Home ଓଡ଼ିଶା ସ୍ମାର୍ଟସିଟି ରାଉରକେଲାରେ ମହିଳାଙ୍କ ସୁବିଧା ପାଇଁ ସ୍ଥାପନା ହେଲା ସ୍ୱତନ୍ତ୍ର ‘ସ୍ତନ୍ୟପାନ କକ୍ଷ’

ସ୍ମାର୍ଟସିଟି ରାଉରକେଲାରେ ମହିଳାଙ୍କ ସୁବିଧା ପାଇଁ ସ୍ଥାପନା ହେଲା ସ୍ୱତନ୍ତ୍ର ‘ସ୍ତନ୍ୟପାନ କକ୍ଷ’

73

ରାଉରକେଲା ୨-୧୦ (ଓଡ଼ିଆ ପୁଅ) ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ସ୍ମାର୍ଟସିଟି ରାଉରକେଲାର ସର୍ବସାଧାରଣ ସ୍ଥାନମାନଙ୍କରେ ସ୍ୱତନ୍ତ୍ର ‘ସ୍ତନ୍ୟପାନ କକ୍ଷ’ (ଫିଡିଙ୍ଗ୍ ରୁମ୍) ସ୍ଥାପନ କରାଯାଇଛି। ସ୍ତନ୍ୟପାନ କରୁଥିବା ଶିଶୁଙ୍କୁ ନେଇ ବିଭିନ୍ନ କାମରେ ବାହାରକୁ ଆସୁଥିବା ମା’ମାନଙ୍କ ପାଇଁ ଏହା ବିଶେଷ ସହାୟକ ହୋଇପାରିବ। ଶୁକ୍ରବାର ଦିନ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଏହି ସ୍ୱତନ୍ତ୍ର କକ୍ଷର ଶୁଭାରମ୍ଭ କରିଛନ୍ତି।

ସ୍ମାର୍ଟସିଟି, ରାଉରକେଲା ପକ୍ଷରୁ ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ ଅଧୀନରେ ଏହି ସ୍ତନ୍ୟପାନ କକ୍ଷ କରାଯାଇଛି। ସହରର ୪ଟି ସ୍ଥାନ – ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ, ବାସନ୍ତୀ କଲୋନି ଜଗନ୍ନାଥ ମନ୍ଦିର ନିକଟ, ଡିଏଭି ଏମଏସି ୟୁପିଏଚସି ଏବଂ ତିଲକାନଗର ୟୁପିଏଚସି ପରିସରରେ ଏହା ସ୍ଥାପନ କରାଯାଇଛି।

“ରାଉରକେଲା ସହରକୁ ବିଭିନ୍ନ କାମରେ ସାନ ସାନ ପିଲାମାନଙ୍କୁ ନେଇ ଅନେକ ମା’ମାନେ ଆସିଥାନ୍ତି। ସେମାନେ ତାଙ୍କ ପିଲାଙ୍କୁ ସ୍ତନ୍ୟପାନ କରାଇବା ନେଇ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହାକୁ ଦୃଷ୍ଟିରେ ରଖି ରାଉରକେଲା ସ୍ମାର୍ଟସିଟି ପକ୍ଷରୁ କରାଯାଇଥିବା ସ୍ତନ୍ୟପାନ କକ୍ଷ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଦ୍ୱାରା ମା’ମାନେ ସୁରକ୍ଷିତ ଭାବେ ଏହି କକ୍ଷରେ ସ୍ତନ୍ୟପାନ କରାଇପାରିବେ’’, କହିଛନ୍ତି ବିଧାୟକ ସାରଦା ପ୍ରସାଦ ନାୟକ।

ଏହି ସ୍ୱତନ୍ତ୍ର କକ୍ଷରେ ସ୍ତନ୍ୟପାନ ପାଇଁ ମା’ମାନଙ୍କ ଲାଗି ବିଶେଷ ସୁବିଧା ରହିଛି। ମା’ମାନଙ୍କ ଲାଗି ଏଠାରେ ବସିବାର ବ୍ୟବସ୍ଥା ରହିଥିବା ବେଳେ ଭେଣ୍ଟିଲେସନ, ଲାଇଟ୍ ଏବଂ ଫ୍ୟାନର ସୁବିଧା ରହିଛି। ଏହାଛଡ଼ା ଏହି କକ୍ଷରେ ସ୍ତନ୍ୟପାନ ସମ୍ପର୍କରେ ମା’ମାନଙ୍କ ପାଇଁ ବିଭିନ୍ନ ପରାମର୍ଶ ରହିଥିବା ବେଳେ ଶିଶୁ ଉପୋଯୋଗୀ ପରିବେଶ କରାଯାଇଛି।

“ମୁଁ ମୋ” ଛୁଆକୁ ନେଇ କୌଣସି କାମରେ ବାହାରକୁ ଆସିବା ବେଳେ ସର୍ବସାଧାରଣ ସ୍ଥାନରେ ସ୍ତନ୍ୟପାନ କରାଇବା ପାଇଁ ସଙ୍କୋଚ ମନେ ହେଉଥିଲା। ହେଲେ ଏବେ ସ୍ମାର୍ଟସିଟି ପକ୍ଷରୁ ସ୍ତନ୍ୟପାନ କକ୍ଷ କରାଯାଇଥିବାରୁ ଆମ ପାଇଁ ସୁବିଧାଜନକ ହେବ। ଏଣିକି ମୁଁ ମୋ’ ପିଲାକୁ ସୁବିଧାରେ ସ୍ତନ୍ୟପାନ କରାଇପାରିବ’’, କହିଛନ୍ତି ବାସନ୍ତୀ କଲୋନିର ଜଣେ ମା’ ସଞ୍ଜୁ କର୍ମାକର।

ଏହି ସ୍ତନ୍ୟପାନ କକ୍ଷ ଶୁଭାରମ୍ଭ ଅବସରରେ ସ୍ମାର୍ଟସିଟି, ରାଉରକେଲାର ଜେନେରାଲ ମ୍ୟାନେଜର (ଅପରେସନ) ସଞ୍ଜୟ କୁମାର ନନ୍ଦ, ଆର୍କିଟେକ୍ଟ ତଥା ନର୍ଚରିଂ ନେବରହୁଡସ୍ ନୋଡାଲ ଅଧିକାରୀ ସାର୍ଥକ ସୌରଭ ରଥ, ମ୍ୟାନେଜର (ଏମଆଇଏସ) ଅନୁରଞ୍ଜନ ମିଞ୍ଜ, ସାମାଜିକ ବିକାଶ ଅଧିକାରୀ ବିବେକ ରାଜ ପ୍ରମୁଖ ଉପସ୍ଥିତ ଥିଲେ।

“ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ” ବର୍ଗରେ ରାଉରକେଲା ଦେଶର ୨୫ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି। ତେଣୁ ରାଉରକେଲାକୁ ସାନ ସାନ ପିଲାଙ୍କ ପାଇଁ ୟଙ୍ଗ ଚିଲ୍ଡ୍ରେନ୍ ଫ୍ରେଣ୍ଡଲି ସହରରେ ପରିଣତ କରିବା ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.