Home ଓଡ଼ିଶା ସ୍ପର୍ଶକାତର ମାମଲାରେ ବିଜେପି ନିମ୍ନମାନର ରାଜନୀତି କରୁଛି : ବିଜେଡି

ସ୍ପର୍ଶକାତର ମାମଲାରେ ବିଜେପି ନିମ୍ନମାନର ରାଜନୀତି କରୁଛି : ବିଜେଡି

85

ଭୁବନେଶ୍ୱର, ୨୨/୧୦ (ଓଡ଼ିଆ ପୁଅ) : ନିଜର ସ୍ଥିତି ଜାହିର ପାଇଁ ଓଡିଶା ବିଜେପି ଏବେ ସ୍ପର୍ଶକାତର ମାମଲାରେ ନିମ୍ନମାନର ରାଜନୀତି କରୁଛି। ପୀଡିତା କିମ୍ବା ତାଙ୍କ ପରିବାର କିଭଳି ନ୍ୟାୟ ପାଇବେ ସେ ଦିଗରେ ଚିନ୍ତା କରିବା ବଦଳରେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବଦନାମ ପାଇଁ ଅପଚେଷ୍ଟା ଚଳାଇଛି ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ ଇପ୍ସିତା ସାହୁ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ପ୍ରବକ୍ତା ସୁଶ୍ରୀ ସାହୁ କହିଛନ୍ତି ଯେ, ମମିତା ମେହେର ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ଆଉ କିଛି ବ୍ୟକ୍ତି ଗିରଫ ହୋଇଛନ୍ତି। ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବାପାଇଁ ପୁଲିସ୍‍ଏହାର ତଦନ୍ତ ଜାରି ରଖିଛି। ରାଜ୍ୟ ବିଜେପି ଏବେ ଏହି ସ୍ପର୍ଶକାତର ମାମଲାକୁ ଢାଲ କରି ହଜାର ହଜାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳିବାରେ ଲାଗିଛି। ଏହାକୁ ଛାତ୍ରଛାତ୍ରୀ କିମ୍ବା ସେମାନଙ୍କ ଅଭିଭାବକମାନେ ଗ୍ରହଣ କରିପାରୁ ନାହାନ୍ତି। ଏଭଳି ହୀନ ରାଜନୀତିର ଜବାବ ସେମାନେ ଠିକଣା ସମୟରେ ଦେବେ।

ବିଜେଡି ପ୍ରବକ୍ତା କହିଛନ୍ତି ଯେ ଏହି ଘଟଣାରେ ପୀଡିତା ପରିବାରକୁ ଉଚିତ୍ ନ୍ୟାୟ ମିଳିବ। ରାଜ୍ୟ ପୁଲିସ୍‍ଓ ନ୍ୟାୟ ବ୍ୟବସ୍ଥା ଉପରେ ଆସ୍ଥା ପ୍ରକଟ କରିବା ପରିବର୍ତ୍ତେ ରାଜ୍ୟ ବିଜେପି ନେତାମାନେ ଗଣମାଧ୍ୟମରେ ନିଜର ମୁହଁ ଦେଖାଇବା ପାଇଁ ଆଜି ରାଜଧାନୀରେ ଯେଭଳି ଏଫ୍‍ଆଇର ଡ୍ରାମା କରିଛନ୍ତି ତାହା ଅତ୍ୟନ୍ତ ହାସ୍ୟାସ୍ପଦ। ବିଜେପିର ଏଭଳି ହୀନ ରାଜନୀତି ପ୍ରତି ଓଡିଶାବାସୀ ବେଶ୍ ଭଲଭାବେ ଅବଗତ ଅଛନ୍ତି। ଏଥିପାଇଁ ଅତୀତରେ ବିଜେପିକୁ ବହୁମୂଲ୍ୟ ଦେବାକୁ ପଡିଥିବା ବେଳେ ଅଭ୍ୟାସରେ ପରିବର୍ତ୍ତନ ନ କଲେ ଆଗାମୀ ଦିନରେ ଓଡିଶାବାସୀ ବିଜେପିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖାନ କରିବେ ବୋଲି ସୁଶ୍ରୀ ସାହୁ ଚେତାଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.