ରାଉରକେଲା ୯-୯ (ଓଡ଼ିଆ ପୁଅ/ସୁବୋଧ ନାୟକ) : କଥାରେ ଅଛି ବୃତି ମୋର ପୋଷେ କୁଟୁମ୍ବ। ପେଟ ଚାଖଣ୍ଡକଙ୍କ ପାଇଁ ମନୁଷ୍ୟ ବିଭିନ୍ନ ପ୍ରକାର ବୃତି କରିଥାଏ। ଏହି ବୃତିରୁ ଦୁଇ ପଇସା ରୋଜଗାର କରି ନିଜ ତଥା ପରିବାରର ଭରଣ ପୋଷଣ କରିଥାଏ ବ୍ୟକ୍ତିଜଣଙ୍କ। ମାତ୍ର ଯେତେବେଳେ ବ୍ୟକ୍ତିଟି ଶାରୀରିକ ସ୍ତରରେ ଅପଙ୍ଗ ହୋଇ ପଡେ, ତେବେ ଭିକ୍ଷାବୃତି କରି ନିଜର ଜୀବନ ବଂଚାଇବା ବ୍ୟତିତ ତାର ଅନ୍ୟ କିଛି ଉପାୟ ନଥାଏ। ଜୀବନ ଯୁଦ୍ଧରେ ସଂଗ୍ରାମ କରି ଚାଲିଥାନ୍ତି ଏପରି ବ୍ୟକ୍ତି ମାନେ। ଦକ୍ଷିଣ ରାଉରକେଲାର ଦେଓଗାଁ ରେ ଥିବା କୁଷ୍ଠ ବସ୍ତିର ଲୋକମାନଙ୍କୁ ପ୍ରତିଦିନ ଭିକ୍ଷା ବୃତି ଉପରେ ନିର୍ଭର କରିବାକୁ ପଡିଥାଏ। ଏମାନେ ଦକ୍ଷିଣ ରାଉରକେଲାର ତରକେରା ଶିବ ମନ୍ଦିର ସମେତ ଅନ୍ୟ ମନ୍ଦିର ଗୁଡିକ ନିକଟରେ ଭିକ୍ଷା ମାଗୁ ଥିବା ଦେଖିବାକୁ ମିଳେ। ସାରନଗରୀ ଗୋଲେଇ ଛକ ସ୍ଥିତ ମା ମଙ୍ଗଳା ମନ୍ଦିରରେ ଭିକ୍ଷୁକ ମାନଙ୍କୁ ଭିକ୍ଷାବୃତି କରିବା ଦୃଷ୍ଟିଗୋଚର ହୋଇଥାଏ। ପ୍ରବଳ ଖରା ସତ୍ୱେ ମୁଣ୍ଡରେ ଛତାର ଆଶ୍ରୟ ନେଇ ଏମାନେ ବସିଥାନ୍ତି ମନ୍ଦିର ବେଢାରେ। ଚାତକ ଭଳି ଚାହିଁ ବସିଥାନ୍ତି ପୂଜା ସାରି ମନ୍ଦିରରୁ ଫେରୁଥିବା ଭକ୍ତ ମାନଙ୍କୁ। ସେମାନେ ଧରିଥିବା ରସ ତାଟିକାରେ କିଏ ୨ଟଙ୍କା ତ ପୁଣି କିଏ ୫ଟଙ୍କା ପକାଇ ଚାଲିଯାଉଥିବା ବେଳେ ଭିକ୍ଷୁକ ମାନେ ‘ତମକୁ ଭଗବାନ ଭରସା ହୁଅନ୍ତୁ ବାବୁ’ ବୋଲି କହିଥାନ୍ତି। କେହି କେହି ଭକ୍ତ ଭୋଗ ହୋଇ ସାରିଥିବା ନଡିଆ କି କଦଳୀ ଭିକ୍ଷୁକ ମାନଙ୍କୁ ପ୍ରଦାନ କରିବା ଦେଖିବାକୁ ମିଳିଥାଏ। ରାଉରକେଲାରେ ଥିବା ଶିବ ମନ୍ଦିର, ସାଇ ମନ୍ଦିର, ଜଗନ୍ନାଥ ମନ୍ଦିର, ହନୁମାନ ମନ୍ଦିର ଗୁଡିକରେ ପ୍ରତିଦିନ ଭିକ୍ଷୁକ ମାନଙ୍କୁ ଦେଖିବାକୁ ମିଳିଥାଏ। ମା ମଙ୍ଗଳା ଓ ଅନ୍ୟ ଦେବାଦେବୀଙ୍କ କୃପାରୁ ତାଙ୍କର ତେଲ ଲୁଣ ସଂସାର ଚାଲୁଛି ବୋଲି ଜଣେ ଭିକ୍ଷୁକ ମତ ଦିଅନ୍ତି। ସରକାରଙ୍କ ପକ୍ଷରୁ କରାଯାଇଥିବା କେତେକ ଯୋଜନାର ସୁଫଳ ଏମାନଙ୍କୁ ମିଳୁଥିବା ବେଳେ, ଆଉ କେତେକ ଯୋଜନା ଏବେ ବି ଅପହଂଚ ଏମାନଙ୍କ ପାଖରେ। ରାତି ପାହିଲେ ପ୍ରସ୍ତୁତ ହୋଇ ରହିଥାନ୍ତି ଏପରି ଭିକ୍ଷାବୃତିକୁ ଆପଣାଇବା ପାଇଁ। ପୁଣିଖୋଜି ବୁଲନ୍ତି ଆଜି କେଉଁ ମନ୍ଦିର ଓ ଦେବାଦେବୀଙ୍କ କୃପା ଦୃଷ୍ଟି ତାଙ୍କ ଉପରେ ପଡିବ!