Home ଜିଲ୍ଲା ପରିକ୍ରମା ସ୍କିମ୍ ଶ୍ରମିକମାନଙ୍କୁ ସ୍ଥାୟୀ ଘୋଷଣା ଦାବିରେ ଭଦ୍ରକରେ ଧର୍ମଘଟ

ସ୍କିମ୍ ଶ୍ରମିକମାନଙ୍କୁ ସ୍ଥାୟୀ ଘୋଷଣା ଦାବିରେ ଭଦ୍ରକରେ ଧର୍ମଘଟ

131

ଭଦ୍ରକ ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍କିମ୍ ଶ୍ରମିକମାନଙ୍କୁ ସ୍ଥାୟୀ ଘୋଷଣା ଦାବିରେ ଦେଶବ୍ୟାପୀ ଆଜି ଧର୍ମଘଟ ହୋଇଥିବାବେଳେ ଭଦ୍ରକରେ ତାହା ସିଟୁ ନେତୃତ୍ୱରେ ସଂପନ୍ନ ହୋଇଛି । ଏଥି ଉପଲକ୍ଷେ ଆଜି ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ ଦୂରତ୍ୱ ରକ୍ଷା ପୂର୍ବକ ଆଶା, ଅଙ୍ଗନୱାଡି, ପାଚିକା ସଂଘ ପକ୍ଷରୁ ସିଟୁ ନେତା ଦିବ୍ୟସିଂହ ନାୟକ, ଶାନ୍ତିଲତା ନାୟକ, ସରସ୍ୱତୀ ହାତି, ସବିତା ବାନାର୍ଜୀ, ସ୍ୱର୍ଣ୍ଣଲତା ଲେଙ୍କା, ତୁଳସୀ ବାରିକ, ଗିରିଧାରୀ ନାଥ, ବିନୋଦ ସାହୁ, ମାନସୀ ବାରିକ, ମାଳତୀ ସାହୁ, ଉର୍ବଶୀ ରାଉତ, ସୁରେଖା ରାଉତ, ରାଧା ଦାସ, ଚନ୍ଦ୍ରଶେଖର ନାୟକ, କାଳନ୍ଦୀ ପାତ୍ର, ସେକ୍ କମର, ଉର୍ମିଳା ପୋଥାଳ, ଅଂଜଳି ବେହେରା ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରିଛନ୍ତି । ଏବଂ ଆସନ୍ତା ଅଗଷ୍ଟ ୧୦ ତାରିଖ ଦିନ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ଭାରତ ବଂଚାଅ ଦିବସରେ ଯୋଗଦେବା ପାଇଁ ଶ୍ରୀ ନାୟକ ଆହ୍ୱାନ ଦେଇଛନ୍ତି । ଆଜିର ଏହି ବିକ୍ଷୋଭ କାଳରେ ସିଟୁ ଜିଲା ସଭାପତି ଶ୍ରୀ ନାୟକଙ୍କ ସମେତ ଅନ୍ୟ ବକ୍ତାମାନେ ଆଜି ସମଗ୍ର ଦେଶବାସୀଙ୍କୁ ସ୍ୱାଧୀନତା ଦେବାରେ ମହାତ୍ମାଗାନ୍ଧିଙ୍କ ନେତୃତ୍ୱରେ ୧୯୪୨ ଅଗଷ୍ଟ ମାସ ଭାରତ ଛାଡ ଆନ୍ଦୋଳନ ଡାକରା ଦିଆଯାଇଥିଲା ବୋଲି କହିଥିଲେ । ଏବଂ ଦେଶବାସୀ ଏକ ହୋଇ ଲଢି ବ୍ରିଟ୍ରିଶ ସରକାରଙ୍କୁ ହଟାଇ ଯେଉଁ ସ୍ୱାଧୀନତା ଆଶା ପୂର୍ବକ ରାମରାଜ୍ୟ ପ୍ରତିଷ୍ଠା ହେବ ବୋଲି ସ୍ୱପ୍ନ ଦେଖିଥିଲେ, ତାହା ଆଜି ସ୍ୱାଧୀନତାର ୭୪ ବର୍ଷ ପରେ ରାମ ମନ୍ଦିରର ଭୂମି ପୂଜନରେ ଶେଷ ହୋଇଛି ।

