Home ଓଡ଼ିଶା ସିପିଆଇ ରାଜ୍ୟ ପରିଷଦ ବୈଠକ : ସମ୍ବିଧାନର ସୁରକ୍ଷା ଓ ସାମାଜିକ ନ୍ୟାୟ ପାଇଁ ଅଭିଯାନ...

ସିପିଆଇ ରାଜ୍ୟ ପରିଷଦ ବୈଠକ : ସମ୍ବିଧାନର ସୁରକ୍ଷା ଓ ସାମାଜିକ ନ୍ୟାୟ ପାଇଁ ଅଭିଯାନ ଚଳାଇବାକୁ ନିଷ୍ପତ୍ତି

19

ଭୁବନେଶ୍ୱର, ୧୪/୧୧ (ଓଡ଼ିଆ ପୁଅ) ସିପିଆଇ ଜାତୀୟ ପରିଷଦର ଆହ୍ୱାନକ୍ରମେ କେନ୍ଦ୍ର ବିଜେପି ସରକାରର ବେକାରୀ, ରାଷ୍ଟ୍ରାୟତ୍ତ ସମ୍ପତ୍ତିର ବିକ୍ରି, ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ଓ ଅସହିଷ୍ଣୁତା ବିରୋଧରେ ସମ୍ବିଧାନର ସୁରକ୍ଷା ଓ ସାମାଜିକ ନ୍ୟାୟ ପାଇଁ ନଭେମ୍ବର ୨୬ରୁ ଡିସେମ୍ବର ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଅଭିଯାନ ଚଳାଇବା ପାଇଁ ସିପିଆଇର ରାଜ୍ୟ ପରିଷଦ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଅଭିଯାନ କାଳରେ ସମସ୍ତ ଜିଲ୍ଲା ସଦର ମହକୁମା ଓ ସହରମାନଙ୍କରେ ସଭା ଓ ଆଲୋଚନାଚକ୍ରମାନ ସଂଗଠିତ କରାଯିବ।

ଗତକାଲି ଓ ଆଜି ଦୁଇଦିନ ଧରି ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରେ ଅଭିଜିତ ସାହୁଙ୍କ ସଭାପତିତ୍ୱରେ ସିପିଆଇର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଡିସେମ୍ବର ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗଣପାଣ୍ଠି ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଛି। ପରିଷଦର ଏହି ଅଧିବେଶନରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉପରେ ଆଲୋଚନା କରାଯାଇ ଶାସକଦଳ ଶାସନକଳକୁ ହତିଆର କରି ଆସନ ସଂରକ୍ଷଣ ବ୍ୟବସ୍ଥାକୁ ି ନିଜ ସ୍ୱାର୍ଥରକ୍ଷା ପାଇଁ ବ୍ୟବହାର କରିଛି ବୋଲି ମତପ୍ରକାଶ ପାଇବା ସଙ୍ଗେ ସଙ୍ଗେ ବ୍ଲକସ୍ତରୀୟ ଗଣତି ବ୍ୟବସ୍ଥାରେ ମଧ୍ୟ ଶାସନ କଳକୁ ବ୍ୟବହାର କରାଯିବାର ଆଶଙ୍କା ରହିଛି ବୋଲି କୁହାଯାଇଛି।

ପରିଷଦରେ ଗୃହୀତ ଅନ୍ୟଏକ ପ୍ରସ୍ତାବରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ଗଠନ କରାଯିବା, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଏବଂ ମମିତାଙ୍କ ପରିବାରକୁ ୨ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବି କରାଯାଇଛି।

ଆଗାମୀ ୨୦୨୨ ଅକ୍ଟୋବର ମାସରେ ପାର୍ଟିର ମହା ଅଧିବେଶନ ଅନୁଷ୍ଠିତ ହେଉଥିବା ଦୃଷ୍ଟିରୁ ସେପ୍ଟେମ୍ବର ପ୍ରଥମ ଭାଗରେ ରାଜ୍ୟ ସମ୍ମିଳନୀ, ମେ ଓ ଜୁନ ମାସରେ ଜିଲ୍ଲା ସମ୍ମିଳନୀ, ଏପ୍ରିଲ ମାସରେ ଜୋନ୍ ସମ୍ମିଳନୀ ଏବଂ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଡିସେମ୍ବର ୩୧ ସୁଦ୍ଧା ଶାଖା ସମ୍ମିଳନୀ ଶେଷ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ବୈଠକର ପ୍ରାରମ୍ଭରେ ସ୍ୱାଧୀନତା ପୂର୍ବଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ଗଣ ସଂଗ୍ରାମକୁ ଅନୁପ୍ରାଣିତ କରିଥିବା ସଂଗୀତର ସଂକଳନ ‘ଗଣ ସଂଗ୍ରାମରେ ରଣ ସଂଗୀତ’ ପୁସ୍ତକ ଉନ୍ମୋଚିତ ହୋଇଥିଲା। ଏହି ଅଧିବେଶନରେ ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଦିବାକର ନାୟକ ଓ ରାମକୃଷ୍ଣ ପଣ୍ଡା, ଜାତୀୟ ପରିଷଦ ସଭ୍ୟ ଅଭୟ ସାହୁ, ରାଜ୍ୟ ସହସମ୍ପାଦକ କ୍ଷୀରୋଦ ସିଂହଦେଓ ଓ ପ୍ରଶାନ୍ତ ମିଶ୍ର, ସମ୍ପାଦକମଣ୍ଡଳୀ ସଭ୍ୟ ଅଶୋକ ଦାଶ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.