Home ଜିଲ୍ଲା ପରିକ୍ରମା ସୁଧାକର ନନ୍ଦଙ୍କ ‘ସମୟ କଷଟିରେ ମୋ ଜୀବନ’ ଲୋକାର୍ପିତ

ସୁଧାକର ନନ୍ଦଙ୍କ ‘ସମୟ କଷଟିରେ ମୋ ଜୀବନ’ ଲୋକାର୍ପିତ

76

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗୋଟିଏ ଜାତିର ସମକାଳୀନ ଇତିହାସ ରଚନା ନିତାନ୍ତ ଆବଶ୍ୟକ ନହେଲେ ସେ ଜାତି ସମଗ୍ର ବିଶ୍ୱରେ ଅଚିହ୍ନା ହୋଇ ରହିଯିବ । ଆତ୍ମ ଜୀବନୀ ସହ ସମୟ ଓ ଇତିହାସ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ପ୍ରଖ୍ୟାତ ନାଟ୍ୟକାର ତଥା ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ୱ ସୁଧାକର ନନ୍ଦଙ୍କ ଆତ୍ମଚରିତ ‘ସମୟ କଷଟିରେ ମୋ ଜୀବନ’ ଆଗାମୀ ରାଜନୈତିକ ବ୍ୟକ୍ତିତ୍ୱ, ଐତିହାସିକ ତଥା ଉତ୍ତର ପିଢିଙ୍କୁ ଅନେକ ଶିକ୍ଷା ଓ ପ୍ରେରଣା ଆଣି ଦେବ ବୋଲି ଭଦ୍ରକ ଜିଲା ଲେଖକ ସାମ୍ମୁଖ୍ୟ ଓ ‘ଜଗତ ଜନନୀ’ ପତ୍ରିକା ପରିବାର ଆନୁକୂଲ୍ୟରେ ଭଦ୍ରକ ସହର ଶହୀଦ୍ ସ୍ମୃତି ଭବନ ଠାରେ ଆୟୋଜିତ ପୁସ୍ତକ ଲୋକାର୍ପଣ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଓଡ଼ିଶା ରାଜ୍ୟ ଭାଷା ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁସ୍ତକର ଲୋକାର୍ପଣ କରିଥିଲେ । ଉକ୍ତ ଉତ୍ସବରେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ, ରାଜ୍ୟସଭା ସାଂସଦ ତଥା ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ, ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ଇଂ ଅଖିଳ ପାଢୀ, ଜଗତଜନନୀର ପ୍ରକାଶିକା ଚିନ୍ମୟୀ ନନ୍ଦ, ଜାନକୀ ନନ୍ଦ, ଆଡଭୋକେଟ ତଥା ରୋଟାରିଆନ ଅତିସ୍ କୁମାର ବେହେରା ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ଦିବସବ୍ୟାପୀ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ଏହି ଉତ୍ସବକୁ ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଡ. ବ୍ୟୋମକେଶ ରାୟ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ସମାରୋହରେ ଭଦ୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିôଲେ । ଲେଖକ ସାମ୍ମୁଖ୍ୟର ସମ୍ପାଦକ ଅଧ୍ୟାପକ ନୀହାର ରଂଜନ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଲେଖକ ସୁଧାକର ନନ୍ଦ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିବା ବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ ଅତିଥି ପରିଚୟ, କାର୍ଯ୍ୟକାରୀ ସଭାପତି ଇଂ ଅଭୟ ସୂତାର ସ୍ୱାଗତ ଭାଷଣ ଏବଂ ବରିଷ୍ଠ ସାମ୍ବାଦିକ ଦୁର୍ଗାଶଙ୍କର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । କବୟିତ୍ରୀ ମନୋରମା ରାୟ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସାମ୍ବାଦିକ ରବିନାରାୟଣ ଖିଲାର, ସନିଆ ନନ୍ଦ, ସସ୍ମିତା ନନ୍ଦ, ସୁବାସିନୀ ନନ୍ଦ, ସ୍ମରଣିକା ନନ୍ଦ, ସୁକ୍ଷଣିକା ନନ୍ଦ, ସମାପିକା ନନ୍ଦ, ସମୀର ନାରାୟଣ ମିଶ୍ର, ସ୍ପନ୍ଦନ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉତ୍ସବରେ ପୂର୍ବତନ ବିଧାୟକ ଅରୁଣ ଦେ, କଥାକାର ପବିତ୍ର ପାଣିଗ୍ରାହୀ, ଗୀତିକାର ଓ ଶିଶୁ ସାହିତ୍ୟିକ ପୀତାମ୍ବର ମିଶ୍ର, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଳୟ କୁମାର ଜେନା, ସ୍ୱାଧୀନତା ସଂଗ୍ରାମୀ ରାମହରି ଗୋସ୍ୱାମୀ, ନାଟ୍ୟକାର ସୁଧାଂଶୁ ନାୟକ, ଅରୁଣ କୁମାର ବାରିକ, ମିହିର କୁମାର ମେହେର, ଚିତ୍ରଶିଳ୍ପୀ ଚୁଡାମଣି ଦାସ, ଅଶୋକ କୁମାର ମହାନ୍ତି, ପଣ୍ଡିତ ଦୈତାରୀ ମହାପାତ୍ର, ଅଚ୍ୟୁତାନନ୍ଦ ସାମଲ ଓ କାହ୍ନୁଚରଣ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବାହ୍ଣରେ ପଣ୍ଡିତ ଦୈତାରୀ ମହାପାତ୍ରଙ୍କ ପୌରୋହିତ୍ୟରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

