ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାରା ଜୀବଜଗତ ପାଇଁ ମାଟି ପ୍ରକୃତିର ଏକ ଅମୂଲ୍ୟ ଦାନ । ଆମ ପରିବେଶ ପରିସଂସ୍ଥାନର ଏକ ଅପରିହାର୍ଯ୍ୟ ଅଙ୍ଗ । କିନ୍ତୁ ବିଡ଼ମ୍ବନାର ବିଷୟ ଏହି ମାଟି ମାଆର ଯତ୍ନ ନୋବ ପରିବେର୍ତ୍ତେ ତା ଉପରେ ବଡ଼ିଚାଲିଛି ମଣିଷର ଅତ୍ୟାଚାର । ବୈଜ୍ଞାନିକ ପ୍ରଣାଳୀର ଦୂରୁପଯୋଗ କରି ସ୍ୱାର୍ଥାନ୍ୱେଷୀ ମଣିଷ ମୃତ୍ତିକାକୁ ଅଧିକରୁ ଅଧିକ ପ୍ରଦୂଷିତ କରିଚାଲିଛି । ଆମ ପାଇଁ ମୃତ୍ତିକା କେତେ ଉପଯୋଗୀ, ମୃତ୍ତିକାର ସ୍ୱାସ୍ଥ୍ୟ ହିଁ ଆମର ସ୍ୱାସ୍ଥ୍ୟ, ଆମର କ୍ରମବର୍ଦ୍ଧିଷ୍ଣୁ ଆବଶ୍ୟକତା ପୂରଣ ପାଇଁ ମୃତ୍ତିକା ସଂରକ୍ଷଣ କେତେ ଜରୁରୀ ଏସବୁ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘର ଅନୁମୋଦନ କ୍ରମେ ୨୦୧୩ ମସିହାରୁ ସାରା ବିଶ୍ୱରେ ଡିସେମ୍ବର ୫ ତାରିଖକୁ ବିଶ୍ୱ ମୃତ୍ତିକା ଦିବସ ରୂପେ ପାଳନ କରାଯାଉଥିବା ଆଧାରରେ ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା କୃଷି ବୈଜ୍ଞାନିକ କେନ୍ଦ୍ର, ଭଦ୍ରକର ମିଳିତ ଆନୁକୂଲ୍ୟରେ ଡି.ଆର୍.ଡି.ଏ. ସମ୍ମିଳନୀ କକ୍ଷରେ ଭଦ୍ରକ ଜିଲ୍ଲା ସ୍ତରୀୟ “ବିଶ୍ୱ ମୃତ୍ତିକା ଦିବସ-୨୦୨୧” ପାଳନ କରାଯାଇଛି ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜଗନ୍ନାଥ ନନ୍ଦ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସହକାରୀ ନିର୍ଦ୍ଦେଶକ କୃଷ୍ଣି ଶ୍ରୀଧର ଦାଶ ଅଧ୍ୟକ୍ଷତା କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ କୃଷି ବିଜ୍ଞାନ କେନ୍ଦ୍ର, କୃଷି ରାଣୀତାଲ, ଭଦ୍ରକର ମୁଖ୍ୟ ବୈଜ୍ଞାନିକ ଡ. ଅରବିନ୍ଦ ଦାସ, ସହକାରୀ ନିର୍ଦ୍ଦେଷକ ଉଦ୍ୟାନ ଉର୍ମିଳା ମହାପାତ୍ର, କୃଷି ଜିଲ୍ଲା ଅଧିକାରୀ ଧାମନଗର ରମେଶ ଚନ୍ଦ୍ର ରାୟ, ଭଦ୍ରକର ପ୍ରସାଦ କୁମାର ନାୟକ, ରାଣୀତାଲ ଆଞ୍ଚଳିକ କୃଷି ଗବେଷଣା ଓ ସମ୍ପ୍ରସାରଣ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ଭଗବାନ କବାଟ, କୃଷି ବିଜ୍ଞାନ କେନ୍ଦ୍ର, ରାଣୀତାଲର ବୈଜ୍ଞାନିକ ଡ. ଦେବୀ ପ୍ରସାଦ ଦାସ, ଇଫକୋର ଆଞ୍ଚଳିକ ପରିଚାଳକ ସୁଦର୍ଶନ ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଚଳିତ ବର୍ଷ ପାଇଁ ଆଲୋଚ୍ୟ ବିଷୟ ରଖାଯାଇଥିବା “ଲବଣାକ୍ତ ମୃତ୍ତିକାର ଲୁଣା ଅଂଶକୁ ରୋକି ଉତ୍ପାଦିକା ଶକ୍ତି ବୃଦ୍ଧି କରିବା” ଉପରେ ଆଲୋକପାତ କରିବାକୁଯାଇ କୃଷି ଅଧିକାରୀ ଓ ବୈଜ୍ଞାନିକ ମାନେ ମୃତ୍ତିକାର ସଙ୍ଗଠନ, ଉପାଦାନ, ମୃତ୍ତିକାର ଉତ୍ପାଦିକା ଶକ୍ତି ଅକ୍ଷୁର୍ଣ୍ଣ ରଖିବା ପାଇଁ କୃଷି ଅନୁମୋଦିତ ସାର ଔଷଧର ବ୍ୟବହାର, ମୃତ୍ତିକାର ସ୍ୱାସ୍ଥ୍ୟ ପରୀକ୍ଷା, ଜୈବିକ ଖତର ପ୍ରୟୋଗ ଆଦି ବିଭିନ୍ନ ଦିଗ ଉପରେ ଆଲୋଚନା ରଖିଥିଲେ । ପରିବେଶର ଅତି ଦରକାରୀ ଅଙ୍ଗାର ଚକ୍ର ପାଇଁ ମାଟିର ଭୂମିକା କିପରି ଗୁରୁତ୍ୱପୂର୍ଣ୍ଣ ମାଟିହିଁ କିପରି ଜୈବିକ ଅଙ୍ଗାରର ବୃହତ୍ତମ ଭଣ୍ଡାର ଏବଂ ଆମେ ଏ ଭଣ୍ଡାରକୁ ଶେଷ ନକରି ଅଙ୍ଗାରକ ଜମାକରି ଆମ ଉତ୍ତର ପିଢ଼ିଙ୍କ ପାଇଁ ସୁସ୍ଥ ମୃତ୍ତିକା ଛାଡ଼ିଯାଇ ପାରିବା ସେ ନେଇ ବୈଜ୍ଞାନିକ ଶ୍ରୀଯୁକ୍ତ କବାଟ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ ।
ଦିବସ ପାଳନର ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେବା ସହିତ ଜିଲ୍ଲାରେ ଲୁଣି ସହଣି ଧାନଚାଷ ଆରମ୍ଭ କରାଯିବା ନେଇ ମୁଖ୍ୟ ଅତିଥି ସୂଚନା ଦେଇଥିଲେ । ଲୁଣି ଅଞ୍ଚଳରେ ଲବଣାକ୍ତ ହ୍ରାସ କରାଯିବା ନେଇ ଉପାୟ ଓ ପରିବର୍ତ୍ତିତ ଚାଷ ସମ୍ବନ୍ଧରେ ମଧ୍ୟ ସେ ପ୍ରକାଶ କରିଥିଲେ । ସେହିପରି ମୃତ୍ତିକାର ଉତ୍ତମ ସ୍ୱାସ୍ଥ୍ୟ ଅତୁଟ ରଖି ଉତ୍ପାଦିକା ଶକ୍ତି ବଜାୟ ରଖିବା ପାଇଁ ବହୁଳ ସାର ଔଷଧ ବ୍ୟବହାରରୁ ବିରତ ରହି ଜିଆଖତ, ଗୋବରଖତ, କମ୍ପୋଷ୍ଟ ଖତ ଆଦି ବ୍ୟବହାର ବୃଦ୍ଧି କରିବା ଦିଗରେ ବୈଜ୍ଞାନିକ ମୁଖ୍ୟ ଶ୍ରୀଯୁକ୍ତ ଦାଶ ବକ୍ତବ୍ୟ ରଖିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ ବ୍ୟବସ୍ଥା, ମୃତ୍ତିକା ପରୀକ୍ଷା ପାଇଁ ମାଟି ସଂଗ୍ରହ ପଦ୍ଧତି, ମଧୁର ଜଳସେଚନ ଜରିଆରେ ଲବଣାଶକ୍ତ ମୃତ୍ତିକାରେ ଲୁଣି ହ୍ରାସ କରିବା, ତରଳ ୟୁରିଆର ବ୍ୟବହାର ପଦ୍ଧତି ଓ ଉପକାରୀତା ଆଦି ବିଷୟରେ ଅନ୍ୟ ଅତିଥିମାନେ ଆଲୋଚନା ରଖିଥିଲେ । ସର୍ବୋପରି ଉଭୟ ମାଟି ଓ ମଣିଷର ସୁରକ୍ଷା ପାଇଁ ଜୈବିକ ଚାଷ ହିଁ ଏକମାତ୍ର ସୁସଂହତ ପନ୍ଥା ବୋଲି ମତ ପ୍ରକାଶ ପାଇଥିଲା । ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ଆସିଥିବା କୃଷି ଅଧିକାରୀ, କୃଷି କର୍ମଚାରୀ, ଭି.ଏ.ଡବ୍ଲ୍ୟୁ ମାନଙ୍କ ସହ କୃଷକ, କୃଷିଦ୍ଦ୍ୟୋଗୀା ମାନେ ଏହି ଉତ୍ସବ ପାଳନରେ ଉପସ୍ଥିତ ଥିଲେ । ଅତିଥି ମାନଙ୍କ ଦ୍ୱାରା ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରଦତ୍ତ କୃଷି ଦକ୍ଷତା ପ୍ରମାଣ ପତ୍ର ସଂପୃକ୍ତ କୃଷକ ମାନଙ୍କୁ ପ୍ରଦାନ କରାଯାଇଥିଲା । ଶେଷରେ ଚାନ୍ଦବାଲି ବ୍ଲକ କୃଷି ଅଧିକାରୀ ଅରୁଣ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିବା ସହିତ ତାଙ୍କଦ୍ୱାରା ରଚିତ କୃଷି ସମ୍ବନ୍ଧୀୟ ପୁସ୍ତକ ଭାଗବତ ଛନ୍ଦେ ଡାଲିଜାତୀୟ ଫସଲ ଚାଷ ଅତିଥି ମାନଙ୍କ ଦ୍ୱାରା କୃଷକ ମାନଙ୍କ ବଣ୍ଟନ କରାଯାଇଥିଲା ।