Home ଜିଲ୍ଲା ପରିକ୍ରମା ସୟା ବୃଦ୍ଧାଶ୍ରମ ବିରୋଧରେ ଅଭିଯୋଗ ଆଣିଲେ ଅନ୍ତେବାସୀ,ଅନ୍ତେବାସୀ ଚରାଉ ଥିଲେ ଗୋରୁ, ଖାଉଥିଲେ ବାସି ଖାଦ୍ୟ

ସୟା ବୃଦ୍ଧାଶ୍ରମ ବିରୋଧରେ ଅଭିଯୋଗ ଆଣିଲେ ଅନ୍ତେବାସୀ,ଅନ୍ତେବାସୀ ଚରାଉ ଥିଲେ ଗୋରୁ, ଖାଉଥିଲେ ବାସି ଖାଦ୍ୟ

48

ଭଦ୍ରକ, ୨୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡି଼ ବ୍ଲକ ସୟା ପଂଚାୟତ ଅଧୀନ ବାଉଁଶବାଗ ଗ୍ରାମରେ ଥିବା ପତିତପାବନ ଟ୍ରଷ୍ଟ ପରିଚାଳିତ ବୃଦ୍ଧାଶ୍ରମ ବିରୋଧରେ ଅନ୍ତେବାସୀ ମହା ଅଭିଯୋଗ ଆଣିଛନ୍ତି। ଅନ୍ତେବାସୀମାନଙ୍କୁ ଟ୍ରଷ୍ଟର କର୍ମକର୍ତା ଗୋରୁ ଚରାଇବାକୁ କହୁଥିବା ବେଳେ ସେମାନଙ୍କୁ ବାସି ଖାଦ୍ୟ ଦିଆଯାଉଥିବା ନେଇ ଅଭିଯୋଗ କରିଛନ୍ତି। ରବିବାର ପୂର୍ବାହ୍ନରେ ସ୍ଥାନୀୟ ସୈନିକ ସ୍କୁଲ ପରିସର ମଧ୍ୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅନ୍ତେବାସୀ ନରହରି ଜେନା (୬୯), ପଦ୍ମନାଭ ସୂତାର (୬୪), ମୁକୁନ୍ଦଦେବ ନାୟକ (୬୭), ସେବତୀ ଜେନା (୬୨) ପ୍ରମୁଖ ଯୋଗ ଦେଇ କହିଥିଲେ ଯେ, ସେମାନେ କିଛିମାସ ପୂର୍ବରୁ ପତିତପାବନ ବୃଦ୍ଧାଶ୍ରମରେ ରହୁଥିଲେ। ସେମାନେ କିଛିମାସ ରହିବା ପରେ ସେମାନଙ୍କୁ ଗୋରୁ ଚରାଇବା ପାଇଁ କୁହାଯାଇଥିଲା। ଗୋରୁ ଚରାଇଲେ ଦିନକୁ ୪୦୦ଟଙ୍କା ଲେଖାଏଁ ଦିଆଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଅନ୍ତେବାସୀ ନରହରି ୧ମାସ ୧୦ଦିନ ଗୋରୁ ଚରାଇବା ପରେ ତାଙ୍କୁ ମାତ୍ର ୨୫୦୦ଟଙ୍କା ଟ୍ରଷ୍ଟ ପକ୍ଷରୁ ଦିଆଯାଇଥିଲା। ସେ ଏହାର ପ୍ରତିବାଦ କରିଥିଲେ। ଟ୍ରଷ୍ଟ କର୍ତୃପକ୍ଷ ତାଙ୍କୁ ବୃଦ୍ଧାଶ୍ରମରୁ ବାହାର କରିଦେବାକୁ ଧମକ ଦେଇଥିଲେ। ଅନ୍ତେବାସୀ ସେବତୀଙ୍କୁ ଟ୍ରଷ୍ଟ କର୍ମକର୍ତାମାନେ ଶାଗ ଆଣିବାକୁ ବିଲକୁ ପଠାଇଥିଲେ। ପ୍ରତିଦିନ ଅନ୍ତେବାସୀଙ୍କୁ ରାତି ୧୦ ରୁ ୧୧ଟା ମଧ୍ୟରେ ଖାଇବାକୁ ଦିଆଯାଇଥାଏ। ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟ ମଧ୍ୟ ବୃଦ୍ଧ ବୃଦ୍ଧାଙ୍କ ପାଇଁ ରୁଚିକର ନୁହେଁ। ଏପରିକି ଅନ୍ତେବାସୀମାନଙ୍କୁ ବାସି ଖାଦ୍ୟ ଦିଆଯାଉଥିଲା। ଅନ୍ତେବାସୀଙ୍କ ରହୁଥିବା ଆଶ୍ରମର ପାଇଖାନା ସଫା କରାଯାଉ ନଥିବାରୁ ପରିବେଶ ଦୂଷିତ ହୋଇଥାଏ। ଯେଉଁଥିପାଇଁ ଅନ୍ତେବାସୀ ରହିବା କଷ୍ଟକର ହୋଇ ପଡ଼ୁଥିଲା। କୌଣସି ସାମାଜିକ ସଂଗଠନ କିମ୍ବା ବଦାନ୍ୟ ବ୍ୟକ୍ତି ଅନ୍ତେବାସୀଙ୍କ ପାଇଁ ଦେଉଥିବା ଫଳ ଓ ବିସ୍କୁଟ ସହିତ ଅନ୍ୟାନ୍ୟ ସାମଗ୍ରୀକୁ ସେମାନଙ୍କ ଠାରୁ ଆଶ୍ରମର କର୍ମକର୍ତା ନେଇ ଯାଉଥିଲେ। ଏପରି ମାନସିକତାର ଲୋକ କିପରି ବୃଦ୍ଧାଶ୍ରମର ଦାୟିତ୍ୱ ବହନ କରିବ ତାହା ଅନ୍ତେବାସୀ ପ୍ରଶ୍ନ ଉଠାଇଥିଲେ। ଏହିସବୁ ଅନିୟମିତତା ସମ୍ପର୍କରେ ଅନ୍ତେବାସୀ ପ୍ରଶ୍ନ ଉଠାଇବାରୁ ସେମାନଙ୍କୁ ଆଶ୍ରମରୁ ତଡ଼ି ଦିଆଯାଇଥିଲା। ବାହାର କରି ଦିଆଯାଇଥିବା ଅନ୍ତେବାସୀମାନେ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଟ୍ରଷ୍ଟ ପରିଚାଳକ ଦୀପକ କୁମାର ବଳଙ୍କୁ ପଚାରିବାରୁ ଅନ୍ତେବାସୀମାନଙ୍କର ଅଭିଯୋଗର କୌଣସି ସତ୍ୟତା ନାହିଁ। ସେମାନଙ୍କୁ ଖାଇବା, ରହିବାରେ ସୁବନ୍ଦୋବସ୍ତ କରାଯାଇଥିଲା। ସେମାନେ ନିଜ ନିଜ ଇଚ୍ଛାରେ ଆଶ୍ରମ ଛାଡ଼ିଛନ୍ତି। ତଦନ୍ତ ପାଇଁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.