ଏହି ଉତ୍ସବରେ ଅବସରପ୍ରାପ୍ତ ପ୍ରଫେସର ଡ. ଉପେନ୍ଦ୍ର ପ୍ରସାଦ ନାୟକ, କବି ପ୍ରାଧ୍ୟାପକ ହୃଦାନନ୍ଦ ପାଣିଗ୍ରାହୀ, ଅଭିଯାନର ସମ୍ପାଦକ ଶମ୍ଭୁନାଥ ଦାସ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ଉତ୍କଳ ସାମ୍ବାଦିକ ସଂଘର ଭଦ୍ରକ ଜିଲ୍ଲା ସଭାପତି ରବି ନାରାୟଣ ଖିଲାର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି କବିତା ପାଠୋତ୍ସବକୁ କବି ଚର୍ଚ୍ଚିକା ପ୍ରସାଦ ମହାପାତ୍ର, ଇଂ ସତ୍ୟ ପ୍ରକାଶ ସେଠୀ, କବୟିତ୍ରୀ ରଶ୍ମିତା ଦାଶ, ପ୍ରୀତିଲତା ପଣ୍ଡା, ଅଧ୍ୟାପିକା ଡ. ମମତା ସାହୁ ସଂଯୋଜନା କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଜାନକୀ ପାଢୀ କବିତା ପାଠୋତ୍ସବରେ ଅତିଥିଙ୍କୁ ମଞ୍ଚ ନିମନ୍ତ୍ରଣ କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧ୍ୟାପିକା କବି ଡ. ପ୍ରଭାତ ନଳିନୀ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । କବିତା ପାଠୋତ୍ସବରେ ଉଷାରାଣି ଜେନା ପ୍ରଥମ, ନାଟ୍ୟଶ୍ରୀ ନିର୍ମଳ ରାଉତ ଦ୍ୱିତୀୟ, ମନୋଜ ପଣ୍ଡା ଓ ଶ୍ରାବଣୀ ଦାସ ଯୁଗ୍ମ ତୃତୀୟ ହୋଇଥିବା ବେଳେ କବୟିତ୍ରୀ ବସନ୍ତ ମିଶ୍ରଙ୍କୁ ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । କବିତା ପାଠର ବିଚାରକ ଭାବେ କବୟିତ୍ରୀ ଗୀତାରାଣି ଆଇଚ, ବିଜୟ କୁମାର ବହଳୀ, ବିମ୍ବାଧର ମହାପାତ୍ର ଯୋଗ ଦେଇଥିଲେ । ପରିଶେଷରେ ସୁଧାକର ନନ୍ଦଙ୍କ ରଚିତ ବାଦଲ ସିକ୍‌ଦାରଙ୍କ ନିର୍ଦ୍ଦେଶିତ ନାଟକ ‘ଲୋତକାଞ୍ଜଳି’ ଗୌରାଙ୍ଗ ଚରଣ ବାରିକଙ୍କ ପରିଚାଳନାରେ ମଞ୍ଚସ୍ଥ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଲେଖକ ସାମ୍ମୁଖ୍ୟର ସଂଗଠନ ସମ୍ପାଦକ ଚର୍ଚ୍ଚିକା ପ୍ରସାଦ ମହାପାତ୍ର ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.