Home ଜିଲ୍ଲା ପରିକ୍ରମା ସୁଦୂର ବିଜୟୱାଡାରେ ରୋଜଗାରକ୍ଷମ ଏକମାତ୍ର ପୁତ୍ରର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ସୁଦୂର ବିଜୟୱାଡାରେ ରୋଜଗାରକ୍ଷମ ଏକମାତ୍ର ପୁତ୍ରର ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

42

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୁଦୂର ବିଜୟୱାଡାର ଏକ ହୋଟେଲରେ କାମ କରୁଥିବା ଘରର ରୋଜଗାରକ୍ଷମ ଏକମାତ୍ର ପୁତ୍ରର ସନ୍ଦେହଜନକ ମୃତ୍ୟୁକୁ ନେଇ ତାର ପରିବାର ଲୋକେ ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପତଙ୍କ ନିକଟରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ପ୍ରକୃତ ଘଟଣାର ନିରପେକ୍ଷ ତଦନ୍ତ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପ୍ରାପ୍ତ ଘଟଣାରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ଖଣ୍ଡତଡା ପଂଚାୟତର ଆହାରପଦା ଗ୍ରାମନିବାସୀ ନିରଞ୍ଜନ ସ୍ୱାଇଁଙ୍କର ଏକମାତ୍ର ପୁତ୍ର ନୃତେଶ ଓରଫ ଲକି ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଭାବେ ୫ ବର୍ଷ ହେବ ତେଲେଙ୍ଗାନା ରାଜ୍ୟର ବିଜୟୱାଡାର ବିଭିନ୍ନ ହୋଟେଲରେ କାର୍ଯ୍ୟକରି ନିଜର ଜୀବିକା ନିର୍ବାହ କରିବା ସହ ପରିବାରର ଭରଣପୋଷଣ ପାଇଁ ସହାୟତା ଯୋଗାଉଥିଲା। ଗତ ୬ ମାସ ହେବ ସେ ବିଜୟୱାଡାର ପାଲଭାନାଚା କୋଠ ଗୁଡେମ୍ ଠାରେ ଏକ ଘରୋଇ ହୋଟେଲ ‘ଆରଆରଆର ରେଷ୍ଟୁରାଂଟ ଏଣ୍ଡ ଇଲାଇଟି ବାର’ ରେ ରହି ରୋଷେୟା ଭାବେ କାର୍ଯ୍ୟ କରୁଥିଲା। ଗତ ୫ ତାରିଖ ଦିନ ନୃତେଶର ଜନ୍ମଦିନ ଥିବାରୁ ସେ ନୂଆ ପୋଷାକ ପିନ୍ଧି ରାତି ୧୦ ଟା ପର୍ଯ୍ୟନ୍ତ ପିତା ନିରଞ୍ଜନ ଓ ମାତାଙ୍କ ସମେତ ପିଉସୀ ଓ ଅନ୍ୟ ସଂପର୍କୀୟଙ୍କ ସହ ମୋବାଇଲ୍‌ରେ ଭିଡିଓ କଲ୍ କରି ବେଶ୍ ଖୁସିରେ କଥା ହୋଇଥିଲା। କିନ୍ତୁ ତା ପରଦିନ ୬ ତାରିଖ ସକାଳ ୭.୩୦ ସମୟରେ ନୁତେଶ ସହ କାର୍ଯ୍ୟ କରୁଥିବା ଜଣେ ଯୁବକର ଫୋନ୍‌ରୁ ‘ତୁମ ପୁଅ ଛାତରୁ ପଡି ମୃତ୍ୟୁବରଣ କରିଛି, ଆମେ ତାର ଶବ ବ୍ୟବଚ୍ଛେଦ ପାଇଁ ବିଜୟୱାଡା ମେଡିକାଲ ନେଇଯାଉଛୁ ବୋଲି ସୂଚନା ଦେଇଥିଲେ। ଫଳରେ ପିତା ନିରଞ୍ଜନ ଏଭଳି ଦୁଃଖଦ ଖବର ପାଇ ପ୍ରକୃତ ଘଟଣା ଜାଣିବା ନିମନ୍ତେ ବିଜୟୱାଡା ଯାତ୍ରା କରିଥିଲେ। କିନ୍ତୁ ସେ ସିକାକୁଲମ ପାଖାପାଖି ପହଂଚିବା ବେଳକୁ ନୃତେଶର ରୁମେଂଟ ଜିତୁ ନାମକ ଜଣେ ପିଲା ଫୋନ୍ ମାଧ୍ୟମରେ ଶବ ବ୍ୟବଚ୍ଛେଦ କରି ପୁଲିସ୍ ଓଡ଼ିଶା ପଠାଇ ସାରିଲାଣି, ତେଣୁ ତୁମେ ଫେରିଯାଅ ବୋଲି କହିବାରୁ ସେ ଘରକୁ ଫେରିଆସିଥିଲେ। ହଠାତ୍ ତାଙ୍କ ପାଖକୁ ସେଠାକାର ପୁଲିସ୍ ପୁତ୍ରର ଶବ ବ୍ୟବଚ୍ଛେଦ ହୋଇ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ପଠାଇ ଦିଆଯାଇଛି ବୋଲି କହିବା ପରେ ପରିବାର ଓ ସ୍ଥାନୀୟ ଲୋକେ ଶୋକରେ ଭାଙ୍ଗିପଡିଥିଲେ। କାରଣ ନୁତେଶ ନିଜ ଗ୍ରାମରେ ଜଣେ ବେଶ୍ ଶାନ୍ତଶିଷ୍ଟ ଓ ମେଳାପୀ ପରୋପକାରୀ ଯୁବକ ଥିଲା। ତେଣୁ ତାର ଏଭଳି ମୃତ୍ୟୁକୁ ସମସ୍ତେ ସହଜରେ ଗ୍ରହଣ କରିପାରିନଥିଲେ। ଆଜି ଦିନ ୧ଟା ସମୟରେ ତାର ଶବ ଆମ୍ବୁଲାନ୍ସରେ ଆସି ଗ୍ରାମରେ ପହଂଚିବା ପରେ ଏକ ଅଭାବନୀୟ ପରିବେଶ ସୃଷ୍ଟି ହୋଇଥିଲା। ତେବେ ନୁତେଶର ମୃତ୍ୟୁ ଯେ ସାଧାରଣ ନୁହେଁ, ତାହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପିତା ନିରଞ୍ଜନଙ୍କ ସମେତ ସ୍ଥାନୀୟ ସରପଂଚ ଓ ଗ୍ରାମବାସୀମାନେ ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ଏବଂ ଏ ସଂପର୍କରେ ପୂର୍ବତନ ସରପଂଚ ବିଶ୍ୱନାଥ ନାୟକଙ୍କ କହିବା ଅନୁସାରେ ଜଣେ ପୁତ୍ରର ସନ୍ଦେହ ଜନକ ମୃତ୍ୟୁ ପରେ ତାର ଶବକୁ ନିୟମ ଅନୁସାରେ ପରିବାର ଲୋକଙ୍କ ଦେଖିବା ପାଇଁ ୭୨ ଘଂଟା ରଖାଯାଇ ପରିବାର ଲୋକେ ପହଂଚିବା ପରେ ତାଙ୍କୁ ହସ୍ତାନ୍ତର କରାଯାଇଥାଏ। କିନ୍ତୁ ଏ କ୍ଷେତ୍ରରେ ପରିବାର ଲୋକେ ପହଂଚିବା ପୂର୍ବରୁ ସ୍ଥାନୀୟ ପୁଲିସ୍ ଯେଭଳି ତରବରିଆ ଭାବେ ଶବ ବ୍ୟବଚ୍ଛେଦ କରି ଆମ୍ବୁଲାନ୍ସରେ ଘରକୁ ପଠାଇଲା, ତାହା ନୁତେଶର ମୃତ୍ୟୁ ଯେ ସାଧାରଣ ନୁହେଁ, ତାହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବାର ଅଭିଯୋଗ କରିଛନ୍ତି ପିତା ଓ ସ୍ଥାନୀୟ ଅଂଚଳବାସୀ। ସେମାନଙ୍କ ଅଭିଯୋଗ ମୂଳେ ସେ କାର୍ଯ୍ୟ କରୁଥିବା ହୋଟେଲର ମାଲିକ ତାକୁ ହତ୍ୟା କରିବା ପରେ ଅର୍ଥ ଓ ବାହୁବଳ ଦ୍ୱାରା ସେଠାକାର ପୁଲିସ୍‌କୁ ପ୍ରଭାବିତ କରି ଦୁର୍ଘଟଣାର ରୂପ ଦେଇଛି। କାହିଁକିନା ବିଜୟୱାଡାରେ ରହୁଥିବା ଓଡ଼ିଆ ଲୋକଙ୍କୁ କେତେକ ସ୍ଥାନୀୟ ଅସାମାଜିକ ଯୁବକ ଧମକ ଚମକ ଦେଇ ନୃତେଶର ଶବ ଦେଖିବାକୁ ଛାଡିନଥିଲେ। ଏପରିକି ପୁଲିସ୍ ମଧ୍ୟ ସେମାନଙ୍କୁ ସହଯୋଗ କରିଥିବାର ଦେଖାଯାଇଥିଲା। ଏଣୁ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିଜର ଏକମାତ୍ର ପୁତ୍ରର ସନ୍ଦେହଜନକ ମୃତ୍ୟୁର ପ୍ରକୃତ ତଥ୍ୟ ପ୍ରକାଶ ପୂର୍ବକ ଏଥିରେ ସଂପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ପିତା ନିରଞ୍ଜନ ଭଦ୍ରକ ଜିଲା ଆରକ୍ଷୀ ଅଧୀକ୍ଷକ, ଜିଲାପାଳ ଓ ରାଜ୍ୟ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.