Home ଜିଲ୍ଲା ପରିକ୍ରମା ସ୍କୁଲ ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ପରିବହନ ପ୍ରସଙ୍ଗ, ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଭଦ୍ରକ...

ସ୍କୁଲ ଛାତ୍ରଛାତ୍ରୀଙ୍କ ବିପଦପୂର୍ଣ୍ଣ ପରିବହନ ପ୍ରସଙ୍ଗ, ୪ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ଭଦ୍ରକ ଜିଲାପାଳ ଓ ଏସ୍‌ପିଙ୍କୁ ଏନଏଚଆରସିଙ୍କ ନୋଟିସ୍

12

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଥିବା ବହୁ ଘରୋଇ ବିଦ୍ୟାଳୟ ଗୁଡିକ ଛାତ୍ରଛାତ୍ରୀଙ୍କ ଯାତାୟତ ଲାଗି ପ୍ରତିଦିନ ଶତାଧିକ ଛୋଟବଡ ଗାଡି ବ୍ୟବହାର କରୁଛନ୍ତି। ତେବେ ଏହି ଗାଡି ଗୁଡିକର ମାଲିକମାନେ ସରକାରଙ୍କ ନିର୍ଦ୍ଦେଶକୁ ଖୋଲାଖୋଲି ଭାବେ ଉଲ୍ଲଂଘନ ପୂର୍ବକ ଉପଯୁକ୍ତ ତାଲିମ୍ ନେଇନଥିବା ଗାଡି ଚାଳକଙ୍କ ଦ୍ୱାରା ଆବଶ୍ୟକ ସଂଖ୍ୟା ଠାରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ପରିବହନ କରିବା ସେମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଅଧିକାଂଶ ବିଦ୍ୟାଳୟରେ ବ୍ୟବହୃତ ଗାଡି ଗୁଡିକର ଫିଟନେସ୍ ପ୍ରମାଣପତ୍ର ମଧ୍ୟ ନଥିବାର ଜଣାପଡିଛି। ଏହିଭଳି ବିପଦପୂର୍ଣ୍ଣ ଭାବେ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ନେବା ଆଣିବା କରୁଥିବା ଗାଡି ଗୁଡିକ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଛି। ତେବେ ଭଦ୍ରକ ଜିଲା ତିହିଡି ବ୍ଲକ୍ ଅଧୀନସ୍ଥ ସନ୍ଥପୁରାରେ ଥିବା ଆଦର୍ଶ ବିଦ୍ୟାଳୟର ପିଲାମାନଙ୍କୁ ପରିବହନ କରୁଥିବା ଏକ ଗାଡି ଦୁର୍ଘଟଣାର ସମ୍ମୁଖୀନ ହେବା ସଂକ୍ରାନ୍ତୀୟ ପିଟିସନର ଶୁଣାଣି କରି ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଭଦ୍ରକ ଜିଲାପାଳ ଓ ଏସ୍‌ପିଙ୍କ ଠାରୁ କୈଫିୟତ ତଲବ କରିଛନ୍ତି। ସର୍ବୋଚ୍ଚ ନ୍ୟୟାଳୟର ଅଧିବକ୍ତା ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ତାଙ୍କ ପିଟିସନରେ ଉପରୋକ୍ତ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଲିପିପୁଷ୍ପା ବାରିକ ଓ ଅନ୍ୟ ୮ ଜଣ ଛାତ୍ରଛାତ୍ରୀ ଦୁର୍ଘଟଣା ହେବା ପ୍ରସଙ୍ଗକୁ ଉଲ୍ଲେଖ କରି କୋମଳମତି ପିଲାମାନଙ୍କ ସୁରକ୍ଷିତ ପରିବହନ ସହ ରାସ୍ତା ଦୁର୍ଘଟଣା ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବା ନେଇ ଆୟୋଗଙ୍କ ଠାରେ ପିଟିସନ୍ ଫାଇଲ୍ କରିଥିଲେ। ଏହି ପିଟିସନ୍‌ରେ ଶ୍ରୀ ତ୍ରିପାଠୀ ଉକ୍ତ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ସାଧାରଣ ପରିବହନକୁ ଶୃଙ୍ଖଳିତ କରିବାକୁ ଉପଯୁକ୍ତ ପଦକ୍ଷେପ ନେବାକୁ ଆୟୋଗଙ୍କୁ ନିବେଦନ କରିଥିଲେ। ଫଳରେ ଶ୍ରୀ ତ୍ରିପାଠୀଙ୍କର ଉକ୍ତ ପିଟିସନ୍‌କୁ ବିଚାରକୁ ନେଇ ଜାତୀୟ ମାନବାଧିକାର ଆୟୋଗ ଆସନ୍ତା ୪ ସପ୍ତାହ ମଧ୍ୟରେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣର ରିପୋର୍ଟ ପ୍ରଦାନ ଲାଗି ଭଦ୍ରକ ଜିଲାପାଳ ଓ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.