Home ଜିଲ୍ଲା ପରିକ୍ରମା ସୁରକ୍ଷିତ ସଞ୍ଚୟ, ଠକାମିରୁ ବଞ୍ôଚବାର ଏକମାତ୍ର ଉପାୟ, ବିଶ୍ୱ ମିତବ୍ୟୟିତା ଦିବସ ଓ ସ୍ୱଳ୍ପ ସଞ୍ଚୟ...

ସୁରକ୍ଷିତ ସଞ୍ଚୟ, ଠକାମିରୁ ବଞ୍ôଚବାର ଏକମାତ୍ର ଉପାୟ, ବିଶ୍ୱ ମିତବ୍ୟୟିତା ଦିବସ ଓ ସ୍ୱଳ୍ପ ସଞ୍ଚୟ ପକ୍ଷ ପାଳନ ଉଦ୍‌ଯାପିତ

8

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିତବ୍ୟୟିତା ଓ ସଞ୍ଚୟ ଆମ ସମସ୍ତଙ୍କ ଦୈନନ୍ଦିନ ଜୀବନ ପାଇଁ ଅପରିହାର୍ଯ୍ୟ । ଏହା ଆମ ଆର୍ଥିକ ସମ୍ବଳକୁ ଯେମିତି ପରିପୁଷ୍ଟ କରାଏ ସେମିତି ଭବିଷ୍ୟତରେ ଆମର ଆକସ୍ମିକ ବିପଦ ଆପଦ ଏବଂ ଯେ କୌଣସି ସାମାଜିକ କର୍ମ, ପିଲାମାନଙ୍କ ଅଧ୍ୟୟନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ । ତେବେ ଅସ୍ୱାଭାବିକ ଭାବେ ଉଚ୍ଚ ସୁଧହାର ପ୍ରଦାନର ପ୍ରତିଶ୍ରୁତି ତଥା ଖୁବ୍ କମ ଦିନରେ ମୂଳ ଜମା ଦୁଇଗୁଣ ହୋଇଯିବାର ପ୍ରଲୋଭନ ଅର୍ଥ ସଞ୍ଚୟ ଦିଗରେ ଠକାମିର ପ୍ରଥମ ଲକ୍ଷଣ ବୋଲି ଭଦ୍ରକ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟତା ଦିବସ ଓ ସ୍ୱଳ୍ପ ସଞ୍ଚୟ ପକ୍ଷ ପାଳନ ର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ପ୍ରକାଶ କରିଥିଲେ । କେବଳ ସ୍ୱୀକୃତିପ୍ରାପ୍ତ, ଅଧିକୃତ ଓ ପଞ୍ଜିକୃତ ସଂସ୍ଥା, ଅନୁଷ୍ଠାନ, ଡ଼ାକଘର, ବାଣିଜିକ ବ୍ୟାଙ୍କ ଆଦିରେ ଅର୍ଥ ନିବେଶ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଜିଲ୍ଲା କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସ୍ୱଳ୍ପ ସଞ୍ଚୟ ଅଧିକାରୀ ପଦ୍ମନ ରାୟଙ୍କ ସଂଯୋଜନାରେ ଆୟୋଜିତ ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହକାରୀ ଭୂଅର୍ଜନ ଅଧିକାରୀ ସୁଧାଂଶୁ ଶେଖର ସ୍ୱାଇଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ସୂଚନାଯୋଗ୍ୟକି ଏହି ପକ୍ଷ ପାଳନ ଉପଲକ୍ଷେ ଅକ୍ଟୋବର ୩୦ରେ ଜିଲ୍ଲାପାଳଙ୍କ ଦ୍ୱାରା ଏକ ସଞ୍ଚୟ ସଚେତନତା ରଥର ଶୁଭାରମ୍ଭ କରାଯାଇ ୨ ଦିନରେ ଜିଲ୍ଲାର ବ୍ଲକ୍‌ମାନଙ୍କରେ ପରିକ୍ରମା କରାଯାଇଥିଲା । ଜିଲ୍ଲା କାର୍ଯ୍ୟାଳୟ, ଭଦ୍ରକ ମହିଳା କଲେଜ, ମୁଖ୍ୟ ଡ଼ାକଘର ପରିସର, କେ.