ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସିବିଏସ୍ଇ ଆନୁକୁଲ୍ୟରେ ଟିଟିଲାଗଡ଼ର ଓମ୍ ଭେଲି ସ୍କୁଲ ପରିସରରେ ସିବିଏସ୍ଇ କ୍ଲଷ୍ଟର-୨, ଭଲିବଲ୍ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି କ୍ଲଷ୍ଟରରେ ପଶ୍ଚିମବଙ୍ଗ, ଛତିଶ୍ଗଡ଼ ଓ ଓଡ଼ିଶାର ବିଭିନ୍ନ ସିବିଏସ୍ଇ ସ୍କୁଲଗୁଡ଼ିକ ଅଂଶ ଗ୍ରହଣ କରିଥିଲେ । ଏଥିରେ ଭଦ୍ରକର ଏସ୍ବିଡ଼ି ଇଣ୍ଟରନ୍ୟାସ୍ନାଲ ସ୍କୁଲ ପ୍ରଥମ ଥର ଭଲିବଲ୍ ଖେଳରେ ଅଂଶ ଗ୍ରହଣ କରି କାଂଶ୍ୟ ପଦକ ହାସଲ କରିଛି । ଏହି ପ୍ରତିଯୋଗିତାରେ ଏସ୍ବିଡ଼ି ସ୍କୁଲ ପ୍ରାରମ୍ଭିକ ପର୍ଯ୍ୟାୟରେ ଝାଡ଼େଶ୍ୱର ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ, ବାଲେଶ୍ୱର, ଓଲ୍ଡ ଏକାଡ଼େମିକ୍ ସ୍କୁଲ, ଛତିଶ୍ଗଡ଼ ଏବଂ ମହର୍ଷି ବିଦ୍ୟାମନ୍ଦିର ବିଳାଶପୁରକୁ ପରାଜିତ କରି ସେମିଫାଇନାଲ୍ରେ ପ୍ରବେଶ କରିଥିଲା । କିନ୍ତୁ ସେମିଫାଇନାଲ୍ରେ ଡ଼ିପିଏସ୍ ସ୍କୁଲ, ସିଲ୍ଗୁଡ଼ି ପାଖରୁ ବହୁତ କମ୍ ବ୍ୟବଧାନରେ ପରାଜୟ ବରଣ କରିଥିଲା । ଏଥିରେ ଓଡ଼ିଶାରୁ ଏକମାତ୍ର ସ୍କୁଲ ଭାବରେ ଏସ୍ବିଡ଼ି ଇଣ୍ଟରନ୍ୟାସ୍ନାଲ ସ୍କୁଲ ସେମିଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚିଥିଲା । ଖେଳାଳିମାନଙ୍କର ଏହି ସଫଳତା ପାଇଁ ସ୍କୁଲର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ଚେୟ୍ୟାରମ୍ୟାନ୍ ଦେବାଶିଷ୍ ଦିକ୍ଷିତ୍ ଓ ସ୍କୁଲର ସମସ୍ତ କର୍ମକର୍ତ୍ତା ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଉତ୍ତୋରତ୍ତର କାମନା କରିଛନ୍ତି ।