Home ଜିଲ୍ଲା ପରିକ୍ରମା ସ୍ୱାଧୀନତା ସଂଗ୍ରାମରେ ଗୌରାଙ୍ଗ ଚନ୍ଦ୍ରଙ୍କ ଭୂମିକା ଅତୁଳନୀୟ

ସ୍ୱାଧୀନତା ସଂଗ୍ରାମରେ ଗୌରାଙ୍ଗ ଚନ୍ଦ୍ରଙ୍କ ଭୂମିକା ଅତୁଳନୀୟ

31

ଭଦ୍ରକ, ୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମାଞ୍ଚଳରେ ଭାରତୀୟ ମୁକ୍ତି ସଂଗ୍ରାମର ବାର୍ତ୍ତା ପ୍ରଚାର କରିବା ଦିଗରେ ସଂଗ୍ରାମୀ, ସ୍ୱାଭିମାନୀ ଦିବଂଗତ ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଥିଲେ ଅଗ୍ରଣୀ ନାୟକ । ୧୯୪୨ରେ ଇରମ ଠାରେ ଘଟିଥିବା ଗୁଳିକାଣ୍ଡ ପଛରେ ଏହି ସଂଗ୍ରାମୀଙ୍କ ଇଂରେଜ ବିରୋଧୀ ଆହ୍ୱାନ ଶକ୍ତିଶାଳୀ ହୋଇଉଠିଥିଲା ବୋଲି ଏଠାରେ ଆୟୋଜିତ ତାଙ୍କ ୨୩ତମ ସ୍ମୃତି ସଭାରେ ବିଶିଷ୍ଟ ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି । ଭଦ୍ରକ ପୂଜ୍ୟପୂଜା ସଂସଦ ଆନୁକୂଲ୍ୟରେ ଭାଗବତ କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ସ୍ମୃତି ସଭାରେ ସଂସଦର ସଭାପତି କରୁଣାକର ବେହୁରିଆ ସଭାପତିତ୍ୱ କରିଥିବା ବେଳେ ଅନୁଷ୍ଠାନର ସହ ସମ୍ପାଦକ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ମଞ୍ଚ ଆବାହନ କରିଥିଲେ । ରୋଟାରିଆନ ଅତିଶ କୁମାର ବେହେରା ଅତିଥି ପରିଚୟ ପ୍ରଦାନ ଓ ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. କ୍ଷୀରୋଦ କୁମାର ସାମଲ ମୁଖ୍ୟବକ୍ତା ଓ ସ୍ତମ୍ଭକାର ବିଭୂତି ଭୂଷଣ ସେନାପତି ସମ୍ମାନିତବକ୍ତା ଭାବେ ଯୋଗଦେଇ ସଂଗ୍ରାମୀ ଗୌରାଙ୍ଗଚନ୍ଦ୍ର ଏକ ନିପଟ ମୋଫସଲ ଅଞ୍ଚଳ ବାସୁଦେବପୁରର ବରଣ୍ଡୁଆ ଠାରେ ଜନ୍ମଗ୍ରହଣ କରିଥିବା ବେଳେ, ସମଗ୍ର ଓଡ଼ିଶାରେ ଜଣେ ଖ୍ୟାତନାମା ସଂଗ୍ରାମୀ ହୋଇପାରିବା ଏକ ବିସ୍ମୟକର ଘଟଣା ଏବଂ ଯେଉଁ ସମୟରେ ଇଂରେଜମାନେ ଅନ୍ୟାୟ ଅତ୍ୟାଚାର କରିଚାଲିଥିଲେ, ସେତେବେଳେ ସ୍ୱାଭିମାନୀ ଗୌରାଙ୍ଗ ଚନ୍ଦ୍ର ନିଜ ପାରିବାରିକ ଦାରିଦ୍ର‌୍ୟକୁ ଭୁଲି ଯେପରି ସେହି ନିର୍ଯ୍ୟାତନାର ବିରୋଧ କରିପାରିଥିଲେ ତାହା ତାଙ୍କ ଜୀବନଯାତ୍ରାର ସ୍ମରଣୀୟ କାହାଣୀ ବୋଲି କହିଥିଲେ । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀ ହୃଦାନନ୍ଦ ରାଉତଙ୍କୁ ‘ଗୌରାଙ୍ଗଚନ୍ଦ୍ର ମହାନ୍ତି ସ୍ମୃତି ସମ୍ମାନ-୨୦୨୧’ରେ ପ୍ରଦାନ କରାଯାଇଥିଲା । କବୟିତ୍ରୀ ଗୀତାରାଣୀ ଆଇଚ ମାନପତ୍ର ପାଠ କରିଥିବା ବେଳେ, ନାଟ୍ୟକାର ନିର୍ମଳ ରାଉତ ଧନ୍ୟବାଦ ଦେଇଥିଲେ । ମନୋରମା ରାୟ, ଅବ୍‌ଦୁଲ ଦୟାନ, ମୁସ୍ତାକ ଗହ୍ୱରେ ପ୍ରମୁଖ କବିତା ପାଠ କରିଥିବା ବେଳେ ଅଜୟ ନାୟକ, ଅବନୀ ପ୍ରଧାନ, ରାମଚନ୍ଦ୍ର ପଣ୍ଡା, ହରିଶ୍ଚନ୍ଦ୍ର ଦାସ, ନିହାର କର, ହରମୋହନ କୁଅଁର ଓ ସୁରେନ୍ଦ୍ର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.