Home ଜିଲ୍ଲା ପରିକ୍ରମା ସ୍ୱପ୍ନରେ ରହିଯାଇଛି ଭଦ୍ରକରେ ଶିଳ୍ପର ବିକାଶ : ଅଣ ଶିଳ୍ପ କାର୍ଯ୍ୟରେ ଶିଳ୍ପାଞ୍ଚଳ ଜମି, ସୂତାଖିଅରେ...

ସ୍ୱପ୍ନରେ ରହିଯାଇଛି ଭଦ୍ରକରେ ଶିଳ୍ପର ବିକାଶ : ଅଣ ଶିଳ୍ପ କାର୍ଯ୍ୟରେ ଶିଳ୍ପାଞ୍ଚଳ ଜମି, ସୂତାଖିଅରେ ଟେକ୍ସଟାଇଲ ପାର୍କର ଭାଗ୍ୟ

52

ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶିଳ୍ପ ବିହୀନ ଭଦ୍ରକ ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ କାହା ନିକଟରେ ଆନ୍ତରିକତା ନାହିଁ । କେବଳ ଧାମରା ବନ୍ଦର, ରାନ୍ଦିଆ ଠାରେ ଫେକର କ୍ରୋମ ଓ ପାୱାର ପ୍ଲାଣ୍ଟକୁ ଛାଡ଼ି ଦେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଆଉ କୌଣସି ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇ ପାରିନି । ପୂର୍ବରୁ ଅସୁରାଳୀ ଠାରେ ପଞ୍ଚାୟତ ସମିତିସ୍ତରୀୟ କ୍ଷୁଦ୍ର ଶିଳ୍ପାଞ୍ଚଳ ପାଇଁ ହୋଇଥିବା ଉଦ୍ୟମ ଓ ଅସୁରା ଠାରେ ଭଦ୍ରକ ଶିଳ୍ପାଞ୍ଚଳ ଏବେ ଅଣଶିଳ୍ପ କାର୍ଯ୍ୟରେ ବ୍ୟବହୃତ ହୋଇ ଚାଲିଛି । ଉପରୋକ୍ତ ଦୁଇ ସ୍ଥାନରେ କୌଣସି ପ୍ରକାର ଶିଳ୍ପ ସଂସ୍ଥାର ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ଧାନମଗର ଛକ ଠାରେ ଇଡକୋ ଅଧିଗ୍ରହଣ କରିଥିବା ୨ଶହ ଏକରରୁ ଉର୍ଦ୍ଧ୍ୱ ଜମି ଉପରେ ମେକ୍ ଇନ ଓଡ଼ିଶା ପ୍ରକଳ୍ପରେ ବହୁ ବୃହତ୍ ଶିଳ୍ପ ପ୍ରତିଷ୍ଠା ହେବ ବୋଲି କେତେକ ଶାସକ ଦଳ ବିଧାୟକ ଓ ସାଂସଦ ପ୍ରାର୍ଥୀ ନିର୍ବାଚନ ପୂର୍ବରୁ ବିଭିନ୍ନ ସଭାସମିତିରେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ନିର୍ବାଚନ ସରିବାକୁ ଦେଢ଼ ବର୍ଷ ବିତିଲାଣି । କିନ୍ତୁ କୌଣସି ନିର୍ବାଚିତ ଲୋକ ପ୍ରତିନିଧି ଏଦିଗରେ ସମାନ୍ୟତମ ଆନ୍ତରିକତା ପ୍ରକାଶ କରିନାହାନ୍ତି । ଧାମନଗର ଛକ ୧୬ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଜିଲ୍ଲା ପ୍ରଶାସନ ସରକାରୀ ଓ ବେସରକାରୀ ଜମିକୁ ମିଶାଇ ମୋଟ ୨୩୭ ଏକର ଜମି ଅଧିଗ୍ରହଣ କରିଥିଲା । ଏହି ସ୍ଥାନରେ ପୂର୍ବରୁ ଏକ ଚିନି କଳ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ କୌଣସି କାରଣରୁ ଚିନିକଳ ପ୍ରତିଷ୍ଠା ପ୍ରତିଷ୍ଠା ପ୍ରସ୍ତାବ ଅଟକି ଯାଇଥିଲା । ପରବର୍ତ୍ତୀ ସମୟରେ ଏହି ଜମିରେ ଏକ ଫୁଡ଼ ଓ ଟେକ୍ସଟାଇଲ ପାର୍କର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ରହିଥିଲା । ୨୦୧୭ ମସିହାରେ ଏକ ବୟନଶିଳ୍ପ ପାର୍କ ପ୍ରତିଷ୍ଠା ପାଇଁ ଇଣ୍ଡିଆନ ଅଏଲ ପକ୍ଷରୁ ଏକ ବୁଝାମଣାପତ୍ର ରାଜ୍ୟ ସରକାରଙ୍କ ସହ ସ୍ୱାକ୍ଷରିତ ହୋଇଥିଲା । ୧୯୭୧ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ସ୍ଥାପନ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । ଏହା ଦ୍ୱାରା ୨୫ ରୁ ୩୦ହଜାର ଯୁବକ ପ୍ରତ୍ୟେକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ପାଇବେ ବୋଲି ସେତେବେଳେ କୁହାଯାଇଥିଲା । କିନ୍ତୁ ଇତି ମଧ୍ୟରେ ୨ବର୍ଷ ବିତିବାକୁ ବସିଛି । କିନ୍ତୁ ଫୁଡ ଏଣ୍ଡ ଟେକ୍ସଟାଇଲ ପାର୍କ ପ୍ରକଳ୍ପ ପ୍ରସ୍ତାବରେ ଅଟକିଛି ।

