Home ଓଡ଼ିଶା ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ ଓ ଜରିମାନା

ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ ଜେଲ ଓ ଜରିମାନା

85

ବାରିପଦା ୦୫/୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ବାରିପଦା ଜିଲ୍ଲା ଓ ଦୌରା ଜଜ୍ ସଞ୍ଜୟ ରଞ୍ଜନ ବହିଦାର ଆଜି ଯୌତୁକ ଦାବି କରି ନିଜ ସ୍ତ୍ରୀକୁ ହତ୍ୟା କରିବା ମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀ ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଢ଼ୋ ଗ୍ରାମର ରବୀନ୍ଦ୍ର ଓରଫ କାଇଁଚ ଖଟୁଆ ଏବଂ ତାଙ୍କ ବଡ଼ ଭଉଣୀ କୌଶଲ୍ୟା ଓରଫ ସମ୍ପୁଡ଼ିଙ୍କୁ ଦୋଷୀ ସାବ୍ୟସ୍ତ କରିବା ସଂଗେସଂଗେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୦୨/୩୪ରେ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଅର୍ଥଦଣ୍ଡ ଏବଂ ଅନାଦେୟରେ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡର ରାୟ ଶୁଣାଇଛନ୍ତି। ସେହିପରି ଧାରା ୨୦୧/୩୪ ଅନୁସାରେ ୪ ବର୍ଷ ସଶ୍ରମ କାରାଦଣ୍ଡ, ୫ ହଜାର ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ, ଧାରା ୪୯୮(ଏ)/୩୪ରେ ୨ ବର୍ଷ ସଶ୍ରମ କାରାଦଣ୍ଡ, ୨ ହଜାର ଟଙ୍କା ଅର୍ଥଦଣ୍ଡ ଓ ଏହା ଅନାଦେୟରେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଏବଂ ୪ ଡ଼ିପି ଆକ୍ଟରେ ଏକ ବର୍ଷ ସଶ୍ରମ କାରାଦଣ୍ଡ, ଏକ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ହେଲେ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏହି ସମସ୍ତ ଦଣ୍ଡାଦେଶ ଏକକାଳୀନ ଲାଗୁ ହେବ ବୋଲି ରାୟରେ ଦର୍ଶାଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପ୍ରାୟ ୧୪ ବର୍ଷ ପୂର୍ବେ ରାଢ଼ୋ ଗ୍ରାମର ରବୀନ୍ଦ୍ର ଓରଫ କାଇଁଚ ବୈଦିକ ରୀତିନୀତି ଅନୁସାରେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଦିଖାପଦା ଗ୍ରାମର ସୁରେନ୍ଦ୍ର ବାରିକ(୬୨)ଙ୍କ ଝିଅ ଯମୁନାଙ୍କୁ ବିବାହ କରିଥିଲେ। ପରବର୍ତ୍ତି ସମୟରେ ଉଭୟଙ୍କ ଔରଷରୁ ୨ଟି କନ୍ୟା ସନ୍ତାନ ଜନ୍ମ ନେଇଥିଲେ। ଏହାପରେ ଯମୁନାର ସ୍ୱାମୀ ରବୀନ୍ଦ୍ର ଓ ତାଙ୍କ ବଡ଼ ଭଉଣୀ କୌଶଲ୍ୟା ବାପ ଘରୁ ୪୦/୫୦ ହଜାର ଟଙ୍କା ଓ ଚାଉଳ ଆଣିବାକୁ କହି ଶାରିରୀକ ଓ ମାନସିକ ନିର୍ଯ୍ୟାତାନା ଦେଇ ଆସୁଥିଲେ। ଏହା ପରେ ୨୦୧୬ ଏପ୍ରିଲ ୧୫ ରାତିରେ ଯମୁନାକୁ ମାଡ଼ ମାରି ଜୀବନରୁ ମାରି ଦେବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଉଦ୍ୟମ କରି କିରୋସିନି ଢ଼ାଳି ନିଆଁ ଲଗାଇ ପୋଡ଼ି ଦେଇ ନିକଟସ୍ଥ ବିଲରେ ପକାଇ ଦେବା ପରେ ରାତି ପ୍ରାୟ ୨ଟା ସମୟରେ ଝିଅ ଯମୁନା ଆତ୍ମହତ୍ୟା କରିଥିବାର ବାପା ସୁରେନ୍ଦ୍ର ବାରିକକୁ ଫୋନରେ ଜଣାଇଥିଲେ। ପରବର୍ତ୍ତି ଦିନ ଅର୍ଥାତ୍ ଏପ୍ରିଲ ୧୬ରେ ବାପା ସୁରେନ୍ଦ୍ର ବାରିକ ରାଢ଼ୋ ଗ୍ରାମରେ ପହଁଞ୍ଚି ଝିଅ ଯମୁନାର କାନ ମୂଳରୁ ରକ୍ତ ବାହାରିବା ସହ ତାର ଶରୀର ସମ୍ପର୍ଣ୍ଣ ଭାବେ ପୋଡ଼ି ଯାଇଥିବାର ଦେଖିବାକୁ ପାଇ ଉଦଳା ଥାନାରେ ରବୀନ୍ଦ୍ର ଓରଫ କାଇଁଚ ଖଟୁଆ ଏବଂ ତାଙ୍କ ବଣ ଭଉଣୀ କୌଶଲ୍ୟା ଖଟୁଆଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ପରେ ଥାନାରେ କେଶ ନଂ ୭୩/୨୦୧୬ ରେ ମାମଲା ରୁଜୁ କରାଯାଇଥିଲା। ଆଜି ଅଦାଲତ ପକ୍ଷରୁ ଉକ୍ତ ମାମଲାର ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା। ମୋକର୍ଦ୍ଦମାକୁ ସରକାରଙ୍କ ପକ୍ଷରୁ ପିପି ସସ୍ମୀତା ମହାପାତ୍ର ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.