ଯେତେବେଳେ ଦେଶବାସୀ କରୋନା ପରି ମହାମାରୀରେ ଛଟପଟ ହୋଇ ଜୀବନ ଜୀବିକା ହରାଉଛନ୍ତି, କେନ୍ଦ୍ର ସରକାର ଦରଦାମ୍ ବୃଦ୍ଦି କରି ଲୋକଙ୍କୁ ଚାକିରୀରୁ ଛଟେଇ କରି ଚାଷୀର ଫସଲକୁ ଅର୍ଡିନାନସ୍ ଜାରି କରି କର୍ପୋରେଟ୍ କଂପାନୀକୁ ଟେକି ଦେଉଛି ବୋଲି ବକ୍ତାମାନେ କହିବା ସହ ସରକାରୀ ଶିଳ୍ପକଳ କାରଖାନାକୁ ପୁଂଜିପତିଙ୍କୁ ଦେଇ ବ୍ୟାଙ୍କ, ରେଳ, ଉଡାଜାହାଜ ଓ ଜୀବନବୀମା ସବୁଠି ପୁଂଜି ପ୍ରତ୍ୟାହାର ଓ ଘରୋଇକରଣ କାର୍ଯ୍ୟରେ ସରକାର ବ୍ୟସ୍ତ ରହିଛି । କେନ୍ଦ୍ରର ନରେନ୍ଦ୍ର ମୋଦି ଓ ଓଡ଼ିଶାର ନବୀନ ପଟ୍ଟନାୟକ ଏବେ କରୋନା ଭଳି ବିପଦ ସମୟରେ ଘଣ୍ଟଘଣ୍ଟା, ଥାଳି, ତାଳି ବଜାଇ ତାହା ନିପାତ ହେଉ ବୋଲି କହିବା କେତେଦୂର ସମୀଚିନ ବୋଲି ଶ୍ରୀ ନାୟକ ନିଜ ବକ୍ତବ୍ୟରେ କହିବା ସହ ଆମ ଦେଶରେ ସ୍କିମ୍ ଶ୍ରିମକ, ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀ, ମଧ୍ୟାହ୍ନ ଭୋଜନ ପାଚିକା ଓ ସେବିକାଙ୍କ ଠାରୁ ଆରମ୍ଭ କରି ସମସ୍ତ ଶ୍ରେଣୀର ମା’ ଭଉଣୀମାନେ ‘ବିନା ଫାଣ୍ଡିର ଜମାଦାର’ ଭଳି ରାତିଦିନ ଖଟି କରୋନା ଆକ୍ରାନ୍ତ ଦେଶବାସୀଙ୍କୁ ସେବା ଯୋଗାଇ ଦେଉଥିବାବେଳେ ସେମାନଙ୍କର ଠିକା ମୂଲିଆ, ଚାକିରୀର ସ୍ଥାୟୀତ୍ୱ ନାହିଁ । ବଜେଟ୍‌ରେ ସେମାନଙ୍କ ପାଇଁ ଅଧିକ ଅର୍ଥ ବ୍ୟୟବରାଦ ହୁଏନାହିଁ । ଅପରପକ୍ଷେ ସରକାର ଶ୍ରମ ଆଇନ୍‌କୁ ମାଲିକ ସପକ୍ଷରେ ସଂଶୋଧନ କରୁଛନ୍ତି । ଏଣୁ ଏହାର ପ୍ରତିବାଦରେ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ବିକ୍ଷୋଭରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା ସହ ସ୍କିମ୍ ଶ୍ରମିକମାନଙ୍କୁ ସ୍ଥାୟୀ ଘୋଷଣା କରିବା ପାଇଁ ଉପରୋକ୍ତ ନେତାମାନେ ଦାବି କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.