ଇତିମଧ୍ୟରେ ସଂସଦରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଫୁଡ ଟେକ୍ସଟାଇଲ ପାର୍କ କାର୍ଯ୍ୟ ପାଇଁ ଗୃହରେ ଦାବି ଉଠାଇଥିଲେ । ଲକଡାଉନ ସମୟରେ ବାହାର ରାଜ୍ୟରେ ବିଭିନ୍ନ ବୟନଶିଳ୍ପ କମ୍ପାନୀରେ ଚାକିରୀ କରି ଘରକୁ ଫେରିଥିବା ଅଭିଜ୍ଞ ଓ କୁଶଳୀ କାରିଗର ଏହା ଦ୍ୱାରା ଉପକୃତ ହୋଇ ପାରିବେ ବୋଲି ନିଜର ମତ ରଖିଥିଲେ । ବୟନ ଶିଳ୍ପ ପାର୍କ ପ୍ରତିଷ୍ଠା କର୍ମନିଯୁକ୍ତି ସୃଷ୍ଟି ଓ ଜିଲ୍ଲାର ଅର୍ଥନୈତିକ ବିକାଶ କରିବାର ସମ୍ଭାବନା ରଖୁଥିଲେ ମଧ୍ୟ ଏହି ପ୍ରସ୍ତାବିତ ଶିଳ୍ପ ସଂସ୍ଥା ରାଜନୈତିକ ପଶାପାଲିର ଗୋଟି ପାଲଟି ଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ୪୦ବର୍ଷ ପୂର୍ବେ ଭଦ୍ରକ-ଆଖଣ୍ଡଳମଣୀ ରାସ୍ତାର ଅସୁରାଳି ନିକଟରେ ଏକ ପଞ୍ଚାୟତ ସମିତିସ୍ତରୀୟ ଶିଳ୍ପାଞ୍ଚଳ ପ୍ରତିଷ୍ଠା ପାଇଁ ସରକାର ଉଦ୍ୟମ କରିଥିଲେ । କାଗଜକଳ, ଚିନିକଳ, ରାଇସମିଲ, ଚୂଡ଼ାକଳ ପରି କ୍ଷୁଦ୍ର ଶିଳ୍ପାନୁଷ୍ଠାନର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଥିଲା ସେଠାରେ । ଶିଳ୍ପ ପ୍ରତି ଆଗ୍ରହୀ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କୁ ଅଗ୍ରାଧିକାର ଭିତ୍ତିରେ ରାଜସ୍ୱ ବିଭାଗ ଜମିକୁ ଲିଜ ସୂତ୍ରରେ ପ୍ରଦାନ କରାଯିବା ସହ ବ୍ୟାଙ୍କ ଋଣ ମଧ୍ୟ ପ୍ରଦାନ କରାଯାଇଥିଲା । କିନ୍ତୁ ଏହାର ସୁଫଳ ମିଳି ପାରି ନାର୍ହିଁ । ସେହିପରି ୮୦ ଦଶକରେ ଭଦ୍ରକକୁ ଶିଳ୍ପ ସମୃଦ୍ଧ ଅଞ୍ଚଳ ଭାବେ ଗଢ଼ିତୋଳିବା ପାଇଁ ଚରମ୍ପା ରାହାଞ୍ଜ ଅଞ୍ଚଳର ୨୦ଏକର ଜମି ଚିହ୍ନଟ କରାଯାଇଥିଲା । ଜାତୀୟ ରାଜପଥ ପାଶ୍ୱର୍ସ୍ଥ ଏହି ଜମିକୁ ପରେ ଇଡ଼କୋ ଅଧିଗ୍ରହଣ କରି ଏହା ଉପରେ ଆବଶ୍ୟକୀୟ ଭିତ୍ତିଭୂମୀ ପ୍ରସ୍ତୁତ କରି ୨୦ଜଣ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ବଣ୍ଟନ କରିଥିଲା । କିନ୍ତୁ ଇତିମଧ୍ୟରେ ୩୬ବର୍ଷରୁ ଅଧିକ ସମୟ ବିତିଲାଣି, କିନ୍ତୁ ଶିଳ୍ପଦ୍ୟୋଗୀଙ୍କ ମଧ୍ୟରେ ବିତସ୍ପୃହତା ଅଥବା ସେମାନଙ୍କୁ ପ୍ରୋତ୍ସାହନ ଅଭାବରୁ ଏହି ସ୍ଥାନରେ ଏବେ ଗୋଟିଏବି ଶିଳ୍ପ ମୁଣ୍ଡ ଟେକି ପାରିନାହିଁ । ପ୍ରଥମରୁ ପ୍ରତିଷ୍ଠା ହୋଇଥିବା ଶିଳ୍ପସଂସ୍ଥା ପ୍ରାୟତଃ ବନ୍ଦ କିମ୍ବା ରୁଗଣ । ଶିଳ୍ପ ପ୍ରତିଷ୍ଠା ପାଇଁ ଆବଣ୍ଟିତ ଜମି ଏବେ ଅଣଶିଳ୍ପ କାର୍ଯ୍ୟରେ ଅଧିକ ବ୍ୟବହାର ହେଉଥିବା ପରିଲକ୍ଷିତ ହେଉଛି । ତେଣୁ ଜିଲ୍ଲାରେ ଶିଳ୍ପର ବିକାଶ ପାଇଁ ସରକାରୀସ୍ତରରେ ଉଦ୍ୟମ ଜରୁରୀ ହୋଇ ପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.