ସି.ସରକାରୀ ହାଇସ୍କୁଲ ଉତ୍ତରବାହିନୀରେ ବୃକ୍ଷ ରୋପଣ କରାଯାଇଥିଲା । ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରକାଶ ଥାଉକି ସ୍ୱଳ୍ପ ସଞ୍ଚୟ ଯୋଜନାରେ ଭଦ୍ରକ ଜିଲ୍ଲା ପାଇଁ ୨୦୨୧-୨୨ ବର୍ଷରେ ୩୮୦ କୋଟି ଲକ୍ଷ୍ୟ ଧାର୍ଯ୍ୟ ଥିଲା ବେଳେ ୩୯୭.୩୨ କୋଟି, ୨୦୨୨-୨୩ରେ ୪୩୪ କୋଟି ଧାର୍ଯ୍ୟ ଲକ୍ଷ୍ୟରେ ୩୪୫.୪୭ କୋଟି, ୨୦୨୩-୨୪ରେ ୩୬୨ କୋଟି ଧାର୍ଯ୍ୟ ଲକ୍ଷ୍ୟ ଜାଗାରେ ଅକ୍ଟୋବର ୨୩ ସୁଦ୍ଧା ୨୪୦.୫୫ କୋଟି ଟଙ୍କା ଜମା କରାଯାଇଛି । ଏହି ଯୋଜନାରେ ଜିଲ୍ଲା ପାଇଁ ଷ୍ଟାଣ୍ଡାର୍ଡ଼ ଏଜେନ୍ସି ଯୋଜନା ଅଧୀନରେ ୧୩୮ ଜଣ ଓ ମହିଳା ପ୍ରଧାନ କ୍ଷେତ୍ରୀୟ ବଚତ୍ ଯୋଜନା ରେ ୨୧୦ ଜଣ ଏଜେଣ୍ଟ କାର୍ଯ୍ୟ କରୁଛନ୍ତି । ସ୍ୱଳ୍ପ ସଞ୍ଚୟ ଯୋଜନାକୁ ଉତ୍ସାହିତ କରାଯିବା ପାଇଁ ରାଜ୍ୟସ୍ତରରେ ପ୍ରଥମ ପୁରସ୍କାର ୩ ଲକ୍ଷ ଟଙ୍କାରୁ ଆରମ୍ଭ କରି ୮ମ ପୁରସ୍କାର ୪ ହଜାର ଟଙ୍କା ପର୍ଯ୍ୟନ୍ତ ସମୁଦାୟ ୨,୭୭୧ଟି ପୁରସ୍କାର ପ୍ରଦାନର ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଡ଼ାକଘର ସଞ୍ଚୟ ବ୍ୟାଙ୍କ, ଡ଼ାକଘର ଚଳନ୍ତି ଜମା, ଡ଼ାକଘର ସ୍ଥାୟୀ ଜମା, ପି.ପି.ଏଫ୍‌, ଡ଼ାକଘର ମାସିକ ଆୟ, ଜାତୀୟ ସଞ୍ଚୟ ସାର୍ଟିଫିକେଟ୍‌, ବରିଷ୍ଠ ନାଗରିକ ଯୋଜନା, କିଷାନ ବିକାଶ ପତ୍ର, ସୁକନ୍ୟା ସମୃଦ୍ଧି ଯୋଜନା, ମହିଳା ସମ୍ମାନ ସଞ୍ଚୟ ସାର୍ଟିଫିକେଟ୍ ଆଦି ଯୋଜନାରେ ପ୍ରଦାନ କରାଯାଉଥିବା ସୁଧ ହାର ସମ୍ବନ୍ଧରେ ଶ୍ରୀଯୁକ୍ତ ରାୟ ସୂଚନା ପ୍ରଦାନ କରିଥିଲେ । କୃତୀ ପ୍ରତିଯୋଗୀ ଓ ସଫଳ ଏଜେଣ୍ଟମାନଙ୍କୁ ଟ୍ରଫି ପ୍ରମାଣ ପତ୍ର ସହ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.