Home ଜିଲ୍ଲା ପରିକ୍ରମା ସୂଚନା ଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ, ପ୍ରତିବାଦରେ ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ଶବ ରଖି...

ସୂଚନା ଫଳକ ପଡି ପ୍ରଥମ ଶ୍ରେଣୀ ଛାତ୍ରର ମୃତ୍ୟୁ, ପ୍ରତିବାଦରେ ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ଶବ ରଖି ରାସ୍ତାରୋକ

23

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଏହି ଜିଲାର ଧାମନଗର ବ୍ଲକ୍ ଗଢିଆଳି ପଂଚାୟତ ଉଚ୍ଚପଦା ପ୍ରାଥମିକ ବିଦ୍ୟାଳୟରେ ଦିନ ୧୨ଟା ସମୟରେ ପ୍ରଥମ ଶ୍ରେଣୀର ଛାତ୍ର ଆଶିଷ ନାୟକ ଉପରେ ବିଦ୍ୟାଳୟରେ ଥିବା ଏକ ସୂଚନା ଫଳକ ପଡିଯିବାରୁ ମୃତ୍ୟୁ ହୋଇଛି । ପ୍ରକାଶ ଥାଉକି ଆଜି ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଆଶିଷର ବୁଢିମା ପାଖକୁ ଯାଇଥିବାବେଳେ ବିଦ୍ୟାଳୟ ପରିସରରେ ଥିବା ଏକ ଏନଆରଇଜିଏସ୍‌ର ସୂଚନା ଫଳକକୁ ଧରିପକାଇଥିଲା । ଫଳରେ ଫଳକଟି ଛାତ୍ର ଉପରେ ପଡିଯାଇଥିଲା । ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ଅସୁରାଳି ଏବଂ ପରେ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିବାବେଳେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଧାମନଗର ବ୍ଲକ୍ ଶିକ୍ଷାଧିକାରୀ ଗଦାଧର ଜେନା, ଅତିରିକ୍ତ ଶିକ୍ଷାଧିକାରୀ ସତ୍ୟସୁନ୍ଦର ପରିଡା ବିଦ୍ୟାଳୟରେ ପହଞ୍ôଚ ଘଟଣାର ତଦନ୍ତ କରିଥିଲେ । ତେବେ କେଉଁ ପରିସ୍ଥିତିରେ ଛାତ୍ରଙ୍କ ମୃତ୍ୟୁ ଘଟିଲା, ସେ ବିଷୟରେ ଦୁଇଦିନ ମଧ୍ୟରେ ତଦନ୍ତ କରାଯାଇ ସଂପୃକ୍ତ ପ୍ରଧାନ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ସଂପୃକ୍ତ ଶିକ୍ଷକମାନଙ୍କ ଦାୟିତ୍ୱହୀନତା ଯୋଗୁଁ ଛାତ୍ରଟିର ମୃତ୍ୟୁ ଘଟିଲା ବୋଲି ପ୍ରତିବାଦ କରି ସନ୍ଧ୍ୟା ୬ଟାରେ ଆଜି ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ଅସୁରାଳି ନିକଟସ୍ଥ ଉଚ୍ଚପଦା ଛକରେ ମୃତ ଛାତ୍ରର ଶବ ରଖି ପରିବାର ଓ ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ । ଖବର ପାଇ ଧୁଷୁରୀ ଥାନା ପୁଲିସ୍ ସେଠାରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିିଁ । ଏହି ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଧାମନଗର ତହସିଲଦାର ଦୀପକ ଦାସ, ଅତିରିକ୍ତ ତହସିଲଦାର ସାଇ ସିଲୋନା, ଧାମନଗର ଏସ୍‌ଡିପିସ ବିଜୟ କୁମାର ମହାପାତ୍ର, ଧୁଷୁରୀ ଥାନାଧିକାରୀ ବନାନୀ ବେହେରାଙ୍କ ସମେତ ଏକ ପ୍ଲାଟୁନ ପୁଲିସ୍ ଫୋର୍ସ ଉପସ୍ଥିତ ରହିଛନ୍ତି । ଏହି ରାସ୍ତାରୋକ ଫଳରେ ଉଭୟପଟରୁ ଶହ ଶହ ଗାଡିମୋଟର ଅଟକି ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.