Home ଜିଲ୍ଲା ପରିକ୍ରମା ପାଠ ପଢିଲା ଜେଲ୍‌ରେ ଥିବା ଅନ୍ତେବାସୀଙ୍କ ଶିଶୁକନ୍ୟା

ପାଠ ପଢିଲା ଜେଲ୍‌ରେ ଥିବା ଅନ୍ତେବାସୀଙ୍କ ଶିଶୁକନ୍ୟା

16

ଭଦ୍ରକ, ୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୌଣସି ଶିଶୁ ଶିକ୍ଷା ଅଧିକାର ସହ ଶିଶୁ ଅଧିକାରରୁ ବଂଚିତ ହେବେନାହିଁ ବୋଲି ସରକାରଙ୍‌କ ଆଇନ୍ ଉଲ୍ଲେଖ ଅଛି । ଏହି ମର୍ମରେ କାରାଗାରେ ଦିନ କାଟୁଥିବା ପିତା, ମାତାଙ୍କ ଶିଶୁ ମଧ୍ୟ କୌଣସି କ୍ଷେତ୍ରରେ ଅବହେଳାର ଶୀକାର ହେବେ ନାହିଁ । ଯଦି କୌଣସି ମାତା ଅପରାଧରେ ସଂଶ୍ଲିଷ୍ଟ ଥାଇ କାରାଗାରରେ ଦିନ କାଟୁଥାଆନ୍ତି, ତେବେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ପ୍ରଚଳିତ ଥିବା ନିୟମାବଳୀରେ କାରାଗାରରେ ଥିବା ପିତା, ମାତା ଅନ୍ତେବାସୀଙ୍କ ଶିଶୁମାନଙ୍କ ମଙ୍ଗଳ ନିମନ୍ତେ ବିଭିନ୍ନ ଯୋଜନାରେ ସାମିଲ କରି ଥଇଥାନ କରିବା ସହ ଶିକ୍ଷା କ୍ଷେତ୍ରରେ ସୁନିଶ୍ଚିତ କରିବା ପାଇଁ ସମନ୍ୱିତ ଶିଶୁ ବିକାଶ ବିଭାଗ, ଶିଶୁ ସୁରକ୍ଷା ଯୋଜନା ଇତ୍ୟାଦିଙ୍କ ସହଯୋଗରେ ଶିଶୁ ଅଧିକାର ସୁରକ୍ଷିତ ହୋଇପାରିବ ବୋଲି ଉଲ୍ଲେଖ ଅଛି ଏବଂ ସମସ୍ତ କାରାଧ୍ୟକ୍ଷଙ୍କୁ ଅବଗତ କରାଯାଇଛି । ପ୍ରକାଶ ଥାଉକି ୨୦୨୩ ମସିହା ମାର୍ଚ୍ଚ ମାସ ଠାରୁ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ନିଶା ଓ ମାଦକ ଦ୍ରବ୍ୟ ଚାଲାଣ (ଏନଡିପିଏସ) ଆଇନ୍ ଅଭିଯୋଗ ଆଧାରରେ ରିତ ମଲିକ (ଛଦ୍ମନାମ) ଓ ଅର୍ଜୁନ ମଲିକଙ୍କୁ ପୁଲିସ୍ ଗିରଫ କରିଥିଲା । ତାଙ୍କର ଏକମାତ୍ର କନ୍ୟା (୩ ବର୍ଷ ୬ ମାସ) ର ଶିଶୁ ସହ ଉଭୟ ପିତାମାତା କାରାଗାରରେ ଅବସ୍ଥାନ କରୁଥିଲେ ।

ମାତ୍ର ନିଷ୍ପାପ ଶିଶୁଟିର ଅଧିକାର କ୍ଷୁର୍ଣ୍ଣ ହେବା ଦେଖି ତାଙ୍କୁ କାରାଧ୍ୟକ୍ଷ ହୃଷିକେଶ ନାୟକ, ଜିଲା ଶିଶୁ ସୁରକ୍ଷା ବିଭାଗର ପ୍ରୋବେସନ ଅଧିକାରୀ ସୁବ୍ରତ ଦାସ ସମେତ ଜିଲା ଆଇନ୍ ସେବା ପ୍ରାଧିକରଣ ସଚିବ ନେହା ଅଗ୍ରୱାଲ ଜେଲ୍ ପରିଦର୍ଶନ ସମୟରେ ଶିଶୁଟିକୁ ବାହାର ପରିବେଶରେ ରଖିବା ପାଇଁ ପରାମର୍ଶ ଦେଇଥିଲେ । ମାତ୍ର ଶିଶୁଟି ମା’କୁ ଛାଡି ଅଲଗା ରହିନପାରିବା ଦେଖି ତାକୁ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇବା ପାଇଁ ସ୍ଥିର କରାଯାଇଥିଲା । ସମନ୍ୱିତ ଶିଶୁ ବିକାଶ ବିଭାଗ, ଶିଶୁ ସୁରକ୍ଷା ବିଭାଗ, ଜେଲ୍ କର୍ତ୍ତୃପକ୍ଷଙ୍କ ସହଯୋଗରେ କନ୍ୟା ଶିଶୁ (ରଂଜିତା) (ଛଦ୍ମନାମ) ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ରରେ ପାଠ ପଢିବାର ସୁଯୋଗ ପାଇଲା । ବର୍ତ୍ତମାନ ଶିଶୁଟିର ପିତା ଜେଲ୍‌ରୁ ବାହାରି ବାହାରେ ଥିବାବେଳେ ପ୍ରଶାସନଙ୍କ ସହଯୋଗରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଅବିନାଶ ମହାନ୍ତି, ଆଇନ୍ ପ୍ରୋବେସନ ଅଧିକାରୀ ଶ୍ରୀ ଦାସ, ଅଙ୍ଗନୱାଡି କର୍ମୀ ସ୍ମରଣିକା ନାୟକ, ଲକ୍ଷ୍ମୀ ପଣ୍ଡା, କାରାଧ୍ୟକ୍ଷ ଶ୍ରୀ ନାୟକ ପ୍ରମୁଖ ଶିଶୁଟିର ପାଠ ପଢିବା ସହ ପିଲାମାନଙ୍କ ସହ ମିଶି ହସଖୁସି ଖେଳକୁଦ କରିବା ସହ ନିୟମିତ ଅଙ୍ଗନୱାଡି କେନ୍ଦ୍ର ଯିବାର ବ୍ୟବସ୍ଥା ସୁନିଶ୍ଚିତ କରି ଶିଶୁ ଅଧିକାର ସୁରକ୍ଷିତ କରିପାରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.