Home ଜିଲ୍ଲା ପରିକ୍ରମା ସ୍ୱତନ୍ତ୍ର ଶାସନ ସଚିବଙ୍କ ତିନି ଦିନିଆ ଗସ୍ତ କାର୍ଯ୍ୟକ୍ରମ ଶେଷ, ଜିଲ୍ଲା ସଦର ମହକୁମାରେ ହେବ...

ସ୍ୱତନ୍ତ୍ର ଶାସନ ସଚିବଙ୍କ ତିନି ଦିନିଆ ଗସ୍ତ କାର୍ଯ୍ୟକ୍ରମ ଶେଷ, ଜିଲ୍ଲା ସଦର ମହକୁମାରେ ହେବ ଏଗ୍ରିମଲ୍ ଓ ମିଶନ ଶକ୍ତି ବଜାର

8

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂତନ ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ଶାସନ ସଚିବମାନେ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଓ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା ପରିଦର୍ଶନ ଓ ତଦାରଖ କରି ସରକାରଙ୍କୁ ତଥ୍ୟ ପ୍ରଦାନ କରିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ଶାସନ ସଚିବ, ପଂଚାୟତ ରାଜ ଏବଂ ନିର୍ଦ୍ଦେଶିକା ତଥା ମୁଖ୍ୟନିର୍ବାହୀ ଅଧିକାରୀ, ଓରମାସ୍ ଗୁହା ପୁନମ୍ ତାପସ କୁମାର ଭଦ୍ରକ ଜିଲ୍ଲାକୁ ୩ ଦିନିଆ ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି। ଅକ୍ଟୋବର ୧ ରୁ ୩ ତାରିଖ ମଧ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକକୁ ଗସ୍ତରେ ଯାଇି ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଆବଶ୍ୟକ ଅନୁଯାୟୀ ପରାମର୍ଶ ଓ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଗସ୍ତ ସମୟରେ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସଚିବଙ୍କ ସହ ସାମିଲ ରହିଥିଲେ। ନବ ନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ ସମ୍ପୂର୍ଣ୍ଣ ପାଇଁ ଆବଶ୍ୟକ ଅଗ୍ନି ନିରାପତତ୍ତା ପ୍ରମାଣ ପତ୍ର, ବିଭିନ୍ନ ସୂଚନା ଫଳକ ସଂଲଗ୍ନ କରାଯିବା, କେତେକ କକ୍ଷରେ ଏ.ସି. କବାଟ ଝରକା ଆଦି କାର୍ଯ୍ୟ ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଶିଶୁ ମାତୃ ମଙ୍ଗଳ କେନ୍ଦ୍ରରେ ଚିକିତ୍ସାଧିନ ମାଆ ମାନଙ୍କ ସିହ ବାର୍ତାଳାପ କରି ସେମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ଅବଗତ ହୋଇଥିଲେ। ୱାନଷ୍ଟପ୍ ସେଂଟର ସଖୀ କେନ୍ଦ୍ର ପରିଦର୍ଶନ କରି ମହିଳା ମାନଙ୍କୁ ଯୋଗାଇ ଦିଆଯାଉଥିବା ଆଇନ୍‌ଗତ ସହାୟତା ବିଷୟରେ ପଚାରି ବୁଝିଥିଲେ। ଅସହାୟ ମହିଳାଙ୍କୁ କର୍ମଯୋଗାଣ ବ୍ୟାବସ୍ଥା ଏବଂ ମୁକ୍ତ ଶିଶୁ ଯତ୍ନ ଅନୁଷ୍ଠାନ ମାନଙ୍କରେ ରହୁଥିବା ଉଦ୍ଧାର କରାଯାଇଥିବା ଶିଶୁ ଶ୍ରମିକ, ଭିକ୍ଷାବୃତି କରୁଥିବା ଶିଶୁ ମାନଙ୍କ ପାଠପଢ଼ା ଓ ଉପଯୁକ୍ତ ଥଇଥାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ବିଭିନ୍ନ ଉତ୍ପାଦ, କୃଷିଜାତ ଦ୍ରବ୍ୟ, ମିଲେଟ୍ ମିଶନ୍ ଆଦି ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ମାତ୍ର ପ୍ୟାକେଜିଂ, ବ୍ରାଣ୍ଡିଂ ଓ ଉପଯୁକ୍ତ ବଜାର ବ୍ୟବସ୍ଥା ଅଭାବରୁ ଉତ୍ପାଦକ ମାନେ ବିଶେଷ ଲାଭବାନ ହେଇପାରୁନଥିବା ଯୋଗୁଁ ସେ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନକୁ ସେ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ସଦର ମହକୁମାରେ ଏଗ୍ରିମଲ ଓ ମିଶନ ଶକ୍ତି ବଜାର ଖୋଲିବା ଦିଗରେ ପଦକ୍ଷେପ ଗ୍ରହଣ ପାଇଁ ମଧ୍ୟ ପରାମର୍ଶ ପ୍ରଦାନ କରିଥିଲେ। ଜିଲ୍ଲା ଶିଳ୍ପକେନ୍ଦ୍ର ଆନୁକୂଲ୍ୟରେ ଥିବା ଆଇସ୍‌କ୍ରିମ୍ ଶିଳ୍ପକେନ୍ଦ୍ର ପରିଦର୍ଶନ କରି ଖୁବ୍ ଉଚ୍ଚମାନର ଉତ୍ପାଦ ବୋଲି ପ୍ରକାଶ କରିଥିଲେ। ମାତ୍ର ସେଥିପାଇଁ ବଜାର ନଥିବାରୁ ପଦକ୍ଷେପ ନେବାକୁ ପ୍ରଶାସନକୁ କହିଥିଲେ। ସେହିପରି ଅଗରବତୀ କେନ୍ଦ୍ର, ସମନ୍ୱିତ କୃଷିଫାର୍ମ, ମତ୍ସ୍ୟ ପାଳନ ଆଦି ପ୍ରକଳ୍ପ ପରିଦର୍ଶନ କରିଥିଲେ। ଅସୁରାଳି ସ୍ଥିତ ଦେଶବନ୍ଧୁ ନୋଡ଼ାଲ ସ୍କୁଲକୁ ପରିଦର୍ଶନରେ ଯାଇ ପିଲାମାନଙ୍କ ଶିକ୍ଷା ଗ୍ରହଣର ଗୁଣାତ୍ମକ ଦିଗ ପରିକ୍ଷା କରିଥିଲେ। ପିଲାମାନଙ୍କୁ ପଣକିଆ ପଚାରି ସଠିକ୍ ଉତର ପାଇଁ ଖୁସିବ୍ୟକ୍ତ କରିଥିଲେ। ପିଲାମାନଙ୍କ ସହ ସଚିବ, ଜିଲ୍ଲାପାଳ, ସି.ଡ଼ି.ଓ. ପ୍ରମୁଖ ମଧ୍ୟାହ୍ନ ଭୋଜନ ଖାଇଥିଲେ। ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଐତିହ୍ୟ ଶୈବକ୍ଷେତ୍ର ଆରଡ଼ି ପରିଦର୍ଶନରେ ଯାଇ ବାବା ଆଖଣ୍ଡଳମଣୀଙ୍କୁ ଦର୍ଶନ କରିବା ସହ ଉକ୍ତ କ୍ଷେତ୍ରର ନିର୍ମାଣାଧୀନ ପ୍ରକଳ୍ପ ସବୁ ସଠିକ୍ ଗୁଣବତା ସହ ଧାର୍ଯ୍ୟ ସମୟ ଭିତରେ ଶେଷ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଗସ୍ତର ଅନ୍ତିମ ଦିନରେ ସଦ୍‌ଭାବନା ସଭାଗୃହରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାଗସ୍ତ ଅବସରରେ ସଚିବ ତାଙ୍କ ଅନୁଭବ ପ୍ରକାଶ କରିଥିଲେ। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ଏବଂ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସବୁର ସଫଳ ରୂପାୟନ ପାଇଁ ଆବଶ୍ୟକ ପାରସ୍ପରିକ ବିଭାଗୀୟ ସମନ୍ୱୟ ଓ ସହଯୋଗ ନେଇ ପକ୍ଷାନ୍ତରରେ ବୈଠକ ଆୟୋଜନ କରାଯିବା ନେଇ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ପରାମର୍ଶ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ସି.ଡ଼ି.ଓ. ସରୋଜ କୁମାର ଦତ, ଉପଜିଲ୍ଲାପାଳ, ଏ.ସି.ଡ଼ି.ଓ. କୁଶଳ ଚନ୍ଦ୍ର ନାୟକ, ଅତରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ ପ୍ରମୁଖ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.