Home ଜିଲ୍ଲା ପରିକ୍ରମା ‘ସୁଭଦ୍ରା’ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ, ଖୁବ୍ ଶୀଘ୍ର ଉପଲବ୍‌ଧ ହେବ ଆବେଦନ ଫର୍ମ ,...

‘ସୁଭଦ୍ରା’ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ, ଖୁବ୍ ଶୀଘ୍ର ଉପଲବ୍‌ଧ ହେବ ଆବେଦନ ଫର୍ମ , ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଦେୟମୁକ୍ତ, ମାତ୍ର ଆଧାର ସଂଯୋଗ ଦେୟଯୁକ୍ତ

64

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ସଶକ୍ତକରଣ ପାଇଁ ସରକାରଙ୍କ ଦ୍ୱାରା ଯୁଗାନ୍ତକାରୀ ପଦକ୍ଷେପ ରୂପେ ଆରମ୍ଭ କରାଯାଉଥିବା ‘ସୁଭଦ୍ରା’ ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଆଭାସି ଜରିଆରେ ରାଜ୍ୟସ୍ତରୀୟ ବୈଠକ ପରେ ଭଦ୍ରକ ଜିଲ୍ଲାପାଇଁ ଜିଲ୍ଲାପାଳ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଓସୱାନ୍ ହଲ୍‌ରେ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ମାର୍ଗ ଦର୍ଶିକା ଅନୁଯାୟୀ ଜିଲ୍ଲାପାଳ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଆବଶ୍ୟକ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଉପସ୍ଥିତ ସଂମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାସ୍ତରୀୟ ନୋଡ଼ାଲ ଅଧିକାରୀ ଥିବା ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ପି.ଡ଼ି. ଡୁଡ଼ା ବ୍ରଜଗୋପାଳ ଆଚାର୍ଯ୍ୟ ଜିଲ୍ଲାର ସମସ୍ତ ବି.ଡ଼ି.ଓ. ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟକି ସୁଭଦ୍ରା ଯୋଜନାରେ ଆବେଦନ କରିବା ପାଇଁ ଆବଶ୍ୟକ ଫର୍ମ ପ୍ରଶାସନ ତରଫରୁ ସମ୍ପୃର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ । ଆବେଦନକାରୀଙ୍କ ଦ୍ୱାରା ଫର୍ମ ପୂରଣ କରି ଅନ୍‌ଲାଇନ୍‌ରେ ଅପ୍‌ଲୋଡ଼ କରିବା ନିମନ୍ତେ ନିଜ ନିଜ ଅଂଚଳ ପାଇଁ ନିୟୋଜିତ କରାଯାଇଥିବା ମୋ ସେବା କେନ୍ଦ୍ର କିମ୍ବା କମନ୍ ସର୍ଭିସ୍ ସେଂଟରକୁ ପୂରଣ କରାଯାଇଥିବା ଫର୍ମ ସହ ନିଜ ନିଜ ଆଧାର କାର୍ଡ଼ ନେଇ ଯିବାପାଇଁ ଆବେଦନକାରୀ ମାନଙ୍କୁ ସୂଚନା ପ୍ରଦାନ କରାଯାଉଛି । ଅନ୍‌ଲାଇନ୍ ଜରିଆରେ ଆବେଦନ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ କରାଯିବ । ମାତ୍ର ନିଜ ମୋବାଇଲ ନମ୍ବର ସହିତ ଆଧାର ସଂଯୋଗ ନଥିବା ଆବେଦନକାରୀ ମାନଙ୍କୁ ଆଧାର ସଂଯୋଗ ପାଇଁ ଆଧାର ନିୟମାନୁଯାୟୀ ଦେୟ ଦେବାକୁ ପଡ଼ିବ । ସୁବିଧାରେ ଆଧାର ସଂଯୋଗ କାର୍ଯ୍ୟ ପାଇଁ ମଧ୍ୟ ଏକାଧିକ ଆଧାର କେନ୍ଦ୍ର ଉପଲବ୍‌ଧ କରାଯିବ । ପ୍ରତି ବ୍ଲକ ସ୍ତରରେ ଗ୍ରାମପଂଚାୟତ ଓ ଗ୍ରାମସ୍ତରରେ ଏହି କାର୍ଯ୍ୟ ପାଇଁ ନୋଡ଼ାଲ ଅଧିକାରୀ ନିୟୋଜିତ କରାଯିବ । ୨/୩ ଦିନ ମଧ୍ୟରେ ସୁଭଦ୍ରା ପାଇଁ ଆବେଦନ ଫର୍ମ ଉପଲବ୍‌ଧ କରାଯିବା ନେଇ ନୋଡ଼ାଲ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି । ଫର୍ମ ବିତରଣ, ଅନ୍‌ଲାଇନ୍‌ରେ ଫର୍ମ ଅପଲୋଡ଼୍‌, ଆଧାର ସଂଯୋଗ ଓ ଫର୍ମ ସଂଗ୍ରହ ତରିକା ସମ୍ବନ୍ଧରେ ଆଲୋଚନା କରାଯାଇ ତଦନୁଯାୟୀ ମାଇକ୍ରୋପ୍ଲାନ୍ ପ୍ରସ୍ତୁତି ଓ କାର୍ଯ୍ୟକାରୀତା ଦିଗରେ ଧାର୍ଯ୍ୟ ସମୟ ମଧ୍ୟରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.