Home ଜିଲ୍ଲା ପରିକ୍ରମା ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସହରରେ ନିର୍ଦ୍ଦିଷ୍ଟ ସଂପ୍ରଦାୟ ପକ୍ଷରୁ ମେଳି, ଟାୟାରଜାଳି...

ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସହରରେ ନିର୍ଦ୍ଦିଷ୍ଟ ସଂପ୍ରଦାୟ ପକ୍ଷରୁ ମେଳି, ଟାୟାରଜାଳି ରାସ୍ତା ଅବରୋଧ ସମୟରେ ପୁଲିସ୍ ଓ ମାଜିଷ୍ଟ୍ରେଟ୍‌ଙ୍କୁ ଆକ୍ରମଣ, ୨ ପୁଲିସ୍ ଅଧିକାରୀ ଆହତ, ୧୬୩ ଧାରା ଜାରି

5

ଭଦ୍ରକ, ୧୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଭଦ୍ରକ ପୌରାଂଚଳ ଅଧୀନସ୍ଥ ପୁରୁଣାବଜାର ଥାନା ନଙ୍ଗାମହଲା ଅଂଚଳର ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକେ ମେଳି ବାନ୍ଧି ସନ୍ଥିଆ ନିକଟ ପୋଲକୁ ଅବରୋଧ ପୂର୍ବକ ଟାୟାର ଜାଳି ପୁଲିସ୍‌କୁ ଅଟକାଇଥିଲେ । ଏବଂ ଏହି ଶତାଧିକ ସଂଘବଦ୍ଧ ଲୋକେ ପୁଲିସ୍‌କୁ ଅଟକାଇ ତହସିଲଦାରଙ୍କ ଗାଡି କାଚକୁ ବାଡେଇ ଭଂଗାରୁଜା କରିବା ସହ ପୁଲିସ୍ ଉପରକୁ ଟେକା ପଥର ଫୋପାଡିଥିଲେ । ଏହି ଢେଲା ମାଡରେ ସହରାଂଚଳ ଥାନାର ଏଏସ୍‌ଆଇ ରାଜକିଶୋର ମୂର୍ମୁଙ୍କ ମୁଣ୍ଡଫାଟି ସେ ଗୁରୁତର ହୋଇପଡିଥିବାବେଳେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ମଧ୍ୟ ସେମାନଙ୍କ ଆକ୍ରମଣରୁ ବର୍ତିନଥିଲେ । ଗୁରୁତର ଏଏସ୍‌ଆଇ ମୁର୍ମୁ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀଙ୍କ ଗୋଡରେ ଆଘାତ ଲାଗିଥିବାର ଜଣାପଡିଛି । ଏଭଳି ଉତ୍ୟକ୍ତ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାର ସଂଗ୍ରାମ ପ୍ରିୟଦର୍ଶିୀ ଖୁଂଟିଆଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ୍‌କୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା । ଘଟଣାସ୍ଥଳରେ ଏବେ ୧୦ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ପୁରୁଣାବଜାର ନଙ୍ଗାମହଲା ଓ ସ୍ଥାନୀୟ ଅଂଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟକାଳ ପାଇଁ ଜାରି କରାଯାଇଛି । ଏବେ ପୁରୁଣାବଜାର ଅଂଚଳରେ ପୁଲିସ୍ ପକ୍ଷରୁ ପ୍ଲାଗ ମାର୍ଚ୍ଚ କରାଯାଇଥିବାବେଳେ ପୁଲିସ୍‌କୁ ଆକ୍ରମଣ କରିଥିବା ଘଟଣାରେ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖାଯାଇଛି । ତେବେ ପରିସ୍ଥିତି ଏବେ ଶାନ୍ତ ରହିଥିଲେ ମଧ୍ୟ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନେ ଜରୁରୀ କାର୍ଯ୍ୟ ନଥିଲେ ଘରୁ ନବାହାରିବା ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଅନ୍ୟପକ୍ଷରେ ବିବାଦୀୟ ପୋଷ୍ଟ କରିଥିବା ଯୁବକକୁ ଗିରଫ କରିବା ପାଇଁ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ଉଦ୍ୟମ କରାଯାଉଛି ବୋଲି ଏସ୍‌ପି ବରୁଣ ଗୁଂଟୁପାଲି ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଗତକାଲି ଜଣେ ଯୁବକ ସୋସିଆଲ କରିଥିବା ବିବାଦୀୟ ପୋଷ୍ଟକୁ ନେଇ ଅନ୍ୟ ଏକ ସଂପ୍ରଦାୟର ଲୋକେ ପ୍ରତିବାଦ କରିବା ସହ ଥାନାରେ ଏତଲା ଦେଇଥିଲେ । ପୁଲିସ୍ ଏହି ଘଟଣାର ତଦନ୍ତ କରୁଥିବାବେଳେ ଆଜି ନଙ୍ଗାମହଲା ଠାରେ ହଠାତ୍ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକେ ଏକତ୍ରିତ ହୋଇ ଗଣ୍ଡଗୋଳ କରିବା ଉଦ୍ଦେଶ୍ୟରେ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଫଳରେ ପୁଲିସ୍ ଓ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାର ଖବର ପାଇ ସେଠାକୁ ପହଂଚିଥିବା ସମୟରେ ସଂପୃକ୍ତ ସଂଘବଦ୍ଧ ଉତ୍ୟକ୍ତ ଯୁବକମାନେ ପୁଲିସ୍ ଉପରକୁ ହଠାତ୍ ଢେଲା ପଥର ମାଡ କରିବା ସହ ଠେଙ୍ଗା, ବାଡି ଭଳି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ତେବେ ଘଟଣାସ୍ଥଳରେ ଭଦ୍ରକ ସହରାଂଚଳ, ଗ୍ରାମାଚଂଳ ଓ ପୁରୁଣାବଜାର ଥାନାର ଥାନାଧିକାରୀଙ୍କ ସମେତ ରାଜସ୍ୱ ବିଭାଗ ଅଧିକାରୀ ଜ୍ୟୋତିରଂଜନ ପଣ୍ଡା ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.