ବାଲେଶ୍ୱର, ୨୨ା୭(ଓଡ଼ିଆ ପୁଅ/ଅଭୟ ଦାସ): ସ୍ୱାଧୀନତାର ଦୀର୍ଘବର୍ଷ ପରେ ଆଜି ବିଜୁଳି ଆଲୋକ ଦେଖିବାକୁ ପାଇଥିବା ବାଲେଶ୍ୱର ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୧୮ କିମି ଦୂର ପରଖି ପଞ୍ଚାୟତର ବଳରାମଗଡ଼ିି ଗାଁଆର ଲୋକଙ୍କ ଆନନ୍ଦ କହିଲେ ନ ସରେ। ବଳରାମଗଡ଼ି ଗାଁ ପରିଖି ପଞ୍ଚାୟତର ଏକ ୱାର୍ଡ଼ ହୋଇଥିବା ବେଳେ ଏଠି ୪୦ରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ଏହି ଗ୍ରାମର ଭଲ ରାସ୍ତାଟିଏ ଓ ବିଜୁଳି ଆଲୋକ ପାଇଁ ଦୀର୍ଘଦିନ ଧରି ଲୋକେ ଦାବି କରିଆସୁଥିଲେ। ମାତ୍ର ପ୍ରଶାସନ ଲୋକ ପ୍ରତିନିଧି ତଥା ରାଜନେତାଙ୍କଠାରୁ କେବଳ ପ୍ରତିଶ୍ରୁତି ହିଁ ମିଳି ଆସୁଥିଲା। ଇତି ମଧ୍ୟରେ ବହୁ ସାଂସଦ, ବିଧାୟକ ଓ ସରପଞ୍ଚ ନିଜର କାର୍ଯ୍ୟକାଳ ଶେଷ କରି ଚାଲି ଯାଇଥିଲେ ବି କୁଡ଼ିପାହି ଗ୍ରାମର ଭାଗ୍ୟ ବଦଳି ନଥିଲା। ବିଜୁ ଗ୍ରାମ୍ୟ ଜ୍ୟୋତି, ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି, ପ୍ରଧାନମନ୍ତ୍ରୀ ସୌଭାଗ୍ୟ ପ୍ରଭୃତି ଯୋଜନାରେ କେତେଗୋଟି ବିଦ୍ୟୁତ୍ ଖୁଣ୍ଟ ପୋତାଯାଇଥିଲା। ମାତ୍ର ଟ୍ରାନ୍ସଫର୍ମାର କିମ୍ବା ବିଦ୍ୟୁତ୍ ତାର ଟାଣିବା ନେଇ କିଛି ପଦକ୍ଷେ ଗ୍ରହଣ କରାଯାଉ ନଥିଲା। ଏହାକୁ ନେଇ ଗତମାସ କେତେକ ଗଣମାଧ୍ୟମ ଏହି ଗାଁକୁ ଆସି ଲୋକଙ୍କ ସମସ୍ୟା ସମ୍ପର୍କରେ ଜାଣିବା ଓ ବାସ୍ତବତାକୁ ଦେଖିବା ସହ ସମ୍ବାଦ ପ୍ରକାଶ ତଥା ପ୍ରସାରଣ କରିଥିଲେ। ଏହାର ପ୍ରଭାବରେ ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାନ୍ସଫର୍ମାର ପ୍ରତିଷ୍ଠା ସାଙ୍ଗକୁ ବିଦ୍ୟୁତ୍ ତାର ଟଣାଯାଇ ବିଦ୍ୟୁତ୍ ସଂଯୋଗ ବି ହୋଇଯାଇଛି। ଏବେ ଗ୍ରାମବାସୀଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ଜାରି ରହିଛି। ଆଉ ୨/୩ ଦିନ ମଧ୍ୟରେ ଗ୍ରାମର ସମସ୍ତ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଯିବ ବୋଲି ଆଶା କରାଯାଉଛି। ତେବେ ସ୍ୱାଧୀନତାର ଦୀର୍ଘ ବର୍ଷରେ ଏହି କୁଡ଼ିପାହି ଗାଁ’କୁ ବିଦ୍ୟୁତ୍ ଆସିବା ପରେ ଉତ୍ସବ ଆୟୋଜନ ଭିତ୍ତିରେ ନୂଆ ପ୍ରତିଷ୍ଠା ହୋଇଥିବା ଟ୍ରାନ୍ସଫର୍ମାରକୁ ଆଜି ଉଦ୍ଘାଟନ କରାଯାଇଥିଲା। ସଦର ବ୍ଲକ ଉପାଧ୍ୟକ୍ଷା ସୁପ୍ରୀତି ଗିରି, ପରଖି ସରପଞ୍ଚ କବିତା ପାତ୍ର ସମାଜସେବୀ କମରୁଲ ଅଲ୍ଲି ଖାଁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟ୍ରାାନ୍ସଫର୍ମାରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ବିଳମ୍ବରେ ହେଉ ପଛେ ପ୍ରଶାସନ ତଥା ବିଭାଗୀୟ ପଦକ୍ଷେପ ବେଶ୍ ପ୍ରଶଂସନୀୟ ବୋଲି ସେମାନେ କହିଥିଲେ। ତେବେ ସବୁଠାରୁ ଧନ୍ୟବାଦର ପାତ୍ର ଗଣମାଧ୍ୟମ ପ୍ରତିନିଧି ବୋଲି ସେମାନେ କହିଥିଲେ। ଗଣମାଧ୍ୟମୀ ପ୍ରତିନିଧିମାନେ ଗାଁ’ର ସମସ୍ୟାକୁ ଟିଭି ଓ ଖବରକାଗଜ ମାଧ୍ୟମରେ ପ୍ରକାଶ ଏବଂ ପ୍ରସାରଣ କରିବା ପରେ ଗ୍ରାମବାସୀମାନେ ଆଜି ବିଦ୍ୟୁତ୍ ଆଲୁଅ ଦେଖିପାରିଛନ୍ତି ବୋଲି ସେମାନେ କହିଥିଲେ।