ୍ବୁ ହୋଙ୍କ ପରିବାରରେ ୬ଜଣ ଥିବାବେଳେ ସେ ଗତ ୮ମାସ ହେଲା ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେହିପରି ମିଞ୍ଜାରୀ ହୋଙ୍କ ୮ଜଣ ପରିବାର ସଦସ୍ୟ ଥିବାବେଳେ ୯ମାସ ହେଲା ଚାଉଳ ପାଇବାରି ନାହାନ୍ତି । ସାବିତ୍ରୀ ହୋଙ୍କର ୬ଜଣ ପରିବାର ଥିବାବେଳେ ୫ଜଣଙ୍କର ଏବେ କଟି ଯାଇଛି । ସେହିପରି ଜିତେନ୍ଦ୍ର ପୁର୍ତ୍ତିଙ୍କ କାର୍ଡରେ ୭ଜଣ ପରିବାର ସଦସ୍ୟ ଥିବାବେଳେ ୪ଜଣଙ୍କର ଚାଉଳ କଟିଯାଇଛି । ସେହିପରି ସୁମିତ୍ରା ହୋଙ୍କ ପରିବାରରେ ୫ଜଣ ସଦସ୍ୟ ଥିବାବେଳେ ୨ଜଣଙ୍କର କଟି ଯାଇଛି । ଗଣର ହୋଙ୍କ କାର୍ଡରେ ୭ଜଣ ସଦସ୍ୟ ଥିବାବେଳେ ୫ଜଣଙ୍କର ନାମ କଟିଯାଇଛି । ଜାନ ହୋଙ୍କର ୬ଜଣ ସଦସ୍ୟ ଥିବାବେଳେ ୬ଜଣଙ୍କ ନାମ କଟିଯାଇଛି । , ମାଧେ ହୋଙ୍କ ୬ସଦସ୍ୟଙ୍କ ମଧ୍ୟରୁ ୬ଜଣଙ୍କ ନାମ କଟିଯାଇଛି । ନାନସି ହୋଙ୍କ କାର୍ଡରେ ୯ଜଣ ସଦସ୍ୟ ଥିବାବେଳେ ୮ଜଣଙ୍କର ନାମ କଟିଯାଇଥିବାବେଳେ ମୁକ୍ତା ମହାକୁଡଙ୍କ୯ଜଣଙ୍କ ମଧ୍ୟରୁ ୨ଜଣଙ୍କର ନାମ କଟିଯାଇଛି । ଖାଲି ଏହି କିଛି ଲୋକ ନୁହଁନ୍ତି ଏହିଭଳି ଶହଶହ ଲୋକ ପିଡିଏସ ଚାଉଳ ପାଇବାରୁ ବଞ୍ଚିତ ହୋଇ ନାନା ସମସ୍ୟାରେ କାଳାତିପାତ କରୁଛନ୍ତି । ସେହିପରି ଶ୍ରୀରାଙ୍ଗ ହେମ୍ରମ, ଜାମ୍ବି ମହାକୁଡ, ଦଶମା ହୋ ପ୍ରଭୃତି ଲୋକମାନଙ୍କର ଆଦୌ କାର୍ଡ ନଥିବାରୁ ସେମାନେ ଖାଇବାକୁ ପାଇପାରୁ ନାହାନ୍ତି । ଏହିସବୁ ଗ୍ରାମର ଲୋକମାନେ ମୁଖ୍ୟତ କାମଧନ୍ଦା କରି ଚଳୁଥିବାବେଳେ ଏମାନଙ୍କର ସେପରି ଚାଷବାସ ପାଇଁ ଜମିଜମା ନାହିଁ । ଅନ୍ୟର କାମଦାମ କଲେ ସେମାନଙ୍କ ପରିବାର ଚଳେ । କିନ୍ତୁ ବର୍ତ୍ତମାନ ଲକଡାଉନ ଭଲି ସ୍ଥିତିରେ ଏମାନଙ୍କୁ ପିଡିଏସ ସାମଗ୍ରୀ ଯୋଗାଇ ନଦେବା ପ୍ରଶାସନର ପାରିବା ପଣିଆ ଏଠାରେ ପଦାରେ ପଡିଛି । ଓଳିଏ ଖାଇଲେ ଓଳିଏ ଓପବାସରେ ଦିନ କାଟୁଛନ୍ତି ଏହିସବୁ ପରିବାର ଲୋକେ । ସେମାନଙ୍କ ପାଖରେ ଆଧାର ଅଛି, କାର୍ଡ ବି ଅଛି କିନ୍ତୁ ମିଳୁନି ଚାଉଳ କି ଗହମ । ଏହାକୁନେଇ ଆଜି ଶହଶହ ରେସନକାର୍ଡ ଧାରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରିଥିବାବେଳେ କେହି ସେମାନଙ୍କ ପାଖରେ ପହଞ୍ଚି ଆଶ୍ୱାସନା ବି ଟିକେ ଦେଇ ନାହାନ୍ତି । ଏ ସମ୍ପର୍କରେ ସରପଞ୍ଚ ଅଶୋକ କୁମାର ଜେନାଙ୍କୁ ପଚାରିବାରେ ଆଧାର ସଂଯୋଗ ନଥିବାରୁ ବହୁତ ଲୋକଙ୍କ ନାଁ କଟିଯାଇଛି ବୋଲି କହିଛନ୍ତି । ଏ ସମ୍ପର୍କରେ ଯୋଗାଣ ଅଧିକାରୀ ଶ୍ୟାମ ମାଝୀଙ୍କୁ ପଚାରିବାରେ ଉକ୍ତ ପଞ୍ଚାୟତରେ ଅନେକ ଲୋକ ଆଧାର ସଂଯୋଗ କରିନଥିବାରୁ ଏପରି ସମସ୍ୟା ଉପୁଜୁଛି ବୋଲି କହିଛନ୍ତି । ବାରମ୍ବାର ସେମାନଙ୍କୁ ଆଧାର ସଂଯୋଗ ପାଇଁ କୁହାଯାଉଥିଲେବି ସେମାନେ ଆଧାର ସଂଯୋଗ କରାଉ ନାହାନ୍ତି । ଏହି ପଞ୍ଚାୟତଟି ଏକ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବାରୁ ଏଠାରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ହିତାଧିକାରୀଙ୍କ ଆଧାର ସଂଯୋଗ କରାଯାଉ ଓ ସେମାନଙ୍କୁ ବକେୟା ଚାଉଳ ସହିତ କେନ୍ଦ୍ରସରକାରଙ୍କ ମାଗଣା ଚାଉଳ ତୁରନ୍ତ ଦିଆଯାଉ ବୋଲି ଜିଲ୍ଲାପରିଷଦ ସଦସ୍ୟା ଟିକି କିସ୍